ଅପବାଦ

 

 

 

 

 

 

 

 

 

 

 

ଅପବାଦ

ଶ୍ରୀ ଗୋପୀନାଥ ବେହେରା

 

 

 

 

 

 

 

 

 

 

 

 

 

 

ପିତୃଦେବଙ୍କ ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ......

 

-ଏକ-

 

ନିର୍ନିମେଷ ନୟନରେ ରତନୀ ଚାହିଁ ରହିଛି ଆକାଶକୁ । ଭାବନାତାର ଅସୀମ । ଆଖିରୁ ଧାରାଶ୍ରାବଣ ପରି ବହି ଯାଉଛି ଧାରଧାର ଅଶ୍ରୁ । କାଲି ଏ ଗାଁ ଛାଡ଼ି ଚାଲିଯିବାକୁ ହେବ । ସତେ କ’ଣ ଜମିଦାର ତାଙ୍କର ବସୁବାସ ଉଠେଇ ନେବେ । କି ଦୁର୍ଯୋଗ ! ହାୟରେ ଭଗବାନ ।

 

ଆକାଶରେ ତୋଫାଜହ୍ନ ପଡ଼ିଛି । ସାରା ଦୁନିଆଟା ହସି ଉଠୁଛି । ସେ ହସ ଭିତରେ ରତନୀ ଦେଖିପାରୁଛି ଯେପରି ତାକୁ କେହି ଥଟ୍ଟା ଏବଂ ପରିହାସ କରୁଛି । ଗରିବଘରେ ତୋର ସୁଖନାହିଁ ଲୋ ସୁଖନାହିଁ–ସାରା ଜୀବନଟା ଏଇ ଦୁର୍ଯୋଗ ଭିତର ଦେଇ ଗଢ଼ା ।

 

କି ହଟହଟାରେ ସେଦିନ ରାତିଟା ପାହିଥିଲା । ଏମିତି କେତେ ବା ଦିନ ଯାଇନି । ନିଇତି କେତେଥର ଗୋହିରି ବାଟଦେଇ ନଈରୁ ପାଣି ଆଣିଛି ସେ । କିନ୍ତୁ ଏପରି ହଟହଟାରେ ସେ କେବେତ ପଡ଼ି ନ ଥିଲା ।

 

ମୁହଁ ସଞ୍ଜ ହେବ । ତରତର କରି ପାଣି ମାଠିଆଟା କାଖରେ ଥୋଇ, ରତନୀ ସିଧା ସଳଖ ଛୁଟିଛି ଘରଆଡ଼େ । କେଉଁ ଆଡ଼କୁ ତା’ର ଲକ୍ଷ୍ୟନାହିଁ । ପଛରୁ କିଏ ଜଣେ ଡାକି ଦେଲା ତା’ର ନା ଧରି । ରତନୀ ଚମକି ପଡ଼ି ଚାହିଁଦେଲା ପଛକୁ ଜମିଦାରଙ୍କ ପୁଅ କୁନବାବୁ ।

 

ମୁହଁ ତାର ନଇଁ ଆସିଲା ଲାଜରେ ।

 

ଏତେବେଳଟାରେ କୁନବାବୁ କେଉଁଆଡ଼େ ଯାଇଥିଲେ କିଜାଣି ରତନୀର ଉଛୁଳା ଯୌବନରେ ଆଖି ତାଙ୍କର ଲାଖିଗଲା । କେଡ଼େ ସୁନ୍ଦର ଚେହେରା ତା’ର । ଗରିବ ଘର ଝିଅ ରତନୀ । ସେ ବା କାହିଁକି ଜମିଦାର ପୁଅ କୁନବାବୁଙ୍କ କଥାରେ କାନଦେବ ।

 

ରତନୀ ଆପଣା ବାଟରେ ଚାଲି ଆସିଲା ।

 

ପୁଣି ପଛରୁ ଡାକିଲେ କୁନବାବୁ ।

 

ରତନୀର ପାଦ ଅଟକି ପଡ଼ିଲା, ଦେହ ତା’ର କିମିତିକା ହୋଇଗଲା । ଗୋଟାପଣ ସେ କାଠ ପାଲଟିଗଲା । ଚାରିଦିଗ ତାକୁ ଅନ୍ଧକାର ଦେଖାଗଲା । କୁନବାବୁ ରତନୀ ପାଖରେ ପହଞ୍ଚିଗଲେ । କଅଁଳ ମିଶା ସ୍ୱରରେ କହିଲେ, ‘‘ରତନୀ ! ଚାଲି ଯାଉଛୁ ଯେ ଟିକେ କ’ଣ ମୋ କଥା କାନରେ ତୋର ବାଜୁନି ।’’ ନିଇତି ତୋରି ପାଇଁ ମୁଁ ଏଇ ନଈଧାରକୁ ଆସେ । ନିଇତି ତୋର ଉଛୁଳା ଯୌବନକୁ ଦେଖି ମୁଗ୍‌ଧ ହୁଏ । ଏହି ଦେଖା ଚାହାଁ ଭିତରେ ମନଟା ଶାନ୍ତି ପାଇଲା ନାହିଁ । ଶାନ୍ତି ବା ଆସିବ କିମିତି ? ରତନୀ ! ହେ ତୁ କ’ଣ କାନ୍ଦୁଛୁ ? ଧେତ୍‌ ! ପାଗଳୀଟାଏ ନା କ’ଣ ? ମୁଁ କ’ଣ ବାଘ ଭାଲୁ ହୋଇଛି ଖାଇଯିବି । ଡରୁଛୁ ଏପରି ।

 

ରତନୀ କାଖରୁ ଭରା କଳାସୀଟା ତଳେ ଖସି ପଡ଼ିଲା । ଅଙ୍ଗଲତା ତା’ର ଥରି ଉଠିଲା-। ମୁଖରେ ମଳିନତାର ଚିହ୍ନ । କଣ’ ବା ଉତ୍ତର ଦେବ ।

 

–ଛି କୁନବାବୁ ! ଏସବୁଗୁଡ଼ା କ’ଣ ? ତମେ ବଡ଼ଲୋକ ଜମିଦାର ବାବୁଙ୍କ ପୁଅ ।

 

–ଆଉ କିଛି କହି ପାରିଲାନି ରତନୀ ! ଆଖି ଦୁଇଟା ତା’ର ଥରେ କୁନବାବୁଙ୍କ ଉପରେ ଘୂରି ଆସିଲା ।

ସେହି ଦିନଠାରୁ ନିତି ରତନୀର କୁନବାବୁଙ୍କ ସହିତ ଭେଟ ହେଲା । ଦୁହେଁ ଆପଣା ଛାଏଁ ଟାଣି ହୋଇ ଆସିଲେ ନିକଟକୁ । ଦୁହିଁଙ୍କର ସ୍ନେହ ନିବିଡ଼ରୁ ନିବିଡ଼ତର ହୋଇ ଆସିଲା ।

ଏହି ଭଲପାଇବା ଭିତରେ କେହି କାହାକୁ ତିଳେହେଲେ ଛାଡ଼ି ପାରିଲେନି । ଜଗତର କୋଳାହଳ ଭିତରେ ଦୁଇଟି ପ୍ରାଣ ସୁଖର ନୀଡ଼ ରଚନା କଲେ ।

ଦିନ ବିତି ଚାଲିଲା । ଶେଷରେ ଜମିଦାର ବାବୁଙ୍କ ବିଷଦୃଷ୍ଟିକୁ ଏସବୁ କଥା ଆସିଲା । ଏହି ମନ୍ଦ ପରିଣତି ପାଇଁ ଗାଁ ଛାଡ଼ି ଚାଲି ଯିବାକୁ ହେବ, କହିଲେ, ଜମିଦାର ବାବୁ ।

କାଲି ଗାଁ ଛାଡ଼ି ଚାଲିଯିବାକୁ ହେବ ବୋଲି ସେଇ ଚିନ୍ତାରେ ରତନୀ କେତେ କ’ଣ ଭାବି ଚାଲିଛି । ସପନା ଆସି ଦେଖିଲା, ରତନୀ ଅଗଣାରେ ବସି ଆକାଶକୁ ଚାହିଁଛି । ଆଖିରୁ ଧାରଧାର ଲୁହ ଝରି ପଡ଼ୁଛି । ସପନା ଏସବୁର ଅର୍ଥ କିଛି ବୁଝି ପାରିଲାନି । ଏକମାତ୍ର ଅଲିଅଳି ଝିଅଟି । ସୁଖରେ ଦୁଃଖରେ ସବୁବେଳେ ତାକୁ ସାହାଯ୍ୟ କରି ଆସିଛି । ମା’ ଛେଉଣ୍ଡ ବେଳୁ ଦେଢ଼ବରଷରୁ ଏଇ ଝାଟିମାଟି କୁଡ଼ିଆରେ ତାକୁ ବଢ଼ାଇ କୁଢ଼ାଇ ଆଣିଛି ସେ । ତାର ଏପରି ଦୁଃଖରେ କିପରି ଦେହ ସହିବ ?

କଅଁଳ ଗଳାରେ ରତନୀର ପିଠି ଆଉଁସି ଦେଇ, ସପନା ତୁନିକଲା ରତନୀକୁ । କହିଲା ଛି, ମାଆଟା ମୋର, କାନ୍ଦୁଛୁ କାହିଁକି ? କ’ଣ ଆମର ହୋଇଛି କି ? ତୁନିହ । ମାଟି ପୁଳିଏ କ’ଣ ଆମକୁ ମିଳିବ ନାହିଁ ? ଜମିଦାର ଯଦି ଏ ଗାଁରୁ ବାହାର କରିଦିଏ ।

 

-ଦୁଇ-

 

ଜମିଦାର ବାବୁ ଦିବ୍ୟସିଂହ ମର୍ଦ୍ଦରାଜ ଚୌକିରେ ବସିଛନ୍ତି । ତାଙ୍କ ଡାହାଣ ପାଖକୁ ପିଆଦାଟେ ଛିଡ଼ା ହୋଇଛି । ଜମିଦାର ବାବୁ ପାନ ଡିବାରୁ ଖଣ୍ଡେ ପାନ ବାହାର କରି ପାଟିରେ ଜାକି, ପ୍ରଶ୍ନକଲେ–‘‘ବଇଁଶୀ ! ସପନାକୁ କାଲି କହି ଆସିଥିଲୁ ତ ! ସେ ତୋତେ କ’ଣ କହିଲା ।’’

 

ବଇଁଶୀ ଉତ୍ତର ଦେଲା–‘‘ଆଜ୍ଞା ମୁଁ ତାକୁ କହି ଆସିଛି, ସେ ପୁଣି ଆଖି ଦେଖାଉଛି ନା–ତା’ର ଗୁମର ପୁଣି ଗୋଛାଏ; ଆଜ୍ଞା ଆପଣଙ୍କ ପାଇଁ ସବୁ ଯାଉଛି ନା, ନୋହିଲେ ତାକୁ ଥଣ୍ଡା କରି ଦିଅନ୍ତି’’ ।

 

–‘‘ହ ଶୁଣୁ ବଇଁଶୀ ! ତୁ ପୁଣି ତାକୁ ଆଉଥରେ କହିଦେଇ ଆ ଯେପରି ସେ କାଲିରେ ଏ ଗାଁ ଛାଡ଼ି ଅନ୍ୟ କେଉଁଠିକୁ ତା’ର ଝିଅକୁ ସଙ୍ଗରେ ଘେନି ଚାଲିଯିବ ।’’

 

‘‘ଆଚ୍ଛା ଯାଉଛି କହି ବଇଁଶୀ ସିଧା ସଳଖ ଛୁଟିଲା ସପନା ଘରଆଡ଼େ’’ ।

 

ନିର୍ଝୁମ ଖରାବେଳ । ସପନା ବାରିରେ କ’ଣ କାମ କରୁଥାଏ । ରତନୀ ଘର ଭିତରେ, କୁନବାବୁଙ୍କୁ ନିଜର ଦୁଃଖ ହାଲ ବଖାଣୁଛି ।

 

ବଇଁଶୀର କୁନବାବୁଙ୍କ ପ୍ରତି ଲକ୍ଷ୍ୟନାହିଁ । ସପନାକୁ ଦେଖି ନାଗସାପ ପରି ବଇଁଶୀ ଗର୍ଜି ଉଠିଲା ।

 

ସପନା ବଇଁଶୀକୁ ଦେଖି ଗୋଟାପଣ ଶୁଖିଗଲା ।

ବଇଁଶୀ କହିଲା–‘‘ଦେଖ ସପନା, ଜମିଦାର ବାବୁ କହିଛନ୍ତି ତୁ ଯଦି କାଲିରେ ଏ ଗାଁ ଛାଡ଼ି ତୋ ଝିଅକୁ ସାଙ୍ଗରେ ନେଇ ନଯାଉ, ତାହାହେଲେ ତୋର ଆଉ ଅବସ୍ଥା ରହିବ ନାହିଁ । ଜାଣିଲୁ ଏ ବଡ଼ ଲୋକଙ୍କ କଥା, ଭାବି ଚିନ୍ତି ଆଗରୁ ବାଟ ଓଳା । ନୋହିଲେ ଏଇ ଠେଙ୍ଗାକୁ ଦେଖ୍‍ ତୋ ପିଠିରେ ଉଡ଼ାଇ ଦେବି ।

ବଇଁଶୀର ଗରମ ମେଜାଜ ଦେଖି କୁନବାବୁ ଘରୁ ବାହାରି କହିଲେ–‘‘କିରେ ବଇଁଶୀଆ-! କ’ଣ ଭାରି ଗରମରେ କଥା କହୁଛୁ ?’’

ବଇଁଶୀ କୁନବାବୁଙ୍କୁ ହଠାତ୍‌ ଦେଖି ଚମକି ପଡ଼ି କହିଲା–‘‘ହଁ ସପନ ପାଖକୁ ସାଆନ୍ତେ ପଠାଇଛନ୍ତି ।’’

‘‘ସାଆନ୍ତେ ପଠାଇଛନ୍ତି ତ ହେଲା କ’ଣ ? ଏପରି ତିରସ୍କାର କରି କହିବାଟା କଣ ଉଚିତ ହେଉଛି’’ ?

ବଇଁଶୀ, ଦେଖ୍‌; ତତେ ସାବଧାନ କରିଦେଲି, ଏପରି ବ୍ୟବହାର ତୁ ଯଦି ଆଉ କେବେ କରୁ, ତୋର ଗାଲ ଉଡ଼ାଇ ଦେବି ।

ସାଆନ୍ତେ ପଠାଇଛନ୍ତି କାହିଁକି ? ସପନା କ’ଣ ଅପରାଧ କରିଛିକି ? ତାକୁ ଏ ଗାଆଁରୁ ଉଠାଇ ଦେବାପାଇଁ ଷଡ଼ଯନ୍ତ୍ର ଚାଲିଛି । ଆଚ୍ଛା ଦେଖିବି, କିଏ ସପନାକୁ ଏ ଗାଆଁରୁ ଉଠାଇ ଦେବ-? କା’ର ଏଡ଼େ ଶକ୍ତି ? ଯା–ମୋ ଆଗରୁ ଚାଲିଯା ।

 

ବଇଁଶୀ ଜୋକ ମୁହଁରେ ଲୁଣ ଦେଲାପରି ଧୀରେ ଜମିଦାରଙ୍କ ଘରଆଡ଼କୁ ଚାଲିଗଲା ।

 

ଜମିଦାର ବାବୁ ଗାଲରେ ହାତଦେଇ ନିଜର ଗତ ଭବିଷ୍ୟତ କେତେ କଣ ଭାବୁଛନ୍ତି । ଗତବର୍ଷଠାରୁ ଖଜଣା ପ୍ରଜାଙ୍କଠାରୁ ଗୋଟାଏ ପଇସା ଆଦାୟ ହୋଇନାହିଁ । ଏବର୍ଷ କେଉଁ ଜମି କେଉଁ ପ୍ରଜାକୁ ଦିଆଯିବ, କେଉଁ ପ୍ରଜାଠାରୁ କେଉଁ ଜମି ଛଡ଼େଇ ଆଣିବାକୁ ପଡ଼ିବ, ଖମାର ଘରୁ କେତେଧାନ ଏବର୍ଷ ପ୍ରଜାମାନଙ୍କୁ ବାଣ୍ଟି ଦିଆ ଯାଉଛି ? ନିଅଣ୍ଟିଆ ବେଳେ କିଏ କେତେ ଟଙ୍କା କରଜ ନେଇଥିଲା, କା’ର ତମସୁକର ମିଆଦ ପୁରିଗଲାଣି, ତାକୁ ବଦଳାଇବାକୁ ପଡ଼ିବ, ପୁଅ କୁନ ଜମିଦାରୀର କୌଣସି ଖବର ଅନ୍ତର ବୁଝିଲା ନାହିଁ, ଏ ସବୁ ଭାବନାରେ ମର୍ଦ୍ଦରାଜ ବାବୁ ବୁଡ଼ି ଯାଇଛନ୍ତି ।

 

ଏହି ସମୟରେ ବଇଁଶୀ ପହଞ୍ଚିଲା ।

 

ଜମିଦାର ବାବୁ ବଇଁଶୀକୁ ଦେଖି ପଚାରିଲେ, କିରେ ବଇଁଶୀ ? କ’ଣ ହେଲା ? ସପନାକୁ କହି ଆସିଲୁତ ?

 

ବଇଁଶୀ ମୁହଁ ଶୁଖାଇ କହିଲା–

 

‘‘ଆଜ୍ଞା କ’ଣ କହିବି, ଆପଣା ସୁନାତ ଭେଣ୍ଡି–ପରକୁ ଦୋଷ ଦେବେ କ’ଣ ?’’

 

ଆରେ କଥା କ’ଣ ଆଗେ କହ ।

 

ବଇଁଶୀ କହିଲା–ବାବୁ; ମୁଁ ସପନକୁ ଗାଁ ଛାଡ଼ି ଚାଲିଯିବାକୁ କହିଲାରୁ, କୁନବାବୁ ତା’ ଘର ଭିତରେ କେଉଁଠି ଥିଲେ, କେଜାଣି, ବାହାରି ପଡ଼ି ମୋତେ ରଙ୍ଗା ଆଖି ଦେଖାଇ ଗୁଡ଼ାଏ ଗାଳିଗୁଲଜ କଲେ । କହିଲେ–ଦେଖିବି ସପନାକୁ କିଏ ଏ ଗାଁରୁ ବାହାର କରିଦେବ ? ମୁଁ ଆଜ୍ଞା କଣ ଆଉ କହିବି ? ମଗଜ ମୋର ଗୁଡ଼୍‌ମ୍‌ ହୋଇଗଲା । ମୁଣ୍ଡ ତଳକୁ କରି ପଳାଇ ଆସିଲି ।

 

ଏକଥା ଶୁଣି ମର୍ଦ୍ଦରାଜ ବାବୁଙ୍କ ଦେହ ରାଗରେ ଜଳି ଉଠିଲା । ଥରି ଉଠିଲେ ସେ କ୍ଷଣକରେ । କହିଲେ; ଦେଖ୍‌ତ ବଇଁଶୀ, ସେ କୁଳାଙ୍ଗାରର ବୁଦ୍ଧିକୁ । କାହାର ପୁଅ ହୋଇ ସେ କେମିତି ଇତରଙ୍କ ପରି ଜଘନ୍ୟ କାମ କରୁଛି । ଦୁନିଆଟାରେ ମାନମହତ ସମସ୍ତ ସାରିଲା । ତାକୁ ମୋ ପାଖକୁ ଡାକିଦେଲୁ । ଏଇକ୍ଷଣି ତାକୁ ମୁଁ ପଚାରେ ତାର ଉଦ୍ଦେଶ୍ୟଟା କଣ ?

 

-ତିନି-

 

ରତନୀ ଆଖିରୁ ଲୁହ ଝରି ପଡ଼ୁଛି । ବଢ଼ିଲାର ଝିଅ ସେ । ସପନା ପରର ମୂଲ ଲାଗି ଗତର ଖଟେଇ ତାକୁ ଏଡ଼ୁଟିରୁ ଏଡ଼ୁଟେ କରି ଆଣିଛି । ଦିହ ଆଉ ତାର ସହିଲା ନାହିଁ । ସପନା ଭୋ ଭୋ ଡକା ପକାଇଲା ।

 

କୁନବାବୁ ଦୁଇଟି ନିସହାୟଙ୍କର ଆଶୁ ବିପଦଦେଖି ସାନ୍ତ୍ୱନା ଦେଉଛନ୍ତି । ତୁମେ ଭୟ କରନି । ମୋରି ପାଇଁ ବିପଦ ଭୋଗିବାକୁ ପଡ଼ିବ, ଏହା କଦାପି କରାଇ ଦେବିନି । ଦେଖୁଚତ ! ଆଜି ଯୁଗର ଗତି ଆସି କ’ଣ ହେଲାଣି । ଛୋଟ-ବଡ଼ ଧନି-ଦରିଦ୍ରର ଭେଦଭାବ କିଛି ରହିବ ନାହିଁ-। ଧନ ସମ୍ପଦର ମୂଲ୍ୟ ଏ ଯୁଗରେ କିଛି ନୁହେଁ, ପାଣି ଫୋଟକା ପରି କେଉଁଆଡ଼େ ଉଭେଇ ଯିବ-। ବାପାଙ୍କର ଏ ଯେଉଁ ଚକ୍ରାନ୍ତ, ମୁଁ ବେଶ୍‌ ଭାବରେ ବୁଝି ସାରିଲିଣି, ଏ ସବୁର ମୂଳ କାରଣ ବଇଁଶିଆ-। ତା’ରି ମଜାଟା ବୁଝିନେବି । ତୁମେ ବ୍ୟସ୍ତ ହୁଅନି ।

 

ଆଉ ଦେଖ, ତୁମକୁ ଏ ଗାଁ ଛାଡ଼ି କେଉଁଠାକୁ ଯିବାକୁ ପଡ଼ିବନି । ଯଦି ବାପା ପୁନରାୟ ବଇଁଶୀକୁ ପଠାନ୍ତି ମୁଁ ବାପାଙ୍କୁ ଏ ସବୁ କଥା ପାଇଁ ଖାଡ଼ା ଖାଡ଼ା ଜବାବ ଦେଇଦେବି । ଗରିବ ଅସହାୟ ଉପରେ ଅତ୍ୟାଚାର କଦାପି ମୁଁ ବରଦାସ୍ତ କରିବି ନାହିଁ ।

 

ସପନା ବୁକୁରେ ସାହସ ଖେଳିଗଲା । କାଲି ଦିନଟା ବାପ ଝିଅ ଦୁହେଁ ନିର୍ଜ୍ଜଳା ଉପବାସରେ କଟାଇ ଦେଇଛନ୍ତି । ଏଇ ସବୁ ଭାବନା ପେଟକୁ ଦାନା ଛାଡ଼ିଦେଇନି । ଗରିବମୁଣ୍ଡ ତାଙ୍କର ।

 

ସପନା ଅଥଳ ଦରିଆରେ କିନାରା ପାଇଲା ପରି ଗୋଟାଏ ସ୍ୱସ୍ତିର ନିଶ୍ୱାସ ପକାଇଲା-। ହଉ, ଭଗବାନ ଭରସା କହି କୋଦାଳଟା କାନ୍ଧରେ ପକାଇ ସପନା ବିଲକୁ ଚାଲିଗଲା-

 

କୁନବାବୁ ରତନୀକୁ ପାଖକୁ ଡାକି ତାର ଚିକ୍‌କଣ କବରୀରେ ଅଙ୍ଗୁଳି ଚାଳନ କରି କହିଲେ–ରତନୀ ! ନୀଳ ଆକାଶରେ ଚାନ୍ଦ ହସୁଥାଏ ସେଦିନ ପ୍ରଥମ ରଜନୀ । ତୋରି ପହିଲି ପରଶରେ ଜୀବନ ଧନ୍ୟ ହୋଇଥିଲା । ସେ କଥା ମନେ କ’ଣ ନାହିଁ ତୋର ? ଯେତେବେଳେ ତୋହରି ଦେହ ଆଉ ମନର ପରିବର୍ତ୍ତନ ଘଟିଲା, ତୁ ଆଉ ସେ ଆଗ ରତନୀ ହୋଇ ରହିଲୁ ନାହିଁ । ଆଖି ଯୋଡ଼ିକ ତୋର ହୀରାପରି ଝଟକ ଦିଶିଲା । ସେହି ଯୋଡ଼ିଏ ଆଖିର ଆକର୍ଷଣରେ ନିର୍ଜୀବ ପ୍ରାଣମଧ୍ୟ ସଜୀବ ହୋଇ ଉଠିଲା । କିଜାଣି ତୋତେ କାହିଁକି ଅତି ଆପଣାର କରିବାପାଇଁ, ମୁଁ ଖୋଜି ବୁଲିଲି ଉପାୟ । ତା ପର ସେହି ଦିନକାର ମଧୁର ସଂଧ୍ୟା । ଚାରିଚକ୍ଷୁର ମିଳନ ହୋଇଥିଲା ନଦୀଧାରର ସେହି ଆମ୍ବ ତୋଟାରେ ।

 

ତୁ କିନ୍ତୁ ବ୍ୟର୍ଥ ଆଉ ଅବସାଦରେ ଫେରାଇଦେଲୁ ସେଦିନ । ଧନୀ ଦାରିଦ୍ର୍ୟର ତାରତମ୍ୟ ଦେଖାଇ । ଶେଷରେ ମୋର ଅଟଳ ପ୍ରତିଜ୍ଞା ଦେଖି-ମୋର ଆକର୍ଷଣର ମୋହବତ୍‌ ଦେଖି ଚମକି ପଡ଼ିଲୁ, ଖୋଜି ବୁଲିଲୁ ତୋର ଆତ୍ମରକ୍ଷାର ପଥ । ମାତ୍ର ସବୁଚେଷ୍ଟା ମୋ ନିକଟରେ ତୋର ବିଫଳ ହେଲା । ସରଳ ତରଳ ହୃଦୟ ତୋର ଢାଳିଦେଲୁ ମୋରି ବକ୍ଷଉପରେ । ପ୍ରଶ୍ନ କଲୁ–‘‘କୁନବାବୁ ! ଦୁନିଆଁଟାରେ ଏ ଯେଉଁ ଧନୀ ଗରିବ ପାଚେରୀ ଘେରା ଖୁଆଡ଼ ଭିତରେ ତମେ ଯେ କଣ କରିବାକୁ ଯାଉଛ ।’’

 

ଉତ୍ତର ଦେଲି

 

ଠିକ୍‌ କରିବାକୁ ଯାଉଛି ରତନୀ । ଧନୀ ଦରିଦ୍ର ଭେଦାଭେଦ ଭିତରେ ଆମେଇ ଦେଖାଇଦେବା ସମାନତାର ଚିହ୍ନ । ଆମକୁ ସମାଜର କଳଙ୍କିତ କଠୋର ଶିକୁଳି ଛିଡ଼ାଇ ଟୁକୁଟୁକୁ କରି ଫିଙ୍ଗି ଦେବାକୁ ହେବ ଦୂରକୁ । ଅନ୍ଧ ସମାଜର ନିୟମକୁ ପାଦରେ ମାଡ଼ିମକଚି ଦେବାକୁ ହେବ-। ମନେରଖ୍‌ ରତନୀ–ତୋତେ ଦିନେ ଏଇ ସମାଜର ବିରୁଦ୍ଧରେ ଛାତି ପତେଇବାକୁ ପଡ଼ିବ-। ଯେତେବେଳେ ତୋତେ ମୁଁ ସାରା ଜୀବନର ସାଥୀ ହିସାବରେ ବରିନେବାକୁ ଯିବି, ସେତେବେଳେ ତୋତେ ମୁଁ ଖାଲି ସାଥୀହିସାବରେ ପାଇବିନି, ପାଇବି ସ୍ତ୍ରୀ ଆଉ ଅର୍ଦ୍ଧାଙ୍ଗିନୀ ରୂପରେ ।

 

ରତନୀ ବିଶ୍ୱାସ କରି ପାରିଲାନି ଏ ସବୁ କଥାକୁ । କାହିଁ ଜମିଦାର ବାବୁଙ୍କ ପୁଅ କୁନବାବୁ । କାହିଁ ଗରିବ ଝିଅ ରତନୀ । ଏହା କି ସମ୍ଭବ ହୋଇପାରେ ? କୁନବାବୁ ଯେତେ କହିଲେ, ମନ ଆଉ ତା’ର ମାନିଲା ନାହିଁ । କିପରି ବା ମାନିବ !

 

କୁନବାବୁଙ୍କ ପ୍ରାଣ ଅଥୟ ହୋଇ ପଡ଼ିଲା । ରତନୀକୁ କୋଳକୁ ଆଉଜାଇ ଆଣି ତା’ର ପେଲବ ଗଣ୍ଡରେ ସ୍ନେହମିଶା ଚୁମ୍ବନ ଆଙ୍କି ଦେଲେ । ରତନୀ କାନ୍ଦ କାନ୍ଦ ହୋଇ, ଥରିଲା କଣ୍ଠରେ କହିଲା କୁନବାବୁ, ମୋତେ ଆଉ ଜାଳି ପୋଡ଼ି ମରିବାକୁ ଦିଅ ନାହିଁ । କ୍ଷମାକର । ମୁଁ ଗରିବ ଘର ଝିଅ । ଭଙ୍ଗା କୁଡ଼ିଆ ମୋର ଭରସା । ଆଉ ତୁମେ, ବଡ଼ଲୋକ । ମୋ ପଛରେ ତୁମେ ବୃଥା କୁହୁଡ଼ିରେ ପହଁରୁଛ ଖାଲି କୁନବାବୁ । ଯାଅ, ଫେରିଯାଅ, ମୋତେ ପାଇବାକୁ ଆଶା କରନି । ଜାଣିଜାଣି ପାଗଳଙ୍କ ଭଳି, ଜୀବନଟାକୁ ଦହଗଞ୍ଜ କରନାହିଁ । ତୁମପାଇଁ ପଥ ପରିଷ୍କାର ହୋଇ ରହିଛି । ମୋର ଚଳନ୍ତି ପଥରେ କଣ୍ଟା ଆଉ ପୋତନି । ତୁମେ ବିବାହ କର । ସୁଖ ଶାନ୍ତିରେ ରହି ଜୀବନକୁ ଆନନ୍ଦରେ କଟାଅ ।

 

କ’ଣଗୁଡ଼ାଏ କହି ଯାଉଛୁ ପାଗଳୀଙ୍କ ପରି ରତନୀ ? ଦେଖ୍‌, ଆଖି ଖୋଲି ଦେଖ୍‌ । ତୋରି କାଉଁରୀ ପରଶରେ ଏହି ଭଙ୍ଗା କୁଡ଼ିଆ ଖଣ୍ଡି କେଡ଼େ ଉଜ୍ଜ୍ୱଳ ଆଜି ଦିଶୁଛି । ତୋର ମୋହ ଅଛି, ମାୟା ଅଛି, ମମତା ଅଛି ।

 

ବାହାରୁ ଖିଲି ଖିଲି ହୋଇ ଦମକା ପବନ ତୁହାଏ ବହିଗଲା । ଦୀର୍ଘ ନିଶ୍ୱାସ ପକାଇଲା ରତନୀ ।

 

ସନ୍ଧ୍ୟାର ସଙ୍କେତ ଦେଇ ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡ଼ିଗଲେ ।

 

ସପନା ବିଲରୁ ଫେରି ଆସିଲା । ଦେହରୁ ତା’ର ଝାଳ ଗମଗମ ହୋଇ ବହି ଯାଉଥାଏ-। ଅସରନ୍ତି ଭାବନା ଭିତରେ କର୍ମକ୍ଳାନ୍ତ ଶରୀରଟାକୁ କର୍ତ୍ତବ୍ୟରେ ଲଗାଇଛି ସେ-। ସପନା କୋଦାଳଟା ଥୋଇଦେଇ ରତନୀକୁ ଟୋପାଏ ପାଣି ମାଗିଲା ପିଇବାକୁ ।

 

ରତନୀ ପାଣି ନୋଟାଏ ଆଣି ବାପା ପାଖରେ ତା’ର ଥୋଇଦେଲା ।

 

କୁନବାବୁ ରତନୀକୁ ସାନ୍ତ୍ୱନା ଦେଇ ଫେରିଗଲେ ସେଦିନ ଘରକୁ ।

 

-ଚାରି-

 

କୁନ, ତୋର ପ୍ରକୃତ ଉଦ୍ଦେଶ୍ୟଟା କ’ଣ ମୁଁ ତ ବୁଝିପାରୁନି । ସବୁବେଳେ ଗୋଟାଏ ବୁଲା ବାଉତିଆଙ୍କ ପରି ବୁଲିବାରେ ଲାଗିଛୁ । ଜମିଦାରୀର କୌଣସି ଖବର ବୁଝୁନୁ । ସବୁଦିନେ କ’ଣ ପରଲୋକେ ରହି ବୁଝୁଥିବେ ? ମୁଁ ଆଉ ଏ ବୁଢ଼ା ବୟସରେ କୌଣସି କାମକରି ପାରିବି ନାହିଁ । ତୁ ଏଣିକି ଏ ସମସ୍ତର ଦାୟିତ୍ୱ ନେଇ ଦେଖାଶୁଣା କର୍‍ । ହଁ ଆଉ ଗୋଟିଏ କଥା, ଆସନ୍ତା ବୈଶାଖ ମାସରେ ତୋର ବିଭାଘର ହେବାର ସ୍ଥିର କରାଯାଇଛି । କଟକର ବିଖ୍ୟାତ ଜମିଦାର ପଟ୍ଟନାୟକଙ୍କ ଝିଅ ସହିତ । ତାଙ୍କର ବେଶ୍‌ ଖ୍ୟାତି, ଅଚଳାଚଳ ସମ୍ପତ୍ତି । ଆମଠାରୁ ସେ ଖୁବ୍‌ ବଡ଼ଲୋକ । ସୁନାର ବହୁ ଅଳଙ୍କାର ଝିଅକୁ ଦେବେ, ବାଟଖର୍ଚ୍ଚ ପାଇଁ ନଗଦ ଦୁଇ ହଜାର ଟଙ୍କା ଦେବେ । କାଲି ପଟ୍ଟନାୟକ ବାବୁ ଲୋକ ପଠାଇଥିଲେ । ପୁନରାୟ ଆସନ୍ତାକାଲି ସେ ନିଜେ ଆସିବେ ବୋଲି ଖବର ଦେଇଛନ୍ତି ।

 

ଏସବୁ କଥା ଗୋଟାଏ ନିଶ୍ୱାସରେ ଶୁଣିଗଲେ କୁନବାବୁ । ମର୍ଦ୍ଦରାଜ ବାବୁ କୁନର ମେଜାଜ ଆଗରୁ ଭଲ ଭାବରେ ବୁଝି ନେଇଥିଲେ । ତେଣୁ ସବୁସମୟରେ ସେ ହାର ମାନୁଥିଲେ ନିଜକୁ । ତଥାପି ଯେତେହେଲେ ପୁଅତ । ଆକଟ କରିବାକୁ କଦାପି ପଛଘୁଞ୍ଚା ଦେଉ ନଥିଲେ ।

 

ମର୍ଦ୍ଦରାଜ ବାବୁ ପଚାରିଲେ, କୁନ, ଏ ସବୁ ପ୍ରସ୍ତାବରେ ତୋର ଏକମତ ନିଶ୍ଚୟ ତ ? ତୋର ମାଆ କାଲି ତାଙ୍କୁ ସଂପୂର୍ଣ୍ଣ ଜବାବ ଦେଇ ସାରିଛନ୍ତି; କେବଳ ତୋ’ରି ମତାମତକୁ ଅପେକ୍ଷା ଥିଲା । ପ୍ରକୃତରେ ମତଟା କଣ କହନି ।

 

କୁନବାବୁ ଭାବି ନଥିଲେ, ହଠାତ୍‌ ବାପାଙ୍କଠାରୁ ଏପରି ଗୋଟାଏ ପ୍ରଶ୍ନ ଆସିବ ବୋଲି ।

 

ସହସା କଣ ବା ସେ ଉତ୍ତର ଦେବେ ? କିଛିକ୍ଷଣ ନୀରବ ରହି, ସେ କହିଲେ ଦେଖନ୍ତୁ ବାପା ! ଆପଣ ମୋତେ ଜନ୍ମ ଦେଇଛନ୍ତି । ମୋ ଜୀବନର ଭଲ ମନ୍ଦ ପାଇଁ ଏକମାତ୍ର ସହାୟ ଆପଣ । ଆପଣଙ୍କ କଥାରେ ମୋର କହିବାର କଥା କିଛି ନଥିଲା ।

 

ତେବେ..... ।

 

ତେବେ ଆଉ କଣ କୁନ ? ମୁଁ କୌଣସି କଥା ଶୁଣିବାକୁ ଚାହେଁନି ତୋର ।

 

ହତବାକ୍ୟହୋଇ କୁନବାବୁ ବାପାଙ୍କୁ ତାର ଏତିକି କହିଲେ, ବିବାହ ପ୍ରସ୍ତାବଟା ବନ୍ଦ କରି ଦିଅନ୍ତୁ ବାପା । ମୁଁ ବର୍ତ୍ତମାନ ବିବାହ କରିବି ନାହିଁ ।

 

–ବିବାହ ନକରିବାର ଉଦ୍ଦେଶ୍ୟଟା କଣ କହନି ?

 

–ଉଦ୍ଦେଶ୍ୟଟା କିଛି ନୁହେଁ ।

 

–କୁନ ତୁ ଏପରି ପିଲାସ୍ୱଭାବ ଧରି କଥା କହିଲେ ଚଳିବନାହିଁ । ତୋର ବିବାହର ସମସ୍ତ ଆୟୋଜନ ମୁଁ କରି ସାରିଲିଣି । ତୋତେ ବିବାହ କରିବାକୁ ହିଁ ହେବ ।

 

–ଯେତେବଳେ ମୋର ସମୟ ଆସିବ ସେତେବେଳେ ବିବାହ କରିବି । ବୃଥା ଚେଷ୍ଟା ଆଉ କରନ୍ତୁ ନାହିଁ ବାପା ।

 

–ହଁ ବିବାହ ନକରିବାର ଉଦ୍ଦେଶ୍ୟଟା ଅବଶ୍ୟ ତୋର ବୁଝି ପାରିଲି । କୁନ, ଯେଉଁ ଆଶା ମରୀଚିକା ପଛରେ ଧାଇଁଛୁ ସେ କେବଳ ବୃଥା । ଭୁଲିଯା ସେସବୁ । ନଜାଣିଲା ପରି ମୋତେ କେବଳ ନୀରବରେ ସମସ୍ତ ସହିବାକୁ ହେଉଥିଲା । ଏଣିକି ସହିବାର ନୁହେଁ । ରକ୍ତ, ମାଂସ, ଦେହଧରି କେତେକାଳ ଆଉ ଏପରି ଅତ୍ୟାଚାର ସହିବି ?

 

କୁନ ! ସେଦିନ ମୋତେ ବଇଁଶୀ ଯାହା କହୁଥିଲା, ତା’ କଣ ପ୍ରକୃତରେ ସତ୍ୟ ? ପ୍ରଜା ମୂଲିଆଟା ସେ, ଖାଇବାକୁ ଘରେ ତାର ଦାନାନାହିଁ । ତା ଝିଅ ରତନୀକୁ ବିବାହ କରିବା ପାଇଁ ଦେଶସାରା କ’ଣ ନାଗରା ଦେଉଛୁ ? ମୋର ମାନସମ୍ମାନ ସାରିବୁ ଦେଖି ପାରୁଛି । ବଂଶର ପରଂପରା ନୀତିରେ ଆଜି ତୁ କାଳିଦାଗ ବୋଳିବାକୁ ଯାଉଛୁ ।

 

ବାପା ! କ୍ଷମା କରିବ ମୋତେ । ପ୍ରକୃତରେ ମୁଁ ରତନୀକୁ ବିବାହ କରିବି । ପ୍ରତିଜ୍ଞା କରି ସାରିଛି । ଜାଣୁ ଜାଣୁ ମସ୍ତ ବଡ଼ ଭୁଲ୍‌ କରିପକାଇବାକୁ ଯାଉଛି । ଏହି ଭୁଲ୍‌ ଭିତରେ ମୁଁ ପାଇଛି ଠିକ୍‌ର ସନ୍ଧାନ । ତୁମର ଅନ୍ତର ଏ କଥାକୁ ଘୃଣା କରିବ । ଯାହାକି ତୁମେ ଆଜି ବୁଝି ପାରୁନା, ସମୟ ଆସିବ ଦିନେନା ଦିନେ ବୁଝିବ । ଆଉକିଛି କୁନବାବୁ କହିପାରିଲେନି ଆଖିରୁ ତାଙ୍କର ଦି’ଧାର ଲୁହ ଗଡ଼ି ପଡ଼ିଲା ।

 

ମର୍ଦ୍ଦରାଜ ବାବୁ ରାଗରେ ଥରି ଉଠିଲେ । ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଏକମାତ୍ର ସନ୍ତାନ କୁନ, ତାଙ୍କର ସୁନାର କଳ୍ପନାରେ କୁଠାରଘାତ କରିବ ।

 

ହଠାତ୍‌ ତାଙ୍କର ମୁଣ୍ଡ ଘୂରାଇ ଦେଲା ।

 

ସ୍ୱପ୍ନମଞ୍ଜରୀ ଦେବୀ ଆସି ଅନେକ ବୁଝାଇଲେ ପୁଅକୁ । ସେହି ଗୋଟାଏ ଜିଦ୍‌ । ମୁଁ ବିବାହ କରିବିନି । ବହୁତ ଦାନ ଯୌତୁକ ଘେନି ସୁନ୍ଦରୀ ବୋହୂଟିଏ ବଡ଼ ଲୋକ ଘରୁ ଆସିବ । ସେଇଥିପାଇଁ ସ୍ୱପ୍ନମଞ୍ଜରୀଙ୍କ ପାଟିରୁ ପାଣି ବୋହି ପଡ଼ିଛି । ଏପରି ସୁଯୋଗ ହରାଇଲେ କୁନ ପ୍ରକୃତରେ ହଟହଟାରେ ପଡ଼ିବୁ । ଏଣିକି ତୋ ଭାଗ୍ୟ–କହି ଦୀର୍ଘ ନିଶ୍ୱାସ ପକାଇଲେ ସ୍ୱପ୍ନମଞ୍ଜରୀ-

 

କୁନବାବୁ ନିରୁତ୍ତର ହୋଇ ମଥା ପୋତି ରହିଲେ ।

 

-ପାଞ୍ଚ-

 

ମର୍ଦ୍ଦରାଜ ବାବୁ ବୈଠକଖାନା ସଜାଇବାରେ ଲାଗିଛନ୍ତି । ସ୍ୱପ୍ନମଞ୍ଜରୀଦେବୀ ଘରର ଆସବାବପତ୍ର ଗୋଟାଏ ଝାଡ଼ଣ ନେଇ ଝାଡ଼ିବାରେ ବ୍ୟସ୍ତ ।

 

କଟକରୁ ପଟ୍ଟନାୟକ ବାବୁ ଆସିବେ ବୋଲି ଦୁଇ ପ୍ରାଣୀଙ୍କର ଭୋକ ଶୋଷ ନାହିଁ । ରୋଷେଇଘରେ ପୂଝାରି ପୁରି ଛାଣୁଛି । ମଝିରେ ମଝିରେ ସ୍ୱପ୍ନମଞ୍ଜରୀଦେବୀ ଦାଣ୍ଡ ଦରଜା ପାଖକୁ ଚାଲି ଆସି ପଦାକୁ ଚାହୁଁଛନ୍ତି, କାଳେ ପଟ୍ଟନାୟକ ବାବୁ ଆସିପଡ଼ିଲେ । ଦିନ ଠିକ୍‌ ବାରଟା ହେବ, ସମସ୍ତ ଯୋଗାଡ଼ ସରିଗଲା । ତା’ ଅଧଘଣ୍ଟା ପରେ ପଟ୍ଟନାୟକ ବାବୁ କଟକରୁ ଆସି ପହଞ୍ଚିଲେ ହାତରେ ଖଣ୍ଡେ ସିଂହବେଣ୍ଟ ବାଡ଼ି । ସାଦା ପଞ୍ଜାବି ଖଣ୍ଡେ ପିନ୍ଧିଛନ୍ତି । ଗୋଡ଼ରେ କାନପୁର ଚପଲ ହଳେ–ବେଶ୍‌ ଘେନାଉଁ ଥାଏ । ପାନଖିଆ ଦାନ୍ତଗୁଡ଼ିକରେ ବେଳେବେଳେ ହସ ଫୁଟି ଉଠୁଥାଏ ।

 

ଆଦର ଅଭ୍ୟର୍ଥନା କରି ମର୍ଦ୍ଦରାଜ ବାବୁ ଘରେ ନେଇ ଖଟ ଉପରେ ବସାଇଲେ । ନାନାଆଡ଼ୁ ନାନା କଥା ଆଳାପ ଆଲୋଚନା ହେଲା ।

 

ସ୍ୱପ୍ନମଞ୍ଜରୀଦେବୀ ଆର ଘରେଥାଇ ସମସ୍ତ କଥା କାନ ଡେରି ଶୁଣୁଥା’ନ୍ତି ।

 

ପୋଷା ନେଉଳଟା ଖଟର ଗୋଟାଏ ଗୋଡ଼ରେ ଜଞ୍ଜିରରେ ବନ୍ଧା ଯାଇ ଥିବାରୁ ଏପଟ ସେପଟ ଘୂରି ନିଜକୁ ନିଜେ ଗୁଡ଼ାଇ ହେଇ ଯାଉଥାଏ । ମର୍ଦ୍ଦରାଜ ବାବୁ ଜଞ୍ଜିର ଖୋଲି ନେଉଳଟିକୁ ଆଉଁସିବାରେ ଲାଗି ଥାଆନ୍ତି ।

 

ପ୍ରଥମେ ପଟ୍ଟନାୟକ ବାବୁ ଝିଅର ବିଭାଘର ପ୍ରସ୍ତାବ ଉଠାଇ କହିଲେ,

 

–ଆଉବି ସମୟ ନାହିଁ । ଦିନ ପାଖ ହୋଇ ଆସିଲାଣି, ମୁଁ ଆପଣଙ୍କଠାରୁ ପକ୍‌କା ଜବାବ ପାଇଲେ, ଯାହା କିଛି ବ୍ୟବସ୍ଥା କରିବି ।

 

ସେଦିନ ପୁରୀରୁ କେତେଜଣ ଭଦ୍ରଲୋକ ଏଇ ପ୍ରସ୍ତାବ ନେଇ ଆମ ଘରକୁ ଆସିଥିଲେ-। ପିଲାଟି ବି. ଏ. କ୍ଲାସରେ ପଢ଼େ । ଚଳାଚଳ ତାଙ୍କର ସେପରି କିଛି ଭଲ ନୁହେଁ, ମଧ୍ୟବିତ୍ତ-। ମୁଁ ରାଜି ହେଲିନାହିଁ । ସେମାନେ ଫେରିଗଲେ । ପୁନରାୟ ବାଲେଶ୍ୱରରୁ ମଧ୍ୟ ଆଉ ଗୋଟାଏ ପ୍ରସ୍ତାବ ଆସି ପହଞ୍ଚିଛି । ପିଲାଟି ଶାନ୍ତି ନିକେତନରେ ଆର୍ଟ ପଢ଼େ । ଘରେ ମାଆଟି ବ୍ୟତୀତ ଆଉ କେହି ନାହିଁ । ଏଣୁ ମନଟା ଆଦୌ ମାନୁନାହିଁ ସେଥିରେ ।

 

ନାନାଆଡ଼ୁ ପ୍ରସ୍ତାବ ଆସିବ–ଆସିଥାଏ । ସେଥିପାଇଁ କିଛି କଥା ନାହିଁ । ମର୍ଦ୍ଦରାଜ ବାବୁ କହିଲେ ।

 

ତେବେ ଏ ସବୁ ପ୍ରସ୍ତାବ ଭିତରେ ଯେଉଁଟା ନିଜ ପସନ୍ଦ ଯୋଗ୍ୟ ହୁଏ ତାହାହିଁ କରାଯାଏ । ହଁ ଦିନବି ଆଉ ନାହିଁ । ଆମର ମଧ୍ୟ ସେହିପରି ଘର ଅଚଳ ହୋଇ ପଡ଼ିଲାଣି । ଗୃହିଣୀ ସ୍ୱପ୍ନମଞ୍ଜରୀଦେବୀଙ୍କର ଘରକୁ ବୋହୂଟିଏ ଆଣିବା ପାଇଁ ମସ୍ତବଡ଼ ଝୁଙ୍କ୍‌ ଉଠି ପଡ଼ିଛି ଜବାବ ତ ଦିଆଯିବ, ଚାଲ ଆଗେ ଗଣ୍ଡେ କିଛି ଖାଇ ଆସିବା । ପୂଝାରି ଡାକି ଗଲାଣି ।

 

ପଟ୍ଟନାୟକ ବାବୁ କହିଲେ, କ୍ଷମା କରନ୍ତୁ ମୁଁ କିଛି ଖାଇବି ନାହିଁ ।

 

ମର୍ଦ୍ଦରାଜ ବାବୁ ନିତାନ୍ତ ବାଧ୍ୟ କଲାରୁ ସେ ଖାଇବା ପାଇଁ ଉଠିଲେ ।

 

ଖାଇବା ଶେଷ କରି ଅଳ୍ପ ସମୟ ପରେ ପୁନରାୟ ବୈଠକଖାନାକୁ ଫେରି ଆସିଲେ ପଟ୍ଟନାୟକ ବାବୁ । ପୁଣି ଆଳାପ ଆଲୋଚନା ଚାଲିଲା ଦୁହିଁଙ୍କର ।

 

ମର୍ଦ୍ଦରାଜ ବାବୁ ସମ୍ପୂର୍ଣ୍ଣ ଜବାବ ଦେଲେ । ଏବର୍ଷ କୁନର ବିଭାଘର, ଆପଣଙ୍କ ଝିଅ ସହିତ ନିର୍ବନ୍ଧ କରାଗଲା । ଏଣିକି ଅନ୍ୟାନ୍ୟ ଆୟୋଜନରେ ଲାଗି ପଡ଼ନ୍ତୁ । ତେବେ ଦେବାନେବା ବିଷୟ ନେଇ ଆଗରୁ ଆଲୋଚନା ହେବା ଦରକାର ।

 

ଏ ସମ୍ବନ୍ଧରେ ଆପଣ କଣ କହୁଛନ୍ତି ?

 

ମୋର ମତାମତ ମୁଁ ପ୍ରଥମରୁ ଦେଇଛି । ସେଥିରେ ଯଦି ଆପତ୍ତି ଅଭିଯୋଗ କିଛି ଥାଏ, ତେବେ କହନ୍ତୁ, ପଟ୍ଟନାୟକ ବାବୁ କହିଲେ ।

 

ମର୍ଦ୍ଦରାଜ ବାବୁ ବିଶେଷ କିଛି ନକହି ମଉନ ସମ୍ମତିରେ ନିଜର ମତ ପ୍ରକାଶ କଲେ ।

 

ନିତାନ୍ତ ପ୍ରକାଶ୍ୟରେ କଥାଟା ଜାଣିନେବା ପାଇଁ ପଟ୍ଟନାୟକ ବାବୁ ପୁନରାୟ ପଚାରିଲେ ।

 

–ଆପଣ ଯେ ନୀରବ ରହିଲେ । ମୋ କଥାର ଜବାବତ ଦେବେ ?

 

ମର୍ଦ୍ଦରାଜ ବାବୁ ହସି ହସି ନିଜର ଦୁର୍ବଳତା ପ୍ରକାଶ ନକରି ସ୍ୱୀକୃତି ଜଣାଇଲେ ।

 

ଶେଷରେ ପଟ୍ଟନାୟକ ବାବୁ କୁନବାବୁଙ୍କୁ ଥରେ ଦେଖିବା ପାଇଁ ଅନୁରୋଧ କଲେ ।

 

ହସି ହସି ମର୍ଦ୍ଦରାଜ ବାବୁ ବଇଁଶୀକୁ ଡାକିଲେ–ବଇଁଶୀ, କୁନ ଆର ଖଂଜାରେ ଥିବ ଡାକିଦେଲୁ ଏଠିକି ।

 

ଆଜ୍ଞା ଡାକି ଦେଉଛି କହି ବଇଁଶୀ ଚାଲିଗଲା ।

 

ହଠାତ ବଇଁଶୀକୁ ଦେଖି କୁନବାବୁ ପଚାରିଲେ–କିରେ ବଇଁଶୀ ! କୁଆଡ଼େ ?

 

ଆଜ୍ଞା ବୈଠକଖାନାରୁ ବାପା ଡକେଇ ପଠାଇଛନ୍ତି ।

 

କ’ଣ ମୋତେ ?

 

ଆଜ୍ଞା ହଁ ।

 

କାହିଁକି ବାପା ଡକେଇଛନ୍ତି ତୁ କିଛି ଜାଣୁ ବଇଁଶୀ ?

 

ବଇଁଶୀ ମୁରୁକିହସା ଦେଇ କହିଲା–କିଏ ଜଣେ ଭଦ୍ରଲୋକ ଆସିଛନ୍ତି ।

 

ଆଚ୍ଛା ଯାଉଛି ଚାଲ୍‌ ।

 

ବଇଁଶୀ ଚାଲିଗଲା ।

 

ପୂର୍ବଦିନ କଥା କୁନବାବୁଙ୍କର ମନେ ପଡ଼ିଲା । ବିବାହ ସମ୍ବନ୍ଧ ଘେନି ବୋଧହୁଏ କଟକରୁ କେହି ଆସିଛନ୍ତି । ଏହା ଭାବୁ ଭାବୁ କୁନବାବୁ ବୈଠକଖାନାଆଡ଼କୁ ଆଗେଇଲେ ।

 

ବୈଠକଖାନାରେ ପହଞ୍ଚି ଯାହା ସେ ଦେଖିଲେ ତାଙ୍କର ଧାରଣା ହିଁ ଠିକ୍‌ । ଆଗନ୍ତୁକଙ୍କୁ ବାଧ୍ୟହୋଇ ନମସ୍କାରଟିଏ କଲେ କୁନବାବୁ ।

 

ପ୍ରତି ନମସ୍କାର ଜଣାଇଲେ ପଟ୍ଟନାୟକ ବାବୁ ।

 

ବେଶୀ ସମୟ ଅପେକ୍ଷା ନ କରି କୁନବାବୁ ସେଠାରୁ ଚାଲି ଆସିଲେ ଘରକୁ । ରାଗ ଆଉ ହିଂସାରେ ଅନ୍ତର ତାଙ୍କର ଜଳି ଉଠିଲା । ନିଜ ଇଚ୍ଛା ବିରୁଦ୍ଧରେ ବାପାଙ୍କର ଏସବୁ କାମକୁ ସେ ମନେମନେ ଘୃଣା କଲେ । ମୁହଁ ଖୋଲି କିଛି ଆଉ କହି ପାରିଲେନି ।

 

ପଟ୍ଟନାୟକ ବାବୁ ବିବାହର ସମସ୍ତ ଆୟୋଜନ କରିବା ପାଇଁ କହିଗଲେ ।

 

ଦିନବାର ମଧ୍ୟ ସ୍ଥିର ହୋଇଗଲା ।

 

କୁନବାବୁଙ୍କର ମନର ଅବସ୍ଥା କିନ୍ତୁ ବଦଳିଲା ନାହିଁ ।

 

-ଛଅ-

 

ଖୁବ୍‌ଶୀଘ୍ର କୁନବାବୁ ଫେରି ପଡ଼ିଲେ ।

 

ସ୍ୱପ୍ନମଞ୍ଜରୀଦେବୀ ତାଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ଏ ସବୁର କାରଣ ସେ ଭଲରୂପେ ଜାଣନ୍ତି । ପଚାରିଲେ–କଣ ହେଲା କୁନ ? ବାପା କାହିଁକି ଡକାଇଥିଲେ ?

 

ପଞ୍ଜାବିଟା ଖୋଲୁ ଖୋଲୁ କୁନବାବୁ କହିଲେ–‘‘ବାପା କାହିଁକି ଡକାଇଥିଲେ; ସତେ ଯେପରି ନ ଜାଣିଲାପରି କହୁଛ । ଏସବୁ ଆୟୋଜନ କାହିଁକି କରୁଛ ? ମୁଁ ବାରମ୍ବାର କହୁଛି ବିବାହ କରିବିନି । ସେହି ବିପଦରେ ପୁଣି ପକାଉଛ ମୋତେ ।

 

କୁନ ତୋ ମୁଣ୍ଡ ଖରାପ ହୋଇଗଲାଣି କିରେ ? ପାଗଳଙ୍କ ପରି ଏ ସବୁ କଥା କାହିଁକି କହୁଛୁ ?

 

ନା-ନା-ନା ।

 

କଦାପି ଏ ସବୁ କରେଇ ଦେବିନି ମୁଁ । ଗୋଟାଏ ଜୀବନକୁ ମାଟି ଗୋଡ଼ିଠାରୁ ଆହୁରି ନିହାତି ହେୟ ମନେକରିଛ । ତୁମ ମତରେ କାଠ କିମ୍ବା ପାଷାଣ ମୁଁ ହୋଇଛି । ନା, ମା ! ତା’ ତୁମେ କରନି, ଯଦି ତୁମେ କରିବାକୁ ଯାଅ, ତା’ ହେଲେ ଜୀବନରେ ମୋର ଶାନ୍ତି ନାହିଁ–ସୁଖ ନାହିଁ–କୁନବାବୁ କହିଲେ ।

 

ସ୍ୱପ୍ନମଞ୍ଜରୀଦେବୀ ଦେଖିଲେ ପୁଅର ସେଇ ଗୋଟାଏ କଥା । ଗୋଟାଏ ଜିଦ୍‌ । ଅଟଳ-ଅଚଳ ପରି ରହିଛି । ଚିନ୍ତିତରେ ମଥାରେ ହାତଦେଇ ବସି ପଡ଼ିଲେ ସ୍ୱପ୍ନମଞ୍ଜରୀଦେବୀ ।

 

ବାହାରକୁ ଚାଲିଗଲେ କୁନବାବୁ । ତାଙ୍କ ମୁଖଭଙ୍ଗୀ ଚାଲି ଚଳନରୁ ବୁଝା ପଡ଼ୁଥିଲା ସତେ ଯେପରି ସେ ବାପା ମାଆଙ୍କ ପ୍ରତି ଅତି କଠୋର ହୋଇ ଯାଇଛି ।

 

ପଟ୍ଟନାୟକ ବାବୁଙ୍କୁ ପାଛୋଟି ଦେଇ ଶୀଘ୍ର ଫେରି ପଡ଼ିଲେ ମର୍ଦ୍ଦରାଜ ବାବୁ । ମନଟା ତାଙ୍କର ଖୁବ୍‌ ଆନନ୍ଦ ଥିଲାପରି ଜଣା ପଡ଼ୁଥିଲା । ବଡ଼ଲୋକର ମୋହ, ଧନ ପାଇବାର ପିପାସା ତାଙ୍କ ମନକୁ ପ୍ରବଳ ଖାଦ୍ୟ ଯୋଗାଇଥିଲା । ତା’ ଛଡ଼ା ପଟ୍ଟନାୟକ ବାବୁଙ୍କୁ ତାଙ୍କର ସମକକ୍ଷ ବନ୍ଧୁ ହିସାବରେ ପାଉଛନ୍ତି, ଏ ବି ଗୋଟାଏ ଗର୍ବ ।

 

ସ୍ୱପ୍ନମଞ୍ଜରୀ ଦେବୀ ପଚାରିଲେ–‘‘କ’ଣ ସବୁହେଲା ?’’

 

–ହେବ କ’ଣ ! ସବୁ ଠିକ୍‌ ହୋଇଗଲା । ବୈଶାଖ ବାଇଶ ଦିନରେ ବିଭାଘର ।

 

–ଏହା ଭିତରେ ବିଭାଘର ଦିନବି ସ୍ଥିର କରି ଦେଲଣି ?

 

–ଆଉ କ’ଣ ମନେ ଭାବୁଛ କି ?

 

–ନା ଭାବିବାର କିଛି ନାହିଁ । ତେବେ କୁନର ମତ ନେଉଛତ ?

 

–କ’ଣ କୁନର ମତ ନେବି ? ଏଥିରେ କୁନର ମତ ନେବାର କିଛି ନାହିଁ । ଯାହାର ବାପ ମାଆ, ଅଭିଭାବକ ଅଛନ୍ତି, ତା’ଠାରୁ ଗୋଟାଏ କି ମତ ନିଆଯିବ ? ବଡ଼ ଆଶ୍ଚର୍ଯ୍ୟକଥା କହୁଛ ତ ତୁମେ । ତୁମରି ପାଇଁ ଆଜି କୁନର ଆସ୍ପର୍ଦ୍ଧା ବଢ଼ି ଯାଇଛି । ତା’ର ସର୍ବନାଶର ମୂଳ କାରଣ ତୁମେ । ଏଥିପାଇଁ ତୁମେଇ ଅନେକ କ୍ଷେତ୍ରରେ ଦାୟୀ ।

 

–କ’ଣ ଖାଲି ବକି ଯାଉଛ ମ ? ଟିକେ ଭାବି ଚିନ୍ତି କୁହ,ବି ଦେଖୁଛ ଦୁନିଆଟା କ’ଣ ହେଲାଣି । ଆଖିବୁଜି ଦୁଧ ପିଇଲା ଭଳି କଥା କହୁଛ କେମିତି ? ହେଇ ସେଦିନ କ’ଣ ହୋଇଗଲା ଦେଖିଲ ତ ? ପଦେ ଅଧେ ପଚାରିଛ କି ନାହିଁ, କ’ଣ ଜବାବ ସେ ଦେଲା ? ସାପ ବଢ଼ିଲେ ଚକ୍ର ବଢ଼ୁଛି । କୁନ ପିଲାଟିଏ ନୁହେଁ । ତୁମେ ଏସବୁ କଥାକୁ ବେଖାତିରି କରି, ନିଜ ଇଛାରେ ଯଦି ବିଭାଘର କରି ପକେଇବ, ତେବେ ତୁମେ ତା’ର ଭବିଷ୍ୟତ ଭଲ ମନ୍ଦରେ ଏକମାତ୍ର ଦାୟୀ । ମୋତେ କିଛି ଦେଖାଯାଉନି । ଯେଉଁଠି ଅଶାନ୍ତି ବିରାଜ ମାନ, ଯେଉଁଠି ନାହିଁ ସ୍ନେହଶ୍ରଦ୍ଧା କଣିଚାଏ–ସେଠି ଏ ଉପଦ୍ରବ କାହିଁକି ? ମୋ କଥା ମାନ । କୁନର ବିଭାଘର ବନ୍ଦକର । ପୁଅ ଆମର ବୁଢ଼ା ହୋଇ ଯାଉନି । ଧନ ପାଇବାର ଲାଳସା ରଖି, ବଡ଼ଲୋକ ଘରେ ବନ୍ଧୁତ୍ୱ କରିବା ଆମର ଲୋଡ଼ାନାହିଁ । କିଏ ଶେଷରେ ଅଶାନ୍ତି ଉପଦ୍ରବରେ ଜୀବନକୁ ଘାଣ୍ଟି ଚକଟିବ ଏତେ ।

 

–ଦେଖ ସ୍ୱପ୍ନମଞ୍ଜରୀ । ମୁଁ ଭଦ୍ରଲୋକଙ୍କୁ ଜବାବ୍‌ ଦେଇ ସାରିଲିଣି । ନିଜର ଇଜ୍ଜତ୍‌ ବଞ୍ଚେଇବାକୁ ହେଲେ ଦୁନିଆଁର ଗତି ସହିତ ସମତାଳରେ ଗତି କରିବାକୁ ପଡ଼ିବ । ତା’ ନ ହେଲେ ସମସ୍ତେ ନିନ୍ଦା କରିବେ–ଘୃଣା କରିବେ । ଜବାବ ଯେତେବେଳେ ଦେଇଛି, ନିଶ୍ଚୟ କୁନର ବିଭାଘର ସେଠି କରିବି । ଗୋଟାଏ ପିଲା ସେ, ଜିଦ୍‌ଧରି ବସିଛି, ଜୀବନଟାକୁ ମାଟି କରି ଦେବାପାଇଁ । ଦୁନିଆଁରେ କ’ଣ ଆଉ କେହି ପୁଅ ପାଠ ପଢ଼ି ନାହାନ୍ତି ? ଶିକ୍ଷିତ ହୋଇ ନାହାନ୍ତି ! ଆସି ଷାଠିଏ ବର୍ଷର ବୁଢ଼ା ହେଲିଣି ମୁଁ ଯେଉଁ କଥା ମୋର କାନ ଦିନେ ଶୁଣିନି, ସେହିସବୁ ଅବାନ୍ତର କଥା ଆଜି କୁନ ମୁହଁରୁ ଶୁଣିବାକୁ ମିଳୁଛି ।

 

ଯୁଗର ଗତି ବର୍ତ୍ତମାନ ସେପରି ତ ଆସିନି । ଜାତି, ଗୋତ୍ର, ବିଚାର, ଅବିଚାର, କୌଣସି କଥାରେ ଭେଦାଭେଦ ନରଖି ଆମେ ଚାଲିବା । ମରୀଚିକା ପଛରେ ଧାଇଁଲା ପରି ବୃଥା କୁହୁଡ଼ିରେ ପହଁରୁଛି ସେ କାହିଁକି ?

 

ସେଦିନ ତାକୁ ପଚାରିବାକୁ ଯାଇ ପ୍ରତ୍ୟୁତ୍ତର ପାଇଲି ତା’ଠାରୁ, କେବଳ ଜନ୍ମକଲା ପୁଅବୋଲି କିଛି କହିବାକୁ ଜିଭ ପଲଟିଲା ନାହିଁ । ନୋହିଲେ.... ।

 

ଏହା କ’ଣ ସୁନ୍ଦର କଥା ସ୍ୱପ୍ନମଞ୍ଜରୀ । ଗୋଟାଏ ମୂଲିଆର ଝିଅକୁ ସେ ବିବାହ କରିବାକୁ ଜିଦଧରି, ଜାତି ଗୋତ୍ର, ମାନ ମର୍ଯ୍ୟାଦା ସବୁ ସାରି ଦେବାକୁ ଯାଉଛି । ଦେଖିବି କୁଳାଙ୍ଗାର କେମିତି ସେଠି ବିବାହ କରିବ ।

 

ଯାଉ–ଗାଁଟା ସାରା ପୋଡ଼ି ଭସ୍ମୀଭୂତ ହୋଇଯାଉ । ସୁନାର ସଂସାର ମୋର ଭାଙ୍ଗିରୁଜି ଧୂଳିସାତ ହୋଇଯାଉ–ବଂଶର ମର୍ଯ୍ୟାଦା ବଂଶର ଗୌରବରେ–କଦାପି କଳାଦାଗ ପକାଇବି ନାହିଁ-

 

ଦେଖୁ ଦେଖୁ ମୋ’ରି ବୁକୁସାମନାରେ କି ବିଭତ୍ସ ଲୀଳା ରଚନ ହେବାକୁ ଯାଉଛି । ଆଉ ସହି ପାରିବିନି । ଏ ନିନ୍ଦା ଅପବାଦଠୁ ବଳି ମରଣ ଶ୍ରେୟସ୍କର ସ୍ୱପ୍ନମଞ୍ଜରୀ ।

 

ହଁ, ପ୍ରତିଶୋଧ, ପ୍ରତିଶୋଧ ନେବି ସପନାର । ମୂଲିଆ ପ୍ରଜାଟା ସେ । ତା’ର ଏତେ ସାହସ ! ତା’ର ଏତେ ଦମ୍ଭ ମୋ ସହିତ ହଟଚମଟ କରିବାକୁ ବସିଛି । ପେଟଜ୍ୱାଳା ଯାହାର ଦୈନନ୍ଦିନ ଚିନ୍ତା–ଅନାହାର ଯାହାର ଚିର ସହଚର, ସେ ଗୋଟାଏ ମଣିଷ । ତା’ ସଙ୍ଗରେ ମୋର ହେବ ବନ୍ଧୁତ୍ୱ ? ଯାଉ, ଯାଉ ସେ ଅରକ୍ଷିତ, ଗାଁ ଛାଡ଼ି ଯାଉ । ପଙ୍ଗପାଳଗୁଡ଼ାକ ମୋର ଆଜି ସତ୍ୟାନାଶ କରିବାକୁ ଯାଉଛନ୍ତି । ଆଉ ସହ୍ୟକରି ପାରିବିନି–ନିଶ୍ଚୟ ପ୍ରତିଶୋଧ ନେବି । ସପନାକୁ ବସୁବାସରୁ ବିତାଡ଼ିତ କରିବି ।

 

ରେ ବଇଁଶୀ, ବଇଁଶୀ !! ଶୀଘ୍ର ଆସିଲୁ ।

 

ବଇଁଶୀ ଆସି ପହଞ୍ଚିଲା ।

 

ମର୍ଦ୍ଦରାଜ ବାବୁ ଫଁ ଫଁ ହୋଇ ଗର୍ଜି ଉଠିଲେ ବଇଁଶୀ ଉପରେ । କିରେ; ସପନା କ’ଣ ତୋ ହାତରେ ଜଗନ୍ନାଥ ଧଣ୍ଡା ଦେଇଛି । କ’ଣ ଚୁପ୍‌ ହୋଇ ବସି ରହିଛୁ ? ତାକୁ ଏ ଗାଁ ଛାଡ଼ି ଚାଲି ଯିବାକୁ କହିଥିଲୁ ?

 

–ଆଜ୍ଞା କେତେବାର କହିଛି । କହି କହି ମଧ୍ୟ ହଇରାଣ ହୋଇ ଗଲିଣି । ସେ କ’ଣ ଯିବକି ? ଆମ କୁନବାବୁ ପରା ତାକୁ ସାହସ ଦେଇଛନ୍ତି । ତାକୁ ଗାଁରୁ ଉଠାଇ ଦେବ କିଏ ? କାହାର ସାଧ୍ୟ ଅଛି ? ସେତ ମନେ କଲାଣି, ଏ ଗ୍ରାମର ସେ ଗୋଟାଏ ଜମିଦାର ।

 

–ବଇଁଶୀ ! ଏ ସବୁକଥା ମୋତେ ଆଉ ଶୁଣାନା । ତୁ ଶୀଘ୍ର ଗଲୁ, ତୋ ପଡ଼ାରୁ ଜଗା, ଭୋଳା, ମଦନା, ଏମାନଙ୍କୁ ସାଙ୍ଗରେ ନେଇ ସପନାକୁ ତା’ ଘରୁ ବାହାର କରିଦେ । ଯଦି ସେ ନ ଯାଏ ତା’ର ସେହି କୁଡ଼ିଆକୁ ଭାଙ୍ଗି, ରୁଜି, ନିଆଁ ଲଗେଇ ଛାରଖାର କରିଦେ । ଯେପରି ସେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ବି ନପାଉ–ବାଧ୍ୟହୋଇ ଅଲାଜୁକ ଝିଅକୁ ସାଙ୍ଗରେ ନେଇ ଆପେ ଆପେ ପଳେଇବ । ତେବେ ଯାଇ ମୋର ଶାନ୍ତି । ଯା-ଯା–ବଇଁଶୀ ଶୀଘ୍ର, ଯାଅ ।

 

ବଇଁଶୀ ଚାଲିଗଲା । କ’ଣ କରିବ ? ଅନେକଥର ସପନାକୁ ସେ ବୁଝାଇଛି । ଯେତେହେଲେ ଗୋଟାଏ ଗାଁର ଗୋଟାଏ ପଡ଼ାର ଭାଇ ସେ । ହଠାତ୍‌ ଏପରି ଅତ୍ୟାଚାର କେମିତି କରିବ, ମନ ତାର ବଳିଲା ନାହିଁ । ପୁଣି ଭାବିଲା ଜମିଦାରଙ୍କ କଥା । ଯାହାଙ୍କର ହୁକୁମ୍‌ର ଗୋଲାମ–ତାଙ୍କର ଦାନା ଖାଇ କେମିତି ମଉନ ରହିବ । ନା–ସପନା ରାଗୁ ମୋ ଉପରେ, ଗାଳି ଦେଉ ମୋତେ, ଆଜି ତାକୁ ଗ୍ରାମରୁ ବାହାର କରି ଦେବାକୁ ହେବ । ଏକ ମୁହାଁ ହୋଇ ବଇଁଶୀ ଧାଇଁଲା ତା’ ପଡ଼ାକୁ । ଜଗା, ଭୋଳା, ମଦନାକୁ ଡାକି ଆଣିବ । ଜମିଦାର ମର୍ଦ୍ଦରାଜ ବାବୁଙ୍କ ହୁକୁମ । ସେ ଜାଣିଛି, ଯାହାଙ୍କ ନାମ ଶୁଣିଲେ ଗର୍ଭଣୀ ଗାଈ ବାଟ ଛାଡ଼େ ।

 

ବଇଁଶୀକୁ ଦେଖି ଚମକି ପଡ଼ିଲା ଜଗା । ଏ କ’ଣ ବଇଁଶୀ ଭାଇ ! ତମେ ଗୋଟାପଣ ଧଇଁସଇଁ ହେଉଛ କାହିଁକି ? କଥା କ’ଣ ? ବଇଁଶୀ ଥରିଲା କଣ୍ଠରେ କହିଲା–ଆଉ ବେଳ ନାହିଁ । ଜଗା, ତୁ ଚଞ୍ଚଳ ଆ । ତୋ ହାତ ବାଡ଼ିଟା ଘେନିଆ–ବଡ଼ ବିପଦ ।

 

ମଦନା ଭୋଳା ଯେଉଁଠି ଥିଲେ, ତାଙ୍କ ହାତରେ ବାଡ଼ି ଗୋଟା ଗୋଟା ଧରି ପଦାକୁ ବାହାରି ପଡ଼ିଲେ । ଗାଁ ଗୋଟାକରେ ଚହଳ ପଡ଼ିଗଲା । କାହାରିକୁ ଜଣାନାହିଁ । ସମସ୍ତେ ପରସ୍ପର ପ୍ରତି ଟୁପ୍‌ଟାପ୍‌ ଭୁଟ୍‌ଭାଟ୍‌ ହେଲେ ।

 

ବଇଁଶୀ ଜଗାକୁ ତା’ ମନକଥା ସବୁ କହେ । ଜଗା ତା’ର ଖୁବ୍‌ ବିଶ୍ୱାସୀ । ବଇଁଶୀ କହିଲା–ଦେଖ୍‌ ଜଗା; ଜମିଦାର ମର୍ଦ୍ଦରାଜ ବାବୁ କହିଛନ୍ତି–ମଦନା, ଭୋଳା ତୁମ୍ଭେମାନେ ସମସ୍ତେ ମିଳି ଆଜି ରାତି ଭିତରେ ଯେପରି ହେଉ ସପନାକୁ ଏ ଗ୍ରାମରୁ ବାହାର କରିଦେବ । ଯଦି ସେ କଥାବୋଲରେ ନଯାଏ, ତାକୁ ଦି ଚାରି ବିଧା ଲଗେଇ ଘରୁ ବାହାରକୁ ଟାଣିଆଣି ତା’ ଖଣ୍ଡିଆ ଘରେ ନିଆଁ ଲଗେଇ ଦେବ । ପୋଡ଼ି ଜଳି ପାଉଁଶ ହୋଇଯିବ ତା’ ଘର । ତେଣିକି ସେ ଆପେ ଆପେ ଝିଅକୁ ନେଇ ପଳାଇବ ।

 

ଜଗା ଅବାକ୍‌ ହୋଇଗଲା । ଆଶ୍ଚର୍ଯ୍ୟ ହୋଇ ପୁନରାୟ ବଇଁଶୀକୁ ପଚାରିଲା– କାହିଁକି-? ଏପରି ବିପଦଟା କାହିଁକି ସେ ଗରିବଟାକୁ ଦେବା ? କଥା କ’ଣ ?

 

ଭାରି ଦୟାତ, ଆରେ ଚାଲିବୁତ ଚାଲେ । ଏତେ କଥା ବତେଇ ଦେଲେ, ସବୁ ଭଣ୍ଡୁର ହୋଇଯିବ । ଆପେ ଜାଣି ପାରିବୁଯେ ।

 

ଆସ-ଆସ ମଦନା, ଭୋଳା, ଚଞ୍ଚଳ ଆସ । ବଇଁଶୀ ଡାକରେ ସମସ୍ତେ ସତେଜ ହୋଇ ଉଠିଲେ । ଜଗା ସଂଜରେ ନିଇତି ଅଫିମ ଗୁଳାଏ ଖାଏ । ଖଣ୍ଡିଆ କରାଟଟା ବାହାର କରି ଚାରିଅଣାର ଅଫିମ ଗୁଳାଟା ଢକ୍‌କରି ପୂରାଇଦେଲା ପାଟିରେ । ସିଂହପରି ବଳ ତା’ର କାହୁଁ କାହୁଁ ମାଡ଼ି ଆସିଲା । ବାଡ଼ିଟା ହାତରେ ଧରି ଗର୍ଜ୍ଜନ ଛାଡ଼ି ଛୁଟିଲା ସପନା ଘରଆଡ଼େ । ଭୋଳା ମଦନା, ବଇଁଶୀ ତିନିଜଣ ତା’ ପଛେ ପଛେ ଧାଇଁଲେ ।

 

-ସାତ-

 

ତିନିଦିନ ଧରି ଘରେ ମୁଠିଏ ଚାଉଳ ନାହିଁ । ଖାଡ଼ା ଖାଡ଼ା ନିରାଟ ଉପାସରେ ରତନୀ କଟାଇଛି ଦିନଗୁଡ଼ିକୁ । ଆଜି ଉପାସ ବା ସେ କାହିଁକି ରହି ଥାଆନ୍ତା । ବାପ ଯଦି ତାର, ମୂଲପାତି ଲାଗିବାକୁ ଯାଉଥାନ୍ତା ? ଦେଖୁ ଦେଖୁ ଦିନ ପନ୍ଦରଟା ଗଡ଼ି ଗଲାଣି । ଜରରେ ପଡ଼ିଛି ସପନା । ଘରେ ଯାହା ମୁଣି ମୁଠିକା ଥିଲା, ତାହା ସବୁ ସାଗୁ ବାର୍ଲିରେ ଯାଇଛି । କ’ଣ ସେ କରିବ, ଏମିତି ଉପାସ ଭୋକରେ କେତେଦିନ ସେ କଟାଇବ ? ରୋଗୀ ଘରେ ଶୋଇଛି, ବତୀ ତେଲ ଟୋପାଏ ନାହିଁ । ଶାଗୁ ବାର୍ଲି ଖୋଇବାକୁ ହାତରେ ତାର ଆଉ ପାଣ୍ଠି ନାହିଁ । ମୁହଁ ସଂଜ ହେଲାଣି । ଛିଣ୍ଡା ଲୁଗା ଦିଖଣ୍ଡି ପାରି ଦେଇଛି । ସେଇଥିରେ ସପନା ଗଡ଼ୁଛି, ବାପ ତାର, କେତେ ମିହନ୍ତ କରି ଏଡ଼ୁଟେ କରିଛି । ଆଜି ତାକୁ ଟୋପେ ଶାଗୁ ବାର୍ଲି ଦେଇ ପାରୁନି ସେ । ବାପର ରୋଗ ବିଛଣା ପାଖେ ବସି ରତନୀ କଇଁକଇଁ ହୋଇ କାନ୍ଦୁଛି । ଦିନଗୁଡ଼ାକ ଯେପରି ତାକୁ ଗୋଟା ଗୋଟା ଯୁଗ ପରି ମନେ ହେଉଛି । ବେଳେବେଳେ ବାପ ତାର ଚିତ୍କାର କରି ଉଠୁଛି, ରତନୀ ଚମକି ପଡ଼ୁଛି–ଏକୁଟିଆ ସେ, ଅପରିସୀମ ଭାବନା ଭିତରେ ଥଳକୂଳ ପାଉ ନାହିଁ ।

 

ହଠାତ୍‌ ବାହାରେ କ’ଣ ଗୋଟାଏ ଶବ୍ଦ ଶୁଣିବାକୁ ପାଇଲା ରତନୀ । କିଛି ଠଉରେଇ ପାରିଲା ନାଇଁ ସେ । ସତକୁସତ ସେଇ ଶବ୍ଦ ଯେପରି ଖୁବ୍‌ ନିକଟ ହୋଇ ଆସିଲା । କିନ୍ତୁ ସମୟ ପରେ ସେଇ ଅନ୍ଧାର ଘର ଭିତରକୁ ଆସିଲେ ଚାରିଜଣ ଭେଣ୍ଡିଆ । ସେମାନଙ୍କୁ ଦେଖି ଚମକି ପଡ଼ିଲା ରତନୀ । ଚେତନା ତାର ହଜିଗଲା ।

 

ଏ କ’ଣ ? ଏ କ’ଣ ?

 

କହି ଚିତ୍କାର କରି ଉଠିଲା ସେ । ସପନା ଜରର ପ୍ରକୋପରେ ଡାକ ଛାଡ଼ିଲା–

 

ରତନୀ ଟୋପେ ପାଣି ! ମାଆ–ଟୋପେ ପାଣି । କଣ୍ଠ ମୋର ଶୁଖିଗଲା । ମରିଗଲି ।

 

ଅଶୁଭ ସୂଚନା ଦେଇ ବାରି ବାଆଁଶ ବଣରୁ ପେଚାଟାଏ ରଡ଼ି ଛାଡ଼ିଲା ।

 

ବିପଦ ଯେତେବେଳେ ଆସେ, ସେତେବେଳେ ମଣିଷକୁ ସବୁ ହରେଇବାକୁ ପଡ଼େ ।

 

ଗର୍ଜି ଉଠିଲା ବଇଁଶୀ ।

 

ସମ ସ୍ୱରରେ ଜଗା, ଭୋଳା, ମଦନା ମଧ୍ୟ ଗର୍ଜି ଉଠିଲେ । ରତନୀ ବୁଝି ପାରିଲାନି ଏସବୁର କାରଣ ।

 

ପୁଣି ସେହି ଭେଣ୍ଡିଆ କହି ଉଠିଲେ–କିବେ ରତନୀ, ଏ ଘର ଛାଡ଼ି ଯିବୁ, ନାଁ ବାପକୁ ଶୋଇ ପକେଇ ପେଖନା କରିବୁ ? ଯାଉଛୁ ? ଯା’ ଚଞ୍ଚଳ ଯା । ଏଡ଼େ ବଡ଼ ସାହସ ତୋର । ଦେଖ୍‌ତ ଏ ଟୋକିଟାକୁ । ଆମ ଜମିଦାର ବାବୁଙ୍କ ସୁନାର ସଂସାରଟାକୁ ଛାରଖାର କରି ଦେଲାଣି । ରୂପ ଦେଖାଉଛି । କଲିକତା ଚାଲିଯା...ରୂପର ମୋହ, ରୂପର ଗୌରବ, ସେଇଠି ଦେଖାଇବୁ । ରସିକ ଜୁଟିବେ ।

 

ଆଖି ଖୋଲି ଦେଖିଲା ରତନୀ, ବଇଁଶୀ ଗର୍ଜନ ଛାଡ଼ି, ଏ ସବୁ ଧମକ ଦେଉଛି । ତା’ ପାଖରେ ଗାଁର ଦି’ ଚାରି ଜଣ ସବଳ ସବଳ ଭେଣ୍ଡିଆ ଛିଡ଼ା ହୋଇଛନ୍ତି । ବାଡ଼ିଟାମାନ ହାତରେ ତାଙ୍କର ରହିଛି । ରତନୀର ଡରୁଆ ଛାତିରେ ସାହସ ଟିକେ ହେଲା । ଯେତେହେଲେ ଗ୍ରାମର ଚିହ୍ନା ଲୋକତ ! ବଇଁଶୀକୁ ହାତଯୋଡ଼ି କହିଲା–ବଇଁଶୀ ଦାଦା ! ତୋ’ ଗୋଡ଼ ଧରୁଛି–ମୋ ବାପ ଜରୁଆ ମଣିଷ–ପନ୍ଦର ଦିନ ହେଲାଣି ବିଛଣାରେ ପଡ଼ିଛି, ଟୋପେ ପାଣି ତା’ ପାଟିକି ଯାଇନି–କେଉଁଠିକି ତାକୁ ନେବି, ଏ ବିପଦରେ କେଉଁଠି ତାକୁ ରଖିବି ? କିଏ ମୋର ସାହା ହେବ ? ଯଦି ତମର ଇଛା ହେଉଛି, ଦିଅ ମାରିଦିଅ । ଜୀବନରେ ଆମକୁ ମାରିଦିଅ । ଏ ଦୁନିଆଁର କଳଙ୍କ ମୁଣ୍ଡେଇବାକୁ ଅବସର ଆଉ ଦିଅନା ।

 

କଣ୍ଠ ତାର ଶୁଖିଗଲା । ଆଉ କିଛି କହିପାରିଲାନି ରତନୀ ନିଶା ସାଇଁ ସାଇଁ ହୋଇ ଗର୍ଜୁଛି ।

 

କରାଳ ମୂର୍ତ୍ତିପରି ବଇଁଶୀ ଆଖି ଯୋଡ଼ାକ ଦେଖାଇଲା ରତନୀକୁ । ଆଉ କେତେଦିନ ଅପେକ୍ଷା କରାଯିବ । କାଲିକୁ କହି ମାସ ଗୋଟାଏ କଟାଇଲାଣି ତୋ ବାପ । ନା...ଆଉ ଶୁଣାଯିବ ନାହିଁ । ଜମିଦାର ବାବୁଙ୍କର ହୁକୁମ ମାନିବାକୁ ହିଁ ହେବ ।

 

ଜଗା, ମଦନା, ଆଉ ଡେରି କରନା, ଦେଖିଲା କାମ କର ।

 

ସବୁ ଚେଷ୍ଟା ବିଫଳ ହେଲା ରତନୀର ।

 

ଚାହୁଁ ଚାହୁଁ ଭେଣ୍ଡିଆ କେତେଟା ସପନାର କେତେକାଳର ଆସବାବ ପତ୍ର ଭାଙ୍ଗି ରୁଜି ବାହାରକୁ ଫୋପାଡ଼ି ଦେଲେ । ରତନୀ ଆଖିରୁ ଲୁହ ଢାଳିବା ବୃଥାହେଲା ।

 

ଦେଖୁ ଦେଖୁ ଘରେ ନିଆଁ ଲଗେଇ ଦେଲେ । ଚମକି ପଡ଼ିଲା ରତନୀ । ବୁଦ୍ଧି ତା’ର ହଜିଗଲା । ଘର ଭିତରୁ କେମିତି ସେ ବାହାରକୁ ଯିବ । ଉପାୟ ତାକୁ ଦେଖା ଗଲାନି । ଚାହୁଁ ଚାହୁଁ ଘର ଗୋଟାକ ଜଳି ଉଠିଲା ।

 

ବିଚରା ଗରିବ ସପନାର ଘର ଜଳି ଯାଉଛି ବୋଲି କେହି ଟିକେ ଆହା କଲେନି । ଗରିବ ପାଇଁ କିଏ ବା ଦରଦ ପ୍ରକାଶ କରିବ ?

 

ଘୋଷାରି ହୋଇ ଅଧେ ପୋଡ଼ିଜଳି ବାପ ଝିଅ ଦୁହେଁ ବାହାରକୁ ଆସିଲେ । ବିପଦରେ କେହି ଟିକେ ହେଲେ ମୁଣ୍ଡ ପାତିଲେ ନାହିଁ ।

 

ବଇଁଶୀ, ଜଗା ଭୋଳା, ମଦନା ସେହି ଅନ୍ଧାର ରାତିରେ କେଉଁଆଡ଼େ ମିଶିଗଲେ ।

 

ଜମିଦାର ବାବୁଙ୍କ ଉଦ୍ଦେଶ୍ୟ ସଫଳ ହେଲା । ସେହି ଘନ ଅନ୍ଧାର ରାତିକୁ କରୁଣ ମୂର୍ଚ୍ଛନା ଦେଇ ଗୋଟିଏ ଅସହାୟା ନାରୀ ମୂର୍ତ୍ତିର କ୍ରନ୍ଦନ ରୋଳ ଭାସି ଉଠିଲା ।

 

-ଆଠ-

 

କେଉଁଆଡ଼େ ଯିବ ? କେଉଁଠି ସେ ରହିବ ?

 

ବିକଳ କଣ୍ଠରେ କାନ୍ଦି ଉଠିଲା ରତନୀ । ଦିନ ହୋଇଥିଲେ ଯାହା କିଛି ସେ କରନ୍ତା, ଅନ୍ଧାର ରାତି ମୁହଁକୁ ମୁହଁ ଦିଶୁନି । ଅସହାୟା କାହାକୁ ଆଶ୍ରୟ ମାଗିବ ?

 

ଥରେ ବାପକୁ ଚାହିଁଦେଲା ସେ । ଏ କ’ଣ ଦେହ ହାତ ଯେ ପୋଡ଼ି ଫୋଟକା ହୋଇ ଯାଇଛି । ହାୟରେ ଭଗବାନ ! ପୁଣି ଜର ଖଇ ଫୁଟୁଛି । ଟିକିଏ ହେଲେ କମିନି । ଅବସ୍ଥାକୁ ଲକ୍ଷ୍ୟକରି ଧୈର୍ଯ୍ୟ ରହିଲାନି ରତନୀର ।

 

ତାହାର ଦୁଃଖ କେହି ହେଲେ ଟିକେ ବୁଝିଲେନି । ଗାଁର ଶେଷ ସୀମାରେ ମଶାଣି । ଯେଉଁଠି ଶହଶହ ମଲା ମଣିଷର ହାଡ଼ଗୁଡ଼ାକ ଗଡ଼ୁଛି । ଯେଉଁଠି କୁକୁର ଶିଆଳଗୁଡ଼ାକ ଚିତ୍କାର କରୁଛନ୍ତି । ସେଇଠି ରତନୀ, ଜରୁଆ ବାପକୁ ତା’ର ନେଇ ଆଶ୍ରୟ ପାତିବାକୁ ଗଲା । ଏଠିତ ଜମିଦାର ବାବୁଙ୍କର କହିବାର ଅଧିକାର କିଛି ନାହିଁ ? ହେଉ ମଶାଣି ହେଉ । ଏଇଠି ପଡ଼ି ରହିବ । ରାତି ପାହିଲେ ଯାହାହେବ ।

 

ତାହାହିଁ କଲା ରତନୀ । ମଶାଣିର ଶେଷ ସୀମାକୁ ଗୋଟାଏ ଗଛ । କି ଗଛ କେଜାଣି । ବହୁ କାଳରୁ ହେବ ସେ ଗଛଟା ରହିଛି । ତାହାରି ମୂଳରେ ଆଶ୍ରୟ ନେଲା ରତନୀ ।

 

ଏତେ ଦୁଃଖ, ଏତେ ବିପଦକୁ ମୁଣ୍ଡେଇ ଦୁନିଆଁରେ ଆଉ ଚଳିବାକୁ ସାହସ ହେଲାନି ତାହାର । ନାନା କଥା ଭାବିବାକୁ ସେ ଲାଗିଲା । କୁନବାବୁ ସେଦିନ ବୁକୁରେ ତାର ସାହସ ଭରିଦେଇ ଥିଲେ ମୁଁ ଅଛି, ଭୟନାହିଁ ତୋର ରତନୀ । ଜୀବନର ସାଥୀ ରୂପରେ ତୋତେ ମୁଁ ବରି ନେଇଛି । ତୁ ମୋର ସୁଖ ଦୁଃଖର ସାଥୀ । କାହିଁ ଏତେ ବିପଦରେ ସେତ ଟିକିଏ ହେଲେ ଆସିଲେ ନାହିଁ । ଟିକିଏ ହେଲେ ବିପଦରୁ ଉଦ୍ଧାରିଲେ ନାହିଁ ? ବଡ଼ଲୋକ । ଯାହାଙ୍କ ଜୀବନରେ ସବୁକଥା ସମ୍ଭବ ହୋଇପାରେ ତାଙ୍କର ପୁଣି ନୀରବତା ।

 

ଆଖି ଓଦା ହୋଇଗଲା ଲୁହରେ ସପନାର । ଏତେ ଦୁଃଖ ଏତେ କଷ୍ଟ ଭିତରେ ଝିଅର ପିଠିରେ ହାତ ବୁଲାଇ ସପନା ଥରିଲା କଣ୍ଠରେ କହିଲା–ମା’ ମୁଁ ଏଇଠି ପଡ଼ି ମରିଯାଏଁ ତୋ’ ଦୁଃଖ ଦେଖି ଧୈର୍ଯ୍ୟ ଧରି ରହି ପାରିବି ନାହିଁ । ଆଉ ସପନା କିଛି କହି ପାରିଲାନି । ଶୁଖିଲା ଆଖିରୁ ତା’ର ଲୁହ ଟୋପାଏ ଗଡ଼ି ପଡ଼ିଲା ।

 

ରତନୀ ସାନ୍ତ୍ୱନା ଦେଲା ।

 

ବ୍ୟସ୍ତ ହୁଅନା ବାପା । ତୁମେ ଯେ ଜରୁଆ ମଣିଷ । ଆଖି ବୁଜି ଶୋଇପଡ଼ ।

 

ରାତ୍ରି ପ୍ରାୟ ଶେଷ ହୋଇ ଆସିଲାଣି । ରତନୀ ଆଖିରେ ଛାଇ ନିଦ ଟିକେ ତା’ର କାଉଁରୀ ପରଶ ବୋଳି ଦେବାକୁ ଯାଉଛି ।

 

ମଶାଣିଟା ଆଲୋକରେ ହସିଉଠିଲା । ହଠାତ୍‌ ଚମକି ପଡ଼ିଲା ରତନୀ । ଆଖିମଳି ଥରେ ଚାହିଁଦେଲା ଆଗକୁ । ଯାହା ଦେଖିଲା; ଠିକ୍‌ କରିପାରିଲାନି ସେ କ’ଣ ? ପୁଣି କାହିଁକି ଲୋକ ଗହଳି ? ପୁଣି କ’ଣ ଜମିଦାର ବାବୁ ଏଠାରୁ ଉଠାଇ ଦେବେ ତାକୁ ? ଚିନ୍ତାରେ ଘାଣ୍ଟିହେଲା ମନ ତାର । ସେହି ଲୋକ ଗହଳି ଭିତରୁ କିଏ ଜଣେ ଆଗେଇ ଆସିଲା ତା ନିକଟକୁ ।

 

ଏ କ’ଣ ? ଏ ଯେ କୁନବାବୁ । ବୁକୁରେ ତା’ର ସାହସ ଖେଳିଗଲା । ପରକ୍ଷଣରେ ଅଭିମାନଭରା ଅନ୍ତର ତା’ର ଗୁମୁରି ଉଠିଲା । ସତେ ଯେପରି କୁନବାବୁଙ୍କ ଆସିବା ଜାଣେନି ସେ । ମୁଁହ ତଳକୁ ପୋତି ରତନୀ ବସି ରହିଲା ।

 

କୁନବାବୁ କହିଲେ ରତନୀ, ମୋ ଉପରେ ରାଗିଛୁ ନିଶ୍ଚୟ । କ’ଣ କରିବି । ଈଶ୍ୱରଙ୍କ ହାତରେ କଥା । ଗୋଟାଏ ଖୁବ୍‌ ଜରୁରୀ କାମରେ ବାହାରି ଯାଇଥିଲି କାଲିରେ କଟକ । ଆଜି ରାତିରେ ଘରେ ପହଞ୍ଚି ହଠାତ୍‌ ଶୁଣିବାକୁ ପାଇଲି, ତମଘରେ ନିଆଁ ଲଗେଇ ଦିଆଯାଇଛି । ତମୁକୁ ଅତ୍ୟାଚାର କରାଯାଇଛି । ଦେହ ମୋର ଥରି ଉଠିଲା । ଧୈର୍ଯ୍ୟ ଧରି ରହିପାରିଲିନି, ଅଖିଆ ଅପିଆ ତମରି ଭସ୍ମୀଭୂତ କୁଡ଼ିଆକୁ ଥରେ ଦେଖିବାକୁ ଧାଇଁ ଆସିଲି । ତମକୁ ଆଗେ ଖୋଜିଲି, କୌଣସି ସନ୍ଧାନ ମିଳିଲାନି । ଦୁଃଖରେ ଛାତି ମୋର ବିଦୀର୍ଣ୍ଣ ହୋଇଗଲା ।

 

କେଉଁ ଅତ୍ୟାଚାରୀ ଏପରି କରିଛି । ତା’ର ସନ୍ଧାନ ନେବାକୁ ମନରେ କେତେଆଡ଼ୁ କେତେ ଚିନ୍ତା ଖେଳିଗଲା । ପୁଣି ଭାବିଲି ଏହାର ମୂଳ କାରଣ ନିଶ୍ଚୟ ଖୋଜି ବାହାର କରିବି । ଆଗେ ତୁମ୍ଭର ସନ୍ଧାନ ନିଏ । ତୁମର ସନ୍ଧାନ ପାଇ ଆଜି ଛୁଟି ଆସିଛି ମୁଁ । ଆଉ ଅବସର ନାହିଁ ରତନୀ । ଉଠିପଡ଼୍‌, ବାପାଯେ ତୋର ଜରରେ କଷ୍ଟ ଭୋଗୁଛନ୍ତି । ତାଙ୍କ ସେବା ଶୁଶ୍ରୂଷା କରିବାକୁ ହେବ । ମଶାଣିଟା, ଏଠାରେ କ’ଣ ତୋର ରହିବାର ସ୍ଥାନ ? ଛିଃ ପାଗଳୀ । ଚାଲ ମୋ ସଙ୍ଗରେ । ଏ କ’ଣ ? ତୁ ଯେ କାନ୍ଦୁଛୁ । କାନ୍ଦନା ରତନୀ । ତୋର ଆଖିରେ ଲୁହ ଦେଖିଲେ ମୋ ଅନ୍ତର କାନ୍ଦି ଉଠୁଛି ।

 

ରତନୀ ଆଉ ଧୈର୍ଯ୍ୟ ଧରି ରହି ପାରିଲାନି । କୁନବାବୁଙ୍କ ମୁହଁକୁ ଥରେ ଚାହିଁଲା ସେ । ତା’ ଚାହାଣି ଭିତରେ ଯେପରିକି; ସନ୍ଦେହ ଜମାଟ ବାନ୍ଧି ରହିଛି ।

 

କୁନବାବୁ ବୁଝିଲେ ରତନୀ ଅଭିମାନ କରିଛି । ତାର ପେଲବ ଗଣ୍ଡ ଆଉଁସି ଦେଉ ଦେଉ କୁନବାବୁ ରତନୀ ମୁହଁକୁ ଅନାଇ ଦେଲେ । ପୂର୍ବ ଶୋଭା ଶିରୀ ମଉଳି ଯାଇଛି ତାର । ଭୋକ ଉପାସରେ ଦେହର ମାଂସ ମିଳାଇ ଯିବାକୁ ବସିଲାଣି । ଏସବୁ ଦେଖି କୁନବାବୁ ଆଉ କାଳ ବିଳମ୍ବ ନକରି ରତନୀ ହାତଧରି ଉଠାଇଲେ ।

 

ଉଠିଲା ରତନୀ । ସତେ ଯେପରି ଚାଲିବାରେ ତାର ବୁକୁରେ ସାହସ ନାହିଁ ବଳନାହିଁ ।

 

କୁନବାବୁ ଦୁଇଟି ଅସହାୟଙ୍କୁ ସଙ୍ଗରେ ଘେନି ତାଙ୍କ ଲକ୍ଷ୍ୟସ୍ଥଳକୁ ଚାଲିଲେ ।

 

-ନଅ-

 

ନିଦରୁ ଉଠି–

 

ହଠାତ୍‌ ଚମକି ପଡ଼ିଲା ରତନୀ । ଏ କ’ଣ ! ସେ ଆଜି କେଉଁଠି ଶୋଇଛି ? କାହାର ଏ ଘର ? କିଛି ସେ ଠଉରାଇ ପାରୁନାହିଁ । ସୁନ୍ଦର ସୁସଜ୍ଜିତ କୋଠା ଘରଟି । ଦିଆଲରେ ମନ ମୁଗ୍‌ଧକର ଛବିଗୁଡ଼ିଏ ଟଙ୍ଗା ହୋଇଛି । ଶଙ୍ଖମଲ ପଥର ଲଗା ଚଟାଣଟା ଚିକ୍‌ଚିକ୍‌ କରୁଛି । ସତେ ଯେପରି କଳ୍ପନା ଭବନ । କିଛି ସେ ବୁଝି ପାରୁନି । ଭାବୁଛି, ଯେପରି ସେ ନବଜନ୍ମ ପାଇଛି ।

 

କୁନବାବୁ ଗୋଟିଏ ଚେୟାରରେ ଆସୀନ ।

 

ରତନୀ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ କ’ଣ ସ୍ୱପ୍ନ ଦେଖୁଛି ? କାହିଁ ତାର ସେହି ଝାଟିମାଟି କୁଡ଼ିଆ ଘର ? ଭଙ୍ଗାରୁଜା ଆସବାବ ପତ୍ର ? ସବୁ ଯେପରି ତା’ ଆଖି ଆଗରୁ କେଉଁଆଡ଼େ ଲୁଚି ଗଲାଣି ।

 

ଚକିତ ହୋଇ ପଚାରିଲା କୁନବାବୁଙ୍କୁ

 

–ଏ କାହାଘରେ ମୁଁ ଶୋଇଛି ? କିଏ ମୋତେ ଏଠାକୁ ଆଣିଛି ? ସତକରି କୁହ ମୋ ବାପା କାହିଁ କୁନବାବୁ । ତାକୁ ଜର ହୋଇଥିଲା । ପନ୍ଦରଦିନ ଧରି କିଛି ସେ ଖାଇନାହିଁ–କେଉଁଠି ଅଛି ? ମୁଁ ତା ନିକଟକୁ ଯିବି । ମୋତେ ବାଟ ଦେଖାଇ ଦିଅ । କହୁଁ କହୁଁ ରତନୀ ଭୋ ଭୋ କାନ୍ଦି ଉଠିଲା ।

 

ଆରେ, ଭୂତ ଗୋଟାଏ ପାଗଳୀ ମୁଁ ଦେଖୁଛି । ଏପରି ବ୍ୟସ୍ତ କାହିଁକି ହେଉଛୁ ରତନୀ ? ଏହା ଭିତରେ କ’ଣ ତୋର ମୁଣ୍ଡ ଖରାପ ହୋଇ ଗଲାଣି ? ଘଟଣା ସବୁ ଏତେ ଚଞ୍ଚଳ ଭୁଲି ଗଲୁଣି-? ସେଦିନ ତମ ଘର ଜଳିପୋଡ଼ି ଭସ୍ମୀଭୂତ ହୋଇଗଲା । ତମେ ବାପ ଝିଅ ଦି’ଜଣ ଆଶ୍ରୟ ନେଇଥିଲ ଗ୍ରାମ ଶେଷସୀମା ସେହି ମଶାଣିର ଗଛ ମୂଳରେ । ତା’ ପରେ ତମକୁ ମୁଁ ନେଇ ଆସିଛି କଟକ । ବାପା ତୋର ବର୍ତ୍ତମାନ ହସପାତାଳରେ ।

 

ରତନୀର ସବୁକଥା ମନେ ପଡ଼ିଲା । ଜରୁଆ ବାପକୁ ଦେଖିବା ପାଇଁ ପ୍ରାଣଟା ଡହଳ ବିକଳ ହେଲା ତାର ।

 

କେତେ ଅନୁନୟ ବିନୟ କରି କୁନବାବୁଙ୍କୁ କହିଲା, ବାପାକୁ ଟିକେ ଦେଖି ଆସିବା ଚାଲ । ସତେ କ’ଣ ସେ ଭଲ ହୋଇ ଗଲାଣି ?

 

କୁନବାବୁ ରତନୀର ମନ ପରିବର୍ତ୍ତନ ପାଇଁ ତାକୁ ସଙ୍ଗରେ ଧରି ମେଡ଼ିକେଲ ହସପାତାଳକୁ ବାହାରି ପଡ଼ିଲେ ।

 

ଅଳ୍ପ ସମୟପରେ କୁନବାବୁ, ରତନୀ ଦୁହେଁ ଗାଡ଼ିରୁ ଓହ୍ଲେଇ ପଡ଼ିଲେ । ସହରରେ ଚଳିବା ରତନୀ ପକ୍ଷରେ ଏଇ ସର୍ବପ୍ରଥମ । ରତନୀ ଦେଖିଲା କୋଠା । ତା’ର ଚାରି ପାଖରେ ଗାଡ଼ିଘୋଡ଼ା ଜନଗହଳି–ଡର ଲାଗିଲା ତାକୁ ।

 

କୁନବାବୁ ରତନୀର ହାତ ଧରି କହିଲେ

 

–ଡର ଲାଗୁଛି କି ରତନୀ ? ଆଚ୍ଛା ମୁଁ ତୋ ହାତ ଧରିଛି, ମୋ ସଙ୍ଗରେ ଚାଲିଆ ।

 

ବାଇଶ ନମ୍ୱର ସିଟ୍‌ ପାଖକୁ ଆଗେଇଲେ ଦୁଇଜଣ ।

 

ସପନାର ରୋଗ କାଲିଠାରୁ ବିଶେଷ ବଢ଼ି ଯାଇଛି, ଅବସ୍ଥା ଅତି ସାଙ୍ଘାତିକ ବୋଲି ନର୍ସ କହିଲା ।

 

ରତନୀ ଛଟ୍‌କରି ଚମକି ପଡ଼ିଲା ।

 

ଭାବିଲା–

 

ବାପା ତାର କଣ ଆଉ ବଞ୍ଚିବ ନାହିଁ ?

 

ଭୀଷଣ ଜର ସପନାକୁ ଜ୍ଞାନଶୂନ୍ୟ ଅବସ୍ଥାରେ ପଡ଼ି ରହିଛି ସେ ।

 

ଆଗପରି ଆଖି ଖୋଲି ଚାହୁଁନାହିଁ । ଆଶାନାହିଁ ବୋଲି ହଠାତ୍‌ ତାଙ୍କ ପାଟିରୁ ବାହାରି ପଡ଼ିଲା । ତାଙ୍କ ହାତରେ ଥିବା ଫଳ କେତେଟା ତଳେ ବିଞ୍ଚି ହୋଇ ପଡ଼ିଗଲା ।

 

ରତନୀ ଭୋ କରି କାନ୍ଦି ଉଠିଲା ।

 

ଅନ୍ୟରୁମ୍‌ରୁ ନର୍ସ ଡାକ୍ତର ଧାଇଁ ଆସିଲେ । ହସପାତାଳରେ ଏପରି ଚିତ୍କାରକରିବା ଅନୁଚିତ । ସୁତରାଂ ତୁମେ ଶୀଘ୍ର ଏଠାରୁ ଚାଲିଯାଅ କହି ଡାକ୍ତରବାବୁ ଟେଥିସ୍‌କୋପଟା ପକାଇ ସପନାର ଅଙ୍ଗପ୍ରତ୍ୟଙ୍ଗ ଥରେ ଦେଖିଗଲେ । କ’ଣ ବୁଝିଲେ କେଜାଣି, କହିଲେ–

 

ରୋଗୀର ହୃତ୍‌ଚାଳନା ବନ୍ଦ ହୋଇ ଯାଇଛି । ବୋଧହୁଏ ମୃତ ।

 

ସଙ୍ଗେ ସଙ୍ଗେ ଦୁଇଜଣ କଳାପ୍ୟାଣ୍ଟ ସାର୍ଟ ପିନ୍ଧା ଯୁବକ ଧାଇଁ ଆସିଲେ । ସିଟ୍‌ରୁ ସପନାର ମଲା ଦେହଟାକୁ ବାହାର କରିଆଣି ଗୋଟାଏ ଅନ୍ୟ ରୁମ୍‌କୁ ଘେନିଗଲେ ।

 

ଏ ସବୁ ଦେଖି କାଠ ପାଲଟିଗଲା ରତନୀ ।

 

ସପନା ଏ ପୁରରୁ ଚାଲିଗଲା ଜୀବନର ସବୁ ମାୟାମମତା ତୁଟାଇ ।

 

ବାପାକୁ ହରାଇ ବ୍ୟଥିତ ହେଲା ଅନ୍ତର ତାର । ଦୁନିଆଁରେ ଯେ ତାର ଅତି ଆପଣାର ସେ ଚାଲିଗଲା । ଆଖିରୁ ଅନବରତ ଧାରାଶ୍ରାବଣ ପରି ଝରି ପଡ଼ିଲା ଲୋତକ । କାହାକୁ ଆଉ ମନକଥା କହିବ ?

 


ଆତ୍ମୀୟସ୍ୱଜନଙ୍କ ମୃତ୍ୟୁରେ ଦୁଃଖିତ ହୋଇଥାନ୍ତି ସମସ୍ତେ–କାନ୍ଦିଥାନ୍ତି ସମସ୍ତେ । ମାତ୍ର ଏପରି କାନ୍ଦିଥାନ୍ତି ଖୁବ୍‌ ଅଳ୍ପ ଲୋକ ।

 

କୁନବାବୁ ରତନୀକୁ ବୁଝେଇ ସୁଝେଇ ହସପାତାଳର ହତା ବାହାରକୁ ଘେନି ଆସିଲେ ।

 

ଦୁଃଖରେ ଜୀବନଟା ଦହଜି ହେଲା ରତନୀର । ପିଲାଟି ଦିନରୁ ମାଆକୁ ହରାଇ, ମା’ ବଦଳରେ ବାପର ସ୍ନେହରେ ସେ ବଢ଼ି ଆସିଥିଲା । ଆଜି ସେ ଅସହାୟା–ତା’ର ଆପଣାର ବୋଲି କେହି ନାହିଁ ।

 

କାଳେ ରତନୀ ଏହି ଚିନ୍ତାରେ ଅଧୈର୍ଯ୍ୟ ହୋଇ ପଡ଼ିବ, ଆଉ କାଳବିଳମ୍ୱ ନକରି କୁନବାବୁ ତାକୁ ସଙ୍ଗରେ ଘେନି ବସାକୁ ଫେରିଲେ ।

 

ଅଳ୍ପ ସମୟପରେ ରତନୀକୁ ଧରି ବସାରେ ପହଞ୍ଚିଲେ କୁନବାବୁ । ସପନାର ମୃତ୍ୟୁରେ ଦୁହିଁଙ୍କର ମନ ଭାଙ୍ଗି ପଡ଼ିଛି । ଭଗବାନଙ୍କ ବିଚାର ଭିନ୍ନ ପ୍ରକାର ।

 

ଧୈର୍ଯ୍ୟ ସହକାରେ କୁନବାବୁ ରତନୀକୁ କହିଲେ–

 

ଦେଖ୍‌ ରତନୀ, ଚିନ୍ତା କରିବାର ବେଳ ଏ ନୁହେଁ । ବାପା ଚାଲିଗଲେ । ଭାବୁଛୁ, ଏତେ ଦୁଃଖ ବିପଦ ସହିଥିଲେ, ତଥାପି ତାଙ୍କୁ ଈଶ୍ୱର ବଞ୍ଚାଇ ପାରିଲେ ନାହିଁ । ଏ’ତ ଦୁନିଆର ଧରାବନ୍ଧା କଥା । ସମସ୍ତେ ଏ ପୃଥିବୀକୁ ଅତିଥି ଭଳି ଆସି ଥାଆନ୍ତି । ସମୟ ଯାହାର ଯେତେବେଳେ ଶେଷ ହୋଇଯାଏ, ସେ ସେତେବେଳେ ତାର ନିର୍ଦ୍ଦିଷ୍ଟ ସ୍ଥାନକୁ ଚାଲିଯାଏ । କେହି କାହାପାଇଁ ଅପେକ୍ଷା କରେନା । ଦୁନିଆଁଟା ଯେମିତି ଥାଏ ସେମିତି । କେବଳ ଗୋଟାଏ ମୋହ । ଗୋଟାଏ ଆକର୍ଷଣ ବଳରେ ମଣିଷ ଅସ୍ଥାୟୀ ହୋଇ ସୁଦ୍ଧା ପୃଥିବୀକୁ ଦୁଇଦିନ ପାଇଁ ଜୀବନ୍ତ କରି ତୋଳେ ।

 

ଏଇ ତାର ଆନନ୍ଦ-ଏଇ ତାର ଶାନ୍ତି ।

 

ଏଥିରେ ବ୍ୟଥିତ ହେବାର କିଛି କାରଣ ନାହିଁ ରତନୀ ।

 

ରତନୀ ସବୁ ଜାଣେ-ତଥାପି ମନଟା ତାର ଅମାନିଆ ଧରିଛି ।

 

କୁନବାବୁ ବିଶେଷ ବିଳମ୍ୱ ନକରି ସପନାର ଶବସଂସ୍କାର କରିବା ଆୟୋଜନରେ ବାହାରି ପଡ଼ିଲେ, ଏବଂ ରତନୀକୁ କହିଗଲେ ତୁ ବସାରେ ବସିଥିବୁ ।

 

ରତନୀ ଦୁଃଖଭରା କଣ୍ଠରେ ହଁ ଟିଏ କଲା ।

 

ସଙ୍ଗରେ ନିତାନ୍ତ ଆଉ ଜଣେ ଦି’ଜଣ ଦରକାର । ମନେ ପଡ଼ିଲା, ତାଙ୍କର ବହୁ ଦିନର ଜଣେ ବନ୍ଧୁଙ୍କ କଥା ।

 

ତାଙ୍କ ସହଯୋଗ ବ୍ୟତୀତ ସେ କିଛି କରି ପାରିବେ ନାହିଁ ବୋଲି ଭାବିଲେ । ପୁଣି ଗୋଟାଏ ଚିନ୍ତା ତାଙ୍କ ମୁଣ୍ଡରେ ଖେଳିଲା–

 

ହୁଏତ ସେ ତାଙ୍କୁ ଚିହ୍ନି ପାରିବେ କି ନାହିଁ ?

 

ସେତ ଅନେକ ଦିନର କଥା–ଯେତେବେଳେ କୁନବାବୁ ରେଭନ୍‌ସା କଲେଜରେ ଫାଷ୍ଟ ଇଅର ଛାତ୍ର, ସେତେବେଳେ ସେ ତାଙ୍କର ପଢ଼ାସାଥୀ । ତାଙ୍କରି ଘରେ ଖିଆପିଆ ଆଳାପ ଆଲୋଚନା ବହୁତ ସେ କରନ୍ତି ।

 

ତାଙ୍କ ଘରକୁ ଯିବାପାଇଁ ଗୋଟାଏ ସାଇକେଲ ରିକ୍‌ସା ଡାକିଲେ ।

 

ରିକ୍‌ସା ଚାଳକ ଆସି ପହଞ୍ଚିଗଲା । ତା ସହିତ ଭଡ଼ା ଠିକ୍‌ କରିବା ସମୟରେ, କିଏ ଜଣେ ତାଙ୍କ ପଛପଟରୁ ଆସି ଆଖି ଯୋଡ଼ାକ ବୁଜି ଧରିଲା । କୁନବାବୁ କିଛି ଧାରଣା କରିପାରିଲେ ନାହିଁ । ‘‘କିଏ ଆପଣ’’ କହି, ତାଙ୍କ ଦୁଇ ହାତକୁ ଆଖି ସାମନାରୁ ତୋଳି ଆଣିଲେ । ଭଦ୍ରଲୋକଟିକୁ କୁନବାବୁ ହଠାତ୍‌ ଚିହ୍ନି ପାରିଲେ ନାହିଁ ।

 

ତାପର ଦୋ ଦୋ ଚିହ୍ନା ହୋଇ କହିଲେ, କ୍ଷମା କରିବେ, ଆପଣଙ୍କ ନାମ ପଚାରି ପାରେ ।

 

ମୋ ନାମ–ମୋ ନାମ, ନିର୍ମଳ ଚନ୍ଦ୍ର ରାୟ ।

 

ଏତେ ଚଞ୍ଚଳ ଭୁଲିଯିବୁ ବୋଲି ଭାବି ନଥିଲି କୁନ ! ଅବଶ୍ୟ ତୁ ବଡ଼ଲୋକ । ତୋ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇ ଯିବନି । ତଥାପି..... ।

 

ଓଃ ନିର୍ମଳ ।

 

ଆରେ ଭାଇ, ତୋତେ ମୁଁ ଚିହ୍ନି ପାରିଲିନି, ହେବନି, ହେବନି କହି କୁଣ୍ଢାଇ ପକାଇଲେ କୁନବାବୁ । ଦୁଇବନ୍ଧୁ ଇତିହାସ ଆବୃତିରେ ଲାଗିଗଲେ ।

 

ନିର୍ମଳ ପଚାରିଲା-

 

କୁନ, ତୋର ଆଉ ସବୁ ଖବର କ’ଣ ? କଟକରେ ପଢ଼ା ଛାଡ଼ିଲା ଦିନୁ ଆଉତ ଦେଖାନାହିଁ । ତୋର ବାପା ବୋଉ ଭଲ ଅଛନ୍ତିତ ? କୁନବାବୁ କହିଲେ, ‘‘ହଁ ସମସ୍ତେ ଭଲ ଅଛନ୍ତି-। କଟକ କାହିଁକି ଆସିଛୁ ? ଆମ ଭଳିତ ଅଭାଗା ନୋହୁଯେ ଚାକିରି କରି ପର ଘରେ ମୁଣ୍ଡଟାକୁ ପଚାଶ ଷାଠିଏ ଟଙ୍କାରେ ବିକି ଦେବୁ ?

 

ବାସ୍ତବିକ ତୋ ଜୀବନ ଧନ୍ୟ । ତୋ କଥା ଅନେକ ସମୟରେ ବନ୍ଧୁ ମହଲରେ ପଡ଼େ । ତୋର ସୁନାମ ଗାଇବାକୁ ଛାଡ଼େନି ମୁଁ ।

 

ଥାଉ ନିର୍ମଳ ମୋର ସୁଖ୍ୟାତି ଗୁଡ଼ାଏ ଗାଇଲୁଣି । ଆଉ ଦରକାର ନାହିଁ ।

 

ହଁ ନିର୍ମଳ । ମୁଁ ବର୍ତ୍ତମାନ ତୋ’ରି କଥା ଭାବୁଥିଲି । ତମ ଘରକୁ ମଧ୍ୟ ଯାଇ ଥା’ନ୍ତି ।

 

ଆମ ଘରକୁ ଯାଇଥାନ୍ତୁ ? ବଡ଼ ମିଥ୍ୟାବାଦୀ । ବର୍ତ୍ତମାନ ଦେଖା ସାକ୍ଷାତରେ ଚିହ୍ନି ପାରୁନୁ । ଆମ ଘରକୁ କେମିତି ଯାଇଥାନ୍ତୁ ? ଏମିତି ପଚାରି ପଚାରି ନିର୍ମଳ ହସିଲା ।

 

କୁନବାବୁ କହିଲେ–‘‘ନିର୍ମଳ ।’’

 

ଛାତ୍ର ଜୀବନରେ ଅନେକ ଦେଶ ହିତକର କାମ କରିବାକୁ ହୋଇଛି ଆମକୁ । ବେଶ୍‌ ମନେଥିବ ତୋର । ଆଜି ସେହିପରି ଗୋଟାଏ କାମରେ ଆମକୁ ଭା’ର ନେବାକୁ ପଡ଼ିବ । ଏକା ପାରିବି ନାହିଁ ବୋଲି, ତୋ ସହଯୋଗ ଲୋଡ଼ୁଛି ।

 

‘‘କଣ କରିବାକୁ ହେବ କହୁନୁ ?’’

 

ଗୋଟାଏ ଲୋକର ଶବସଂସ୍କାର କରିବାକୁ ହେବ ।

 

ପାରିବୁତ ?

 

ନିଶ୍ଚୟ, ନପାରିବି କାହିଁକି ? ଚାଲନା

 

ଦୁଇବନ୍ଧୁ ଶବସଂସ୍କାର ଉଦ୍ଦେଶ୍ୟରେ ଚାଲିଗଲେ ।

 

ଶବସଂସ୍କାର କରି ଦୁଇବନ୍ଧୁ ଫେରୁ ଫେରୁ ପ୍ରାୟ ସଂଧ୍ୟା ହୋଇ ଯାଇଥିଲା ।

 

ରାସ୍ତାରେ ଆସୁ ଆସୁ ନିର୍ମଳ ପଚାରିଲା-

 

କୁନ ! ଏହି ଯେ ବୁଢ଼ାଟି ମରିଗଲେ, ତୋର ସେ କଣ ହୁଅନ୍ତି ?

 

ସେ କିଛି ହୁଅନ୍ତିନା ମୋର, ଗ୍ରାମର ଜଣେ ଜଣାଶୁଣା ଲୋକ । ଆଜକୁ ଦଶ ବାରଦିନ ହେବ ମେଡ଼ିକେଲରେ ଆଣି ଛାଡ଼ିଥିଲି ଚବିଶ ଘଣ୍ଟା ଜର ଦେହରେ ରହିଲା । କ’ଣ କରିବି ଭାଇ, ଭାଗ୍ୟ ତାର ଖରାପ । କେବଳ ଗୁଡ଼ାଏ ଧନ୍ଦି ହେବାକୁ ପଡ଼ିଲା ମୋତେ । କିଛି ଫଳ ହେଲାନି । ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ଆଚ୍ଛା କୁନ, ତୋର କଟକ ଆସିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଏହି ବୁଢ଼ାଙ୍କ ପାଇଁ ?

 

ହଁ ସେହିପରି ।

 

କଥାଟି ଗୋପନ ରଖି କୁନବାବୁ ଆଉ କିଛି କହିଲେନି । ବହୁଦିନ ପରେ ଦୁଇବନ୍ଧୁଙ୍କର ଦେଖାସାକ୍ଷାତ ଆଳାପ ଆଲୋଚନାରେ ଉଭୟେ ବଡ଼ ଆନନ୍ଦିତ ହୋଇ ପଡ଼ିଛନ୍ତି । ଛାତ୍ର ଜୀବନଠାରୁ ଏ ଯାବତ ସବୁ ଘଟଣାଗୁଡ଼ିକ ପଚାରିବାରେ ତ୍ରୁଟି ନଥାଏ ନିର୍ମଳର ।

 

–ଅନେକ ବାଟ ଚାଲି ଆସିଲେଣି ନିର୍ମଳ । ହଉ ତେବେ ଥା । ଆଜି ମୁଁ ଯାଉଛି । ହୁଏତ ଅନ୍ୟ କେବେ ସାକ୍ଷାତ କରିବି ।

 

ଏମିତି କଣ ହୁଏ ? ଆମ ଘରକୁ ଆଜି ନିଶ୍ଚୟ ତୋତେ ଯିବାକୁ ହେବ ।

 

କୁନବାବୁ ମୁରୁକି ହସା ଦେଇ କହିଲେ–ନାହିଁ ନିର୍ମଳ, ମୁଁ ଅନ୍ୟଦିନ ଯିବି । କଟକରେ ବସାନେଇ ଅଛି । ପରେ କଥାବାର୍ତ୍ତା ହେବା ।

 

–ତୋ ବସାରେ ଆଉ କିଏ ଅଛିକି କୁନ ?

 

–କେହି ନାହାନ୍ତି ।

 

–ତୁ ଏକା ?

 

–ହଁ

 

ତା ହେଲେ କଣ କଟକର ଏହି ବିଖ୍ୟାତ ରେଷ୍ଟୁରେଣ୍ଟଗୁଡ଼ାକ ଆମକୁ ପରିହାସ କରୁଥିବେ ? ଜଳଯୋଗ କିଛି ହେବନି ?

 

କୁନବାବୁ କହିଲେ-

 

ହଁ ହଁ ଜଳଯୋଗ କାହିଁକି ନ ହେବ ।

 

ଦୁଇବନ୍ଧୁ ରେଷ୍ଟୁରେଣ୍ଟ ଭିତରେ ପଶିଲେ । ଜଳଯୋଗର ବ୍ୟବସ୍ଥା ହେଲା । ମଝିରେ ମଝିରେ ଦୁଇବନ୍ଧୁଙ୍କର କେତେ ଖୁସିଗପ ଚାଲିଥାଏ । ନିର୍ମଳ ପକେଟରୁ ରୁମାଲ ବାହାର କରି ମୁହଁ ପୋଛୁ ପୋଛୁ କହିଲା-

 

କୁନ, ସିଗାରେଟ କଣ ଛାଡ଼ି ଦେଲୁଣିନା ଚଳେ ?

 

ହଁ ଚଳେ ।

 

ସିଗାରେଟ୍‌ ଗୋଟାଏ କୁନବାବୁଙ୍କୁ ବଢ଼ାଇ ଦେଇ ନିଜେ ଗୋଟାଏ ମୁହଁରେ ଲଗାଇଲା ନିର୍ମଳ ।

 

–ଆଚ୍ଛା ନିର୍ମଳ, ତୁ ମୋ ବସାଆଡ଼େ କେବେ ଆସୁଛୁ ?

 

ସମୟ ଦେଖି ଯିବି ।

 

ତୁ କଟକରେ କିଛିଦିନ ଅଛୁତ ?

 

ହଁ ବର୍ତ୍ତମାନ କିଛିଦିନ ଅଛି ।

 

ବିଦାୟ–

 

ବସାକୁ ଗଲେ କଥାବର୍ତ୍ତା ହେବା । ନମସ୍କାର ।

 

ପ୍ରତି ନମସ୍କାର କଲା ନିର୍ମଳ ।

 

କୁନବାବୁଙ୍କର ବସାରେ ପହଞ୍ଚିବା ସେଦିନ ଟିକେ ଡେରି ହୋଇଗଲା ।

 

ରତନୀ ଏକାଟି ପରି ଖଟ ଉପରେ ବସି ରହିଥାଏ, କୁନବାବୁଙ୍କର ପ୍ରତୀକ୍ଷାରେ ।

 

କୁନବାବୁଙ୍କୁ ଦେଖି ରତନୀ ଖଟ ଉପରୁ ଉଠି ପଡ଼ିଲା ।

 

ଧୀର ନରମ ଗଳାରେ କହିଲା–ବାପାର ଶବ, ଦାହ କରି ଆସିଲତ ?

 

ହଁ ରତନୀ, ସେଇଥିପାଇଁ ତ ଏତେ ଡେରି ।

 

–ମୁଁ ଏକୁଟିଆ କଣ ପାରିଥାନ୍ତି ? ବନ୍ଧୁ ନିର୍ମଳ ମୋତେ ଯଥେଷ୍ଟ ସାହାଯ୍ୟ କରିଛି । ସେ ନଥିଲେ, ମୋତେ ଗୁଡ଼ାଏ ଅସୁବିଧା ଭୋଗ କରିବାକୁ ପଡ଼ିଥାନ୍ତା ।

 

ରତନୀ ଜିଜ୍ଞାସୁ ଦୃଷ୍ଟିରେ ପଚାରିଲା, ନିର୍ମଳ କିଏ ? ତମର ଜଣାଶୁଣା ବନ୍ଧୁ ? ଏହି କଟକରେ ଥାନ୍ତି ?

 

ହଁ ହଁ ମୋ ଜଣାଶୁଣା ବନ୍ଧୁ ।

 

କଟକରେ ରେଭେନ୍‌ସା କଲେଜରେ ଦୁଇଜଣ ଏକା ସଙ୍ଗରେ ପଢ଼ୁଥିଲୁ–ପଢ଼ା ଛାଡ଼ି ମୁଁ ରହିଲି ଘରେ । ଏହା ଭିତରେ ସେ ବି. ଏ. ପାସକରି; ସେକ୍ରେଟେରିଏଟରେ ଚାକିରି ବି କଲାଣି । ବାପା, ମାଆ, ଭାଇ ଭଉଣୀ ସମସ୍ତେ ତାର ଏହି କଟକରେ ଥା’ନ୍ତି । ଚଳିବା ମଧ୍ୟ ତାଙ୍କର ଭଲ ।

 

ମୋର କଣ ଏତେ ଡେରି ହୋଇଥା’ନ୍ତା ? କେବଳ ତା’ରି ପାଇଁ ଡେରି ହୋଇଗଲା ।

 

ନିର୍ମଳକୁ କହିଛି ଆମ ଘରକୁ ଆସିବ ।

 

ଆମ ଘରକୁ ଆସିବ ? ଆମର ଘର କାହିଁ ? କ’ଣ କାହିଁ ? ତୁଚ୍ଛାଟାରେ ଡାକି ଆଣିବ ତାଙ୍କୁ । ବଡ଼ଲୋକ ସେ । ତାଙ୍କୁ ଆମେ ସମ୍ମାନ ଦେଇ ପାରିବାତ ?

 

କ’ଣ କହୁଛୁ ରତନୀ । ସମ୍ମାନ ଦେଇ ପାରିବାନି ଆମର କ’ଣ ନାହିଁ ? କେଉଁକଥା ଅଭାବ ଅଛି ?

 

ଦୁର୍ବଳ ମନ ତୋର ସବୁବେଳେ ଖାଲି ଭାଙ୍ଗି ପଡ଼ୁଛି କାହିଁକି ? ସାହସ ଯେମିତି ହଜି ଯାଇଛି ତୋର, ଧନତ ଅଛି, କେବଳ ମନ ଲୋଡ଼ା ।

 

ରତନୀ ମୁରୁକି ହସି କହିଲା-

 

ହଉ ତେବେ ତୁମରି କଥା ହେଲା । ଅନେକ ବେଳ ହେଲାଣି ଗଣ୍ଡେ ଖାଇବ ଚାଲ । ଭାତ ତେଣେ ଶୁଖି ଯିବଣି ।

 

କୁନବାବୁ ରତନୀର ମୁହଁକୁ ଟିକେ ଅନାଇଁ ଦେଲେ–ଯେପରି ତା ମନରୁ ଦୁଃଖ ନୈରାଶ୍ୟ କ୍ଷଣକ ମଧ୍ୟରେ ଉଭେଇ ଯାଇଛି କେଉଁଆଡ଼େ । ମନେ ହେଉଛି ସପନାର ମୃତ୍ୟୁକୁ ଯେପରି ପାଶୋରି ପକାଇଛି, ସବୁ ଭୁଲି ଯାଇଛି ସେ । ପ୍ରାଣ ତା’ର ମୁକ୍ତ-ସ୍ୱଚ୍ଛ ।

 

କୁନବାବୁ ହସି ହସି କହିଲେ-

 

ଏଥର ବଡ଼ ଘରଣୀ ହୋଇଯିବୁ ରତନୀ ।

 

ରତନୀ କହିଲା ‘‘ଆଉ ତମେ...... ।’’

 

ଦୁଇଟି ପ୍ରାଣ ମୁକ୍ତ ଆଲୋକରେ ହସି ଉଠିଲା ।

 

ନୂଆ ଦୁନିଆଁ ବକ୍ଷରେ ଦୁହିଁଙ୍କର ସ୍ୱପ୍ନ ସଫଳ ହେଲା ।

 

-ଦଶ-

 

ସ୍ୱପ୍ନମଞ୍ଜରୀ !!

 

କୁନ କ’ଣ ତାହେଲେ କେଉଁଆଡ଼େ ଚାଲିଗଲା ? ଦେଖୁ ଦେଖୁ କେତେ ମାସ ହୋଇ ଗଲାଣି । ତା’ର କୌଣସି ସନ୍ଧାନ ମୁଁ ପାଇଲି ନାହିଁ । ଯେତେ ଦୂର ମନେ ହେଉଛି–କୁନ ନିଶ୍ଚୟ କଟକ ପଳାଇ ଯାଇଛି ।

 

ସବୁବେଳେ ତୁମେ ଖାଲି ପିଲାଳିଆ କଥା କହୁଚ । ପୁଅଟାର ଖବର ନେଉନା । ଘରେ ଚୁପ୍‌ହୋଇ ବସିଛ । ଟିକେ ତମର ଦେହ ତଲୁରୁ ନାହିଁ । ଜନମ କଲା ପୁଅ । ନ’ଟା ନାହିଁକି ଛ’ଟା ନାହିଁ । ଆଖି ଆଗରେ ସେହି ଗୋଟିଏ । କ’ଣ ତମେ କଲ । ବାରଣ କରୁଛି ମୁଁ । ଏସବୁ କରନା । କାହିଁକି ମିଛଟାରେ ବିପଦ କିଣୁଛ ? ଶୁଣିଲ ନାହିଁ ମୋ କଥା । ଦୁଃଖୀଟା ଦାନା ନାହିଁ ଘରେ । ଗରିବ ପ୍ରଜାଟା ସେ । ସତ୍ୟାନାଶ ତାର କଲ–ମୁଣ୍ଡ ଗୁଞ୍ଜିବାକୁ ବସୁବାସରେ ଥାନ ଦେଲନାହିଁ । କେଉଁଆଡ଼େ ସେ ଗଲା ? କେଉଁଠି ରହିଲା ? କାହାର ବାର ଦୁଆର ଶୁଣ୍ଢି-ପିଣ୍ଡାରେ ବସି ଆଖିରୁ ଲୁହ ଢାଳୁଥିବ । ସେ ତାର ଲୁହ ନୁହେଁ ରକ୍ତ । ଗାଳି ଦେଉଥିବ–ଅଭିଶାପ ଦେଉଥିବ । ସ୍ୱପ୍ନମଞ୍ଜରୀ କାନ୍ଦି ପକାଇଲେ ।

 

କଣ ତୁମେ କହୁଛ ସ୍ୱପ୍ନମଞ୍ଜରୀ ? ଦେଖୁ ଦେଖୁ ଆଖି ଆଗରେ କି ଯେ ବିଭତ୍ସ ଲୀଳା ଘଟି ନଗଲା ? ବଡ଼-ସାନ ଉଚ୍ଚ-ନୀଚ୍ଚ, ଏ ସବୁର ଯଦି ଭେଦାଭେଦ ନ ରହିବ, କେହି କାହାକୁ ମାନିବେ ନାହିଁ । ତୁମ ମତରେ ଏସବୁ ପ୍ରଶ୍ରୟ ଦେଇଥିଲେ କ’ଣ ଭଲ ହୋଇଥାନ୍ତା ? ତୁମେ ଯାହା ଭାବ ସ୍ୱପ୍ନମଞ୍ଜରୀ, ମୁଁ ଯାହା କରିଛି ଠିକ୍‌ କରିଛି । ସେଦିନ ଅନେକ ଭାବିଚିନ୍ତି ଦେଖିଲି, କୁନ ଏ ସବୁ କଥାର ମୂଳକାରଣ । ତା’ରି ପାଇଁ ଆଜି ମୋର ଆତ୍ମସମ୍ମାନ ଲୋପ ପାଇଛି । ନୋହିଲେ ସାରା ଗ୍ରାମଟାର ପ୍ରଜାଗୁଡ଼ାକ, ଏମାନଙ୍କର କେତେ ପିତ, ଆଜି ମୋତେ ରୁକ୍ଷ ସମାଲୋଚନା କରନ୍ତେ । ସେମାନଙ୍କର ପଦେ କଥା କହିବାର ସାହସ ନାହିଁ, ଶକ୍ତି ନାହିଁ, ସେମାନେ ମୋର ସମ୍ମୁଖରେ ନିନ୍ଦା ରଟନା କରୁଥାନ୍ତେ ।

 

ହଁ ମୁଁ ଜାଣେ, କୁନ ଏକଥାଗୁଡ଼ାକ ବଢ଼ାଇଛି । ତମରି ପୁଅତ ସେ । ରାଗ ରୋଷ କରି ଏଣୁ ତେଣୁ ଗୋଟାଏ କରି ପକାଇଲେ କ’ଣ ଭଲ ହେବ ? ତା’ ମୁଣ୍ଡ ଖରାପ ହୋଇଛି, ତାକୁ ଭଲବାଟ ଦେଖାଇ ସୁଧାରି ଆଣ ।

 

ଖାଲି କହିଲେ କ’ଣ ହେବ ?

 

ନା ସ୍ୱପ୍ନମଞ୍ଜରୀ, ତା ନୁହେଁ । ନିଜେ କୁନ ଭୁଲ୍‌କରି ଯାଉ ନାହିଁ ଯେ–ସାରା ଦୁନିଆକୁ ଭୁଲ୍‌ବାଟ ଦେଖାଉଛି । ସେଦିନ ଦେଖିଲନା-ଗାଁ ଗୋଟାକର ପ୍ରଜା ମେଣ୍ଟବାନ୍ଧି, କ’ଣ ଗୋଟାଏ ମିଟିଂ କରିଛନ୍ତି । ଜମିଦାର ମୁଁ–ମୋତେ ଜଣାନାହିଁ । ସପନା ପ୍ରତି ଅତ୍ୟାଚାର ମୁଁ କରିଛି । ତାର ପ୍ରତିବାଦ କରି ସେମାନେ ଲିଖିତ ଆକାରରେ ଜଣାଇଛନ୍ତି । ତହିଁରେ ଲେଖା ଅଛି, ନିରିହ ପ୍ରଜା ପ୍ରତି ଅତ୍ୟାଚାର କରିବା ଆପଣଙ୍କ ପକ୍ଷରେ ସୁନ୍ଦର ହୋଇନି । ସପନା ଆଜି ଆପଣଙ୍କ ପାଇଁ ଦେଶଛଡ଼ା । କାଲିଯେ ସେହିପରି ଅନ୍ୟ କୌଣସି ପ୍ରଜା ଦେଶଛଡ଼ା ନହେବ, ତାର କିଛି ମାନେନାହିଁ । ମୋଟାମୋଟି ଆମେ ଯାହା ବୁଝୁ–ସପନାର ଏଥିରେ, କୌଣସି ଦୋଷ ନାହିଁ । ଦୋଷ ଅଛି ଆପଣଙ୍କର । ନିଜର ଦୋଷଟା ଲୁଚାଇ ଗରିବ ଅସହାୟଙ୍କୁ ଦଣ୍ଡଦେବା ଘୋ’ର ଦୋଷାବହ । ଏମିତି କେତେକଣ ଲେଖିଛନ୍ତି ସେମାନେ ।

 

ଯେତିକି ରାଗ ଆସୁଛି ମନରେ–ସେତିକି ପୁଣି ଚିନ୍ତିତ ହେବାକୁ ପଡ଼ୁଛି । ଉତ୍ତେଜନାରେ ବଶବର୍ତ୍ତୀ ହୋଇ, କ’ଣ ଗୋଟାଏ ଯେ କରି ପକାଇଲି ।

 

–ବୁଦ୍ଧି ବିବେକ ମୋର ହଜି ଗଲାଣି ସ୍ୱପ୍ନମଞ୍ଜରୀ । ଏମିତି ବିପଦର ସନ୍ଧିକ୍ଷଣରେ, କୁନ ପ୍ରତିଶୋଧ ନେବାକୁ ବାଦ୍‌ ଯାଇନି । ଏଇତ ଦୁନିଆଁ !

 

ସେ ଗୋଟିଏ ପୁଅ, ତାର ସାହସ ଦେଖନି । ସାରା ଗାଁ ଗୋଟାକରେ ଅଶାନ୍ତି ଉପଦ୍ରବ ଅରାଜ୍ୟ ସୃଷ୍ଟି କରିଛି କେବଳ ସେଇ । ଯଦି ସପନାର ଦ୍ୱାରସ୍ଥ ନ ହୋଇଥାନ୍ତା, ସପନା ବୁକୁରେ ସାହସ ନଦେଇ ଥାନ୍ତା, ବିପଦରେ ଏମିତି ଘାଣ୍ଟି ଚକଟି ହେଉ ନଥାନ୍ତା ମଣିଷ ! ଜାଣି ଜାଣି ଘଟଣାଗୁଡ଼ାକୁ ବଢ଼ାଇଛି । ପ୍ରଜାଗୁଡ଼ାକ ସହିତ ମିଶିଛି । ନିଜର ଜୁ କଳବଳ ବାଟେଇ ଆଜି ସେହି ପ୍ରଜାଗୁଡ଼ାକ, ସର୍ବନାଶ କରିବାକୁ ବସିଲେଣି । ମୁଁ ଯେପରି ଦେଖି ପାରୁଛି ସ୍ୱପ୍ନମଞ୍ଜରୀ, ଏ ଜମିଦାରୀଟାକୁ କୁନ ଆଉ ରଖିବ ନାହିଁ । ଧନ ସମ୍ପତ୍ତି ସବୁ ଉଡ଼ାଇ ଦେବ ।

 

ଧନ ସମ୍ପତ୍ତି ପାଇଁ ପାଗଳ ତମେ ହୋଇ ଯାଉଛ । ଏବେ ଧନ ସମ୍ପତ୍ତି ନିଜେ ଭୋଗକର । ସୁଖରେ ରୁହ । କୁନ ତ ଘରୁ ଚାଲିଗଲା, ଆଉ ସେ ଚିନ୍ତା କରିବା ଦରକାର କଣ ? ସବୁବେଳେ ଖାଲି ଧନ-ଧନ-ଧନ ।

 

ଧନ କେବଳ ସ୍ୱର୍ଗ ନେବ । ଯେଉଁମାନଙ୍କର ଧନ ନାହିଁ, ଗରିବ ନିଃସମ୍ୱଳ, ସେମାନେ କଣ ଆନନ୍ଦରେ ରହି ନାହାନ୍ତି । ତାଙ୍କଠାରୁ ତମେ କଣ ବେଶୀ ଆନନ୍ଦ ଭୋଗ କରୁଛ ? ମତେ ତମ କଥାଗୁଡ଼ାକ ଯେମିତି ଖଟା ଖାଇଲା ପରି ଲାଗୁଛି । ପୁଅଟା କେଉଁଆଡ଼େ ଗଲା ? କ’ଣ କଲା-? ସେ କଥା ଚିନ୍ତା ନାହିଁ–ଏତେବଡ଼ ସଂସାର ମେଲେଇ ଦେଇଛ, ବିରାଟ ଜମିଦାରୀ, ଘରଦ୍ୱାର, ଗଲା ଆଇଲା, ମୂଲିଆ ପ୍ରଜା ଏ ସବୁ ଦାୟିତ୍ୱ ତୁଲାଇବ କିଏ ? ଗୋଟିଏ ବୋଲି ପୁଅ-। ଅନ୍ଧର ଲଉଡ଼ି, ଆଖିର ରତ୍ନ , ଗତି ଭବିଷ୍ୟତର ସବୁ ସେଇ । ତା ଖବର ଆଗେ ନିଅ ତମେ-। ଦେଖୁଛ ଦୁନିଆଁ ଆସି କଣ ହେଲାଣି । ସମୟ ଥିଲା, ଲୋକେ ମାନୁଥିଲେ–ରାଜା ପ୍ରଜାର ସମ୍ୱନ୍ଧ ଥିଲା ଡର ଥିଲା, ଭୟ ଥିଲା । ଯୁଗର ହାୱାରେ ସବୁ ଓଲଟି ଯାଇଛି । ଲୋକେ ସ୍ୱାଧୀନ ହୋଇଛନ୍ତି-। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି । ହେଇତ ଆଖି ଆଗରେ ଦେଖିଲ ପୁରୀ ଜଗନ୍ନାଥ ମନ୍ଦିରରେ ସେଦିନ କେମିତି ହରିଜନ ପ୍ରବେଶ କଲେ । ଜଗନ୍ନାଥଙ୍କ ବଡ଼ପଣ୍ଡା କେମିତି ସେମାନଙ୍କ ହାତରୁ ଭୋଗ ନେଇ ଠାକୁରଙ୍କ ପାଖରେ ନୈବେଦ୍ୟ କଲା । ଏ ସବୁ ଦେଖି ମୁଣ୍ଡ ମୋର ଘୂରିଗଲା-। ତମେ ମତେ ସାନ୍ତ୍ୱନା ଦେଲ, କହିଲ ଯୁଗ ଆସିଛି । ସମସ୍ତେ ସମାନ ହୋଇଯିବେ । ଜାତି ଭେଦ ବଡ଼ସାନ ଉଚ୍ଚ-ନୀଚ୍ଚ, କିଛି ରହିବ ନାହିଁ । ପୁରୁଣା କଥା ସବୁ ନୂଆ ହୋଇଯିବ ।

 

ମୋ କଥା ତମେ ମାନ । ଏମିତି ଜିଦ୍‌ ସ୍ୱଭାବ ଛାଡ଼ିଦିଅ । ପ୍ରଜାମାନଙ୍କୁ ପୁଅ ପରି ସ୍ନେହ କର । ଅଭାବ ଅସୁବିଧା ତାଙ୍କର ଦେଖ, ବଳେ ସେମାନେ ଆପଣାର ହୋଇଯିବେ । ଏ ଦ୍ୱନ୍ଦ୍ୱ ଆଉ କିଛି ରହିବ ନାହିଁ ।

 

କୁନ ଏହିସବୁ କଥା କରିବାକୁ ଚାହେଁ । ତମ ଭୟରେ ମୁହଁ ଖୋଲି କେବେ ସେ କହି ପାରିନାହିଁ । ମୋତେ ଅନେକ ଥର, ସେମାନଙ୍କର ଭଲମନ୍ଦ ସୁଖ ସୁବିଧା ଦେଖିବା ପାଇଁ ତମ ଆଗରେ କହିବାକୁ ଅଳି କରିଛି, ତମେ ମୋ କଥାମାନ । ଲୋକ ପଠାଇ କୁନର ସନ୍ଧାନ ନିଅ । ତାକୁ ବୁଝାଇ ଶୁଝାଇ ଘରକୁ ଆଣ ।

 

ହଁ ଶୁଣ, ସପନା ବିଚରା ଗରିବ ପ୍ରଜା । କି ଦୁଃଖ କଷ୍ଟ ନ ଭୋଗୁ ଥିବଟି ? ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଲା ନାହିଁ ସେ । ଦେଶାନ୍ତର ହେଲା । ସାଙ୍ଗରେ ବାଡ଼ୁଅ ଝିଅଟା କେତେ ହଟହଟା ହେଉ ନଥିବ ।

 

ଯାଅ ମୋ କଥାମାନ । ବଇଁଶୀକୁ ପଠାଇ ଦିଅ । ତା ସାଙ୍ଗରେ ଆଉ ଜଣେ ଦି’ ଜଣକୁ ପଠାଅ ।

 

–କୁନ ଘରଛାଡ଼ି ଚାଲିଯିବାର କାରଣ କଣ ବୁଝିଛ ତମେ ସ୍ୱପ୍ନ ମଞ୍ଜରୀ ?

 

ବୁଝି ପାରିଛ ସବୁ । ତା’ର ମୂଳକାରଣ ତମେ । କୁନର ବିଭାଘର ପ୍ରସ୍ତାବ ନ ଉଠାଇଥିଲେ, ସପନା ଘରେ ଅତ୍ୟାଚାର ନ କରିଥିଲେ, ସେ କାହିଁକି ଆଜି ଘରଛାଡ଼ି ଚାଲିଯାଇ ଥାନ୍ତା ? ତମେ ସପନାର ସର୍ବନାଶ କରିବାକୁ ଯାଇ ନିଜର ସର୍ବନାଶ କରିଛ । ଆଗରୁ ବାରଣ କରୁଛି, ଶିକ୍ଷିତ ପୁଅଟା–ଯାହା କରୁଛି କରୁ । ତା’ ଇଚ୍ଛା ବିରୁଦ୍ଧରେ ତମେ କିଛି କର ନା । ସମୟ ଆସିବ, ଆପେ ତାର ମତ ବଦଳିଯିବ । ଶୁଣିଲ ନା ମୋ କଥାକୁ ।

 

ଏବେ.... ?

 

ଏ କଥାଗୁଡ଼ାକ ଭାବିଲା ବେଳକୁ ମୁଣ୍ଡ କଣ ହୋଇ ଯାଉଛି ସ୍ୱପ୍ନମଞ୍ଜରୀ, ସେଦିନ ପଟ୍ଟନାୟକ ବାବୁ ଆସିଥିଲେ କୁନର ବିବାହ ପ୍ରସ୍ତାବଟା ବନ୍ଦ କରି ଦେଇଥିଲେ ଭଲ ହୋଇଥାନ୍ତା । କଣ ସେ ଭାବୁଥିବେ ? କାଲି ଲୋକ ପଠାଇ ତାଙ୍କୁ ଅସୁବିଧା ଦର୍ଶାଇ ବାରଣ କରି ଦେବାକୁ ହେବ-। ବଡ଼ ଲଜ୍ୟାର କଥା । ଏପରିକି ଦିନବାର ପର୍ଯ୍ୟନ୍ତ ସ୍ଥିରକରା ଯାଇଥିଲା ।

 

ଆଚ୍ଛା ତମେ କଣ ଭାବୁଛ–କୁନର ସନ୍ଧାନ ପାଇଁ ଗୋକୁଳି ବାବୁଙ୍କ ପୁଅ ନବକୁମାରକୁ କଟକ ପଠାଇଲେ ଭଲହୁଅନ୍ତା ନାହିଁ ?

 

ନବ କୁମାରଦ୍ୱାରା ଖବରଟା ଅବଶ୍ୟ ମିଳିପାରନ୍ତା ।

 

ହେଉ ତେବେ ନବକୁମାରକୁ ପଠାଇ ଦିଅ ଚଞ୍ଚଳ । ଆଉ ଡେରି କରନା । ପୁଅଟା ରାଗ ତମରେ ପଳାଇ ଯାଇଛି, ସବୁ ଦିନେ କଣ ବାହାରେ ଥିବ ?

 

ନବକୁମାର ପାଖକୁ ଖବର ପଠାଇଲେ ମର୍ଦ୍ଦରାଜ ବାବୁ । ନବକୁମାର ପହଞ୍ଚିଲା । ସୁନ୍ଦର ଚେହେରା, ବଳିଷ୍ଠ-ବପୁ, ଉଜ୍ଜ୍ୱଳ ଆଖି, ସାଦା ପଞ୍ଜାବି ଖଣ୍ଡେ ପିନ୍ଧିଛି । ମୁହଁଟି ହସହସ ।

 

–ନବକୁମାର, ତୁମକୁ ଗୋଟାଏ କାମ କରିବାକୁ ପଡ଼ିବ ।

 

–କି କାମ ଆଜ୍ଞା ?

 

–ତମେ କଟକ ଟିକେ ଯାଇ ପାରିବ ?

 

–କାହିଁକି ?

 

ତୁମେତ ଜାଣ । ଆଜିକୁ କେତେମାସ ଧରି କୁନ କେଉଁଆଡ଼େ ଚାଲି ଯାଇଛି । ଯେତେ ଦୂର ମନେ ହୁଏ କଟକରେ ସେ ନିଶ୍ଚୟ ଅଛି । କାରଣ କଟକରେ ତ ରହି ପଢ଼ାପଢ଼ି କରୁଥିଲା, ସେହିଠାରେ ଥିବ ସେ । ତୁମେ ସନ୍ଧାନ ନେଲେ ଖବର ତା’ର ପାଇ ପାରନ୍ତ ।

 

ନବକୁମାର ସବୁ ଘଟଣା ଜାଣେ । ଏପରି ବିପଦ ସମୟରେ ଅନ୍ତତଃ ସାହାଯ୍ୟ ଟିକିଏ କରିବା କର୍ତ୍ତବ୍ୟ ତା’ର ।

 

କିଛିକ୍ଷଣ ଭାବି ନବକୁମାର କହିଲା–

 

ବାପାଙ୍କୁ ଆପଣ କହିଛନ୍ତି ତ ?

 

ହଁ କାଲି ମୁଁ ଗୋକୁଳି ବାବୁଙ୍କୁ କହିଥିଲି ।

 

ତମକୁ ସେଠାରେ କିଛି ଅସୁବିଧା ଭୋଗ କରିବାକୁ ହେବ ନାହିଁ । ସେଠାରେ ଆମ ଶ୍ରୀଧର ବାବୁ ଅଛନ୍ତି ।

 

ତାଙ୍କ ପାଖକୁ ଖଣ୍ଡେ ଚିଠି ମୁଁ ଲେଖି ଦେଉଛି । ସେ ବର୍ତ୍ତମାନ କଟକରେ ଡି. ଏସ. ପି ହୋଇଛନ୍ତି । ସେ ଦୁଇ ତିନିଦିନ ମଧ୍ୟରେ କଟକ ସାରା ଖୋଜ୍‌ନେଇ କୁନର ସନ୍ଧାନ ନିଶ୍ଚୟ କହିବେ ।

 

ତମେ ଷ୍ଟେସନଠାରୁ ସିଧା ଟାଉନ୍‌ ବସ୍‌ରେ ଚୌଧୁରୀ ବଜାରକୁ ଚାଲିଯିବ । ଚୌଧୁରୀ ବଜାରରେ ଯେ କୌଣସି ଲୋକକୁ ପଚାରିଲେ, ଶ୍ରୀଧର ବାବୁଙ୍କ ଘର କହିଦେବେ । ବାଟ ଖର୍ଚ୍ଚ ପାଇଁ ହେଇ ନିଅ ପଚାଶ ଟଙ୍କା ରଖ । ଆଉ ଦର୍କାର ପଡ଼ିଲେ ଲେଖିବ ।

 

ନବକୁମାର ଟଙ୍କାତକ ପକେଟରେ ରଖିଲା ଏବଂ ସଅଳ ସଅଳ କଟକ ଯିବାପାଇଁ ବନ୍ଦୋବସ୍ତରେ ଲାଗି ପଡ଼ିଲା ।

 

ସ୍ୱପ୍ନମଞ୍ଜରୀ ! ନବକୁମାର କଟକରେ କୁନର ସନ୍ଧାନ ନିଶ୍ଚୟ ପାଇବ ।

 

–ତମେ କେମିତି ଜାଣିଲ ?

 

ନା–ଜାଣିବାର କିଛି ନାହିଁ । ତେବେ ଯାହାଙ୍କ ପାଖକୁ ମୁଁ ଖବରଟା ଦେଇଛି, ସେ ଏହି ସବୁ କାମରେ ଭାରି ଧୁରନ୍ଦର ।

 

–କିଏମ ?

 

ଆମ ଦୀନବନ୍ଧୁ ବାବୁଙ୍କ ପୁଅ ଶ୍ରୀଧର ବାବୁ–ଯିଏ ସମ୍ୱଲପୁରରେ ଥିଲେ, କଟକକୁ ବଦଳି ହୋଇ ଆସିଛନ୍ତି । ସେ ଜଣେ ନାମଜାଦା ଡି. ଏସ୍‌. ପି । ତାଙ୍କର କାମ ଚୋର, ପକେଟମାରୁ, ଡାକୁ ପ୍ରଭୃତିଙ୍କୁ ଧରାଇଦେବା । ଯେତେ ଧରାଇ ଦେବେ, ସେତେ ତାଙ୍କର ସ୍ୱନାମ ।

 

ଚୋର ପାଇଁତ ପୁଲିସ ଅଛନ୍ତି ।

 

–ନା ନା ତା ନୁହେଁ ।

 

ଯେଉଁମାନେ ତ ପୋଲିସ ମୁହଁରେ ଚୂନ-କାଳି ବୋଳି ଚମ୍ପଟ ମାରନ୍ତି, ସେଇମାନଙ୍କୁ ସେ ଧରନ୍ତି ।

 

ହଁ ତାହେଲେ କ’ଣ ଦୀନବନ୍ଧୁ ରାୟ–ଯିଏ ଆମ ଚପଳାର ଶ୍ୱଶୁର ?

 

ହଁ ହଁ ଚପଳାର ଶ୍ୱଶୁର । ତାଙ୍କରି ପୁଅ ।

 

ତା’ ହେଲେ ତ, ନିଶ୍ଚୟ ସେ କୁନର ଖବର ପହଞ୍ଚାଇବେ । ତମେ ଚିଠି ଦି’ ଅକ୍ଷର ତାଙ୍କ ପାଖକୁ ଲେଖି ଦେଇଛତ ?

 

ହଁ ଚିଠି ଲେଖି ଦେଇଛି ମୁଁ । ନବକୁମାରଠାରୁ କୌଣସି ସମ୍ୱାଦ ନପାଇଲା ପର୍ଯ୍ୟନ୍ତ, ମନଟା ସ୍ଥିର ଆଉ ନାହିଁ ସ୍ୱପ୍ନମଞ୍ଜରୀ ! ସେକଥା ମୋତେ କୁହନାହିଁ ।

 

ସ୍ୱପ୍ନମଞ୍ଜରୀଙ୍କ ଆଖିରୁ ଲୁହ ଝରି ପଡ଼ିଲା ।

 

-ଏଗାର-

 

ରତନୀ

 

ଆଉସେ ଆଗ ରତନୀ ନାହିଁ । ନିଜକୁ ବେଶ୍‌ ସୁସଜ୍ଜିତ ହୋଇ ପାରିଛି । କୁନବାବୁଙ୍କ ମନରେ ଆନନ୍ଦର ଢେଉ ଖେଳି ଯାଉଛି । କଟକ-ସହର ଗାଡ଼ି-ଘୋଡ଼ା ଗହଳ-ଚହଳ ପୋଷାକ-ପରିଚ୍ଛେଦ ସବୁ ସୁନ୍ଦର–ସବୁ ମନୋହର । ଏହା ଭିତରେ ଲୋଡ଼ା କେବଳ ଟଙ୍କା–

 

ସେ ଭାବନା କୁନବାବୁଙ୍କର ନାହିଁ । କୁନବାବୁ, ରତନୀର ମନଲାଖି ଚିଜ କିଣି ଦେବାରେ ବ୍ୟସ୍ତ । କିପରି ସେ ମଫସଲି ଝିଅ ରତନୀକୁ ଆଧୁନିକା ଭାବେ ବେଶପୋଷାକରେ ସଜାଇବେ ସେଇ ଚିନ୍ତାରେ ଲାଗି ପଡ଼ିଛନ୍ତି । ସେଦିନ ରତନୀକୁ ମନଲାଖି ବନାରସି ଶାଢ଼ି ଖଣ୍ଡେ, ସୁନ୍ଦର ବ୍ଲାଉଜ ଗୋଟିଏ କିଣି ଦେଇଛନ୍ତି । ରତନୀ ଆଗ୍ରହରେ ପିନ୍ଧିଛି ତାକୁ । କୁନବାବୁଙ୍କ ଆଖିକୁ ସେ ସୁନ୍ଦର ଦେଖାଯାଉଛି ଅତି ସୁନ୍ଦର । କାନଟା, ଖାଲି ପଡ଼ିଥିବା ଦେଖି ଖରାପ ଲାଗିଲା ତାଙ୍କୁ । ସାଙ୍ଗରେ ସେଦିନ ରତନୀକୁ ନେଇ କାନଫୁଲ ଯୋଡ଼ାଏ କିଣି ଆଣିଛନ୍ତି । କାନକୁ ଟିକିଏ କଶା ହେଲା ବୋଲି, ରତନୀ ଅଭିମାନ କରି ଘରେ ଥୋଇ ଦେଇଚି ପିନ୍ଧିନାହିଁ ।

 

କୁନବାବୁ ଦେଖି ହସିଲେ ଟିକିଏ ।

 

ପାଖକୁ ଡାକିଲେ–ରତନୀ ଆସିଲାନି ପାଖକୁ ତାଙ୍କର ।

 

ଏ କ’ଣ ? କାନ୍ଦୁଛୁ ? କ’ଣ ତୋର ହେଲା ?

 

କାନକୁ ଭିଡ଼ ହେଉଛି । ଗୋଟାଏ ଦିନ ପିନ୍ଧିଲି, କାନ ଦି’ଟା ମୋର ଫୁଲି ଗଲାଣି–ରତନୀ କହିଲା ।

 

କାନଫୁଲ ଯୋଡ଼ାକ ରତନୀର କାନରେ ପୁନରାୟ ପିନ୍ଧାଇ ଦେଲେ ଆଣି କୁନବାବୁ ।

 

ରତନୀ ଉହୁ ଉହୁ ହେଉଥାଏ ।

 

କ୍ଷଣକରେ ଯନ୍ତ୍ରଣା କେଉଁଆଡ଼େ ଉଭେଇ ଗଲା ।

 

ରତନୀ ତୁ ମୋ ଆଖିରେ ଆଜି କେଡ଼େ ସୁନ୍ଦର ଦିଶୁଛୁ । ସତେ ଯେପରି ଅପ୍‌ସରୀ, ଏପରି ସୁନ୍ଦର ରୂପକୁ କେଉଁଠି ଲୁଚାଇ ରଖିଥିଲୁ ?

 

ମୋତେ ଥଟ୍ଟା କରୁଛ ତମେ ।

 

–ନା ନା ତୋତେ ଥଟ୍ଟା କରୁନି । ମୋ କଥା ଯଦି ତୋ ମନକୁ ପାଉନି, ତେବେ ଅଇନା ପାଖକୁ ଯାଇ ନିଜର ମୁହଁଟିକୁ ଦେଖିଲେ ବୁଝି ପାରିବୁ ।

 

ତଳକୁ ମୁହଁପୋତି ହସିଲା ସେ ।

 

କୁନବାବୁ ତମକୁ ଗୋଟାଏ କଥା ପଚାରିବି, ଦୁଃଖ କରିବ ନାହିଁତ ମନରେ ?

 

–ନା ନା ଦୁଃଖ କାହିଁକି କରିବି ?

 

କି କଥା ?

 

ଆଛା କହିଲ ତମେ, ଆମେ କ’ଣ ସବୁଦିନେ ଏହି କଟକରେ ଏମିତି ରହିଥିବା ? ତମେ ଘରୁ ରାଗ ତମରେ ଚାଲି ଆସିଲ । ବାପା ବୋଉଙ୍କ ମନରେ କେତେ ଦୁଃଖ ହୋଇ ନଥିବ-? ତମକୁ ସେ କେତେ ଖୋଜୁ ନଥିବେ । ଏତେବଡ଼ ଜମିଦାରୀ । ବାପା ଏକୁଟିଆ-। ସେସବୁ ଦେଖାଶୁଣା କରିବାକୁ କେହିନାହିଁ । ତାକୁ ଛାଡ଼ି, ମୁଁ ଗୋଟାଏ ଗରିବ ଝିଅ–ମୋ ଜୀବନରେ ଅଛି କଣ ? ମୋ ପଛରେ କାହିଁକି ଧାଉଁଛ ? ମୋତେ କିଛି ଭଲ ଦେଖା ଯାଉନି ।

 

ଯଦି ବାପା ଏ ଖବର ପାଆନ୍ତି–ତାହାହେଲେ ମୋ ଅବସ୍ଥା କ’ଣ ହେବ ଜାଣ ?

 

ରତନୀ ! ତୋ ମୁଣ୍ଡ କ’ଣ ଖରାପ ହୋଇ ଗଲାଣି ? ମନ୍ଦଚିନ୍ତା ମନ୍ଦକଥାଗୁଡ଼ାକ କାହିଁକି ତୁ ମନରେ ସ୍ଥାନ ଦେଉଛୁ ?

 

ବିପଦ ଯଦି ଆସେ–ତାର ସମ୍ମୁଖୀନ ହେବାକୁ ମୁଁ ପତାଇବି ଛାତି ।

 

ଝଡ଼ ଯଦି ଆସେ–ଝଞ୍ଜା ଯଦି ବହେ, ମୁଁ ନିର୍ଭିକ ହୋଇ ତା’ ସହିତ ସଂଗ୍ରାମ କରିବି । ବୃଥାଟାରେ ତୋର ଏ ଚିନ୍ତା କାହିଁକି ?

 

ରତନୀର ଛାତି ଗର୍ବରେ ଫୁଲି ଉଠିଲା । ଯାହାଙ୍କର ସାହାଯ୍ୟ ସହାନୁଭୂତି, ସ୍ନେହଶ୍ରଦ୍ଧା, ପ୍ରାଣଭରା ମମତା; ଦୃଢ଼ ରଜ୍ଜୁରେ ବାନ୍ଧି ରଖିଛି ତାକୁ । ବାସ୍ତବିକ ସେ ତା’ର ଦେବତା ଛଡ଼ା ଆଉ କ’ଣ ହୋଇପାରେ ? ଦୁଃଖର କରାଳ ଆବର୍ତ୍ତନ ଭିତରେ ସେ ଯେତେବେଳେ ପଥ ନପାଇ–ନିରାଶ୍ରିତା ହୋଇ, ସବୁ ସମ୍ବଳ ହରାଇ ଥିଲା, ସେତେବେଳେ ସେ ତାଙ୍କର ଅଭୟ ବାଣୀ ପାଇଛି । ସବୁ ତୋର ଅଛି–ଡର ନାହିଁ ରତନୀ । ତୋ ପଛରେ ମୁଁ ଅଛି । ସୁଖ ଦୁଃଖରେ ମୁଁ ତୋର । ଆଜି ତାର ସେହି ଦେବତା ପାଦତଳେ ମୁଣ୍ଡ ନୁଆଇଁ ଆଖିରୁ ଦୁଇଧାର ଅଶ୍ରୁ ଢାଳିଦେଲା ସେ ।

 

ସଂଧ୍ୟାର ସଙ୍କେତ ଦେଇ ପାଖ ଚଣ୍ଡି ମନ୍ଦିରରୁ ଘଣ୍ଟା ବାଜି ଉଠିଲା ।

 

ତର ତର ହୋଇ ଉଠି ଆସିଲା ବାରଣ୍ଡା ପାଖକୁ ରତନୀ । ରାସ୍ତା ଜନ ଗହଳି । ଗାଡ଼ି ଘୋଡ଼ାର ଘରଘର ଶବ୍ଦ ଯେପରି କି ତାଙ୍କର ନିତ୍ୟ ନୈମିତ୍ତିକ କାମରେ ଲାଗିଛନ୍ତି । ଦଣ୍ଡେ ବିରାମ ନାହିଁ । ଚାହିଁଲା ସେହି ସବୁକୁ ।

 

କୁନବାବୁ ବସିବା ସ୍ଥାନରୁ ଉଠି ପଡ଼ିଲେ–ସତେ ଯେପରି କିଛି ଜାଣନ୍ତିନି । ବାରଣ୍ଡାରେ ରତନୀ ପାଖକୁ ଲାଗିଆସି ଛିଡ଼ା ହେଲେ । ଦୁଇଜଣ ନୀରବ । ରତନୀ ଘୁଞ୍ଚି ଘୁଞ୍ଚି ଗଲା ଦୂରକୁ । ଆନନ୍ଦ କୌତୂହଳରେ ଦୁଇଟି ପ୍ରାଣ ହସି ଉଠିଲା ସମତାଳରେ ।

 

ସଂଧ୍ୟାର ଅନ୍ଧକାରକୁ ଦୂରକରି ରାସ୍ତାର ବିଜୁଳିବତୀଗୁଡ଼ାକ ଜଳି ଉଠିଲା । ଟିଂ ଟିଂ ଶବ୍ଦ କରି ରିକ୍‍ସା ଛୁଟି ଚାଲିଛି । ସଂନ୍ଧ୍ୟା ଭ୍ରମଣ ଉଦ୍ଦେଶ୍ୟରେ ମୁକ୍ତ ହାଓ୍ୱା ଖାଇବା ପାଇଁ ମହାନଦୀ କୂଳଆଡ଼େ ଛୁଟିଛନ୍ତି, କଲେଜର ଛାତ୍ରଛାତ୍ରୀମାନେ ।

 

ରତନୀ ସଭିଙ୍କୁ ଚାହିଁଛି–ସଭିଙ୍କୁ ଦେଖୁଛି । ମନରେ ତାର ଆନନ୍ଦ ।

 

ଦଶମୀର ଫାଳିକିଆ ଜହ୍ନକୁ ଏକ ଲୟରେ ଚାହିଁଛି ସେ । ପ୍ରାଣ ଭରି ଖୋଲି ମନର ଅବ୍ୟକ୍ତ କଥା କ’ଣ ଯେ ଭାବି ଚାଲିଛି । ଭାବନାର ଅନ୍ତନାହିଁ ।

 

ଭାବନା ତାର ଭାଙ୍ଗିଗଲା କୁନବାବୁଙ୍କ ଡାକରେ ।

 

କୁନବାବୁ କହିଲେ-‘‘ରତନୀ ।’’

 

କ’ଣ ?

 

ଆଜି ଟିକେ ମହାନଦୀ କୂଳଆଡ଼େ ବୁଲି ଆସିବା ଚାଲେ ମୁକ୍ତହାଓ୍ୱା ଟିକେ ହେଲେ ମିଳିବ ।

 

ତମେ ଯାଅ । ମୁଁ ଯିବିନାହିଁ ତେଣିକି ।

 

କାହିଁକି ?

 

ମୁଣ୍ଡ ବଥାଉଛି ।

 

ଔଷଧ ଚାହଁ ।

 

କିଛି ଦରକାର ନାହିଁ ।

 

ତା ହେଲେ ଖଟରେ ଯାଇ ଶୋଇପଡ଼ ।

 

ମୁଁ ଶୋଇବି ଯେ, ତମେ ବାହାରକୁ ଯାଅ ଆଗେ ।

 

ବାହାରକୁ ଯିବା କଣ ତୋ ମତରେ ନୀତି ବିରୁଦ୍ଧ ?

 

ମୁଁ କଣ କହୁଛି ନୀତି ବିରୁଦ୍ଧ ?

 

କୁନବାବୁ ରତନୀର ହାତ ଦୁଇଟା ଧରି ଖଟରେ ଶୁଆଇ ଦେଲେ ଆଣି ।

 

ରତନୀ ଆଖି ମିଞ୍ଜିମିଞ୍ଜି କରି ମୁରୁକି ମୁରୁକି ହସୁଥାଏ ।

 

ଲକ୍ଷ୍ୟକଲେ କୁନବାବୁ, ଏସବୁ ତାର ପେଖନା ।

 

–ଯେମିତି ହେଲେ ବାହାରକୁ ଛାଡ଼ି ନଦେବାର ଫିକର ।

 

ଛଳନା କରି କୁନବାବୁ ବାହାରକୁ ଚାଲି ଆସିଲେ ।

 

ରତନୀ ଭାବିଲା, ନିଶ୍ଚୟ ସେ ବାହାରକୁ ଚାଲିଯିବେ ।

 

ପିନ୍ଧା କାନିଟା ତାଙ୍କର ଟାଣି ଧରିଲା । ଅସଂଯତ ହୋଇ ପଡ଼ି, କୁନବାବୁ ରତନୀ ଗାଲରେ ଗୋଟାଏ ଛୋଟ ଚାପେଟ ଘାତକଲେ ।

 

ରତନୀ ମୁହଁ ବୁଲାଇ ନେଇ ଠୋ ଠୋ ହୋଇ ହସି ଉଠିଲା ।

 

ପୁଣି ମୋତେ ବିରକ୍ତ କରୁଛୁ ରତନୀ ? ଆଉ ହବନି । ତୋର ଏ ମନ୍ଦ ସ୍ୱଭାବ ପାଇଁ ତୋତେ ଶାସ୍ତି ଦେବି । କି ଶାସ୍ତି ?

 

ତାର ଦୁଇବାହୁ ଧରି କୁନବାବୁ ପାଖକୁ ଆଉଜାଇ ଆଣି ସୁନ୍ଦର ଗାଲରେ ଗୋଟିଏ ସ୍ନେହମିଶା ଚୁମ୍ବନ ଦେଇକହିଲେ–ଏହି ତୋର ଉପଯୁକ୍ତ ଶାସ୍ତି ।

 

ରତନୀର ଦେହ ଶୀହରି ଉଠିଲା ।

 

ପାଖ କୋଠରୀ ଭିତରୁ ହାରମୋନିୟମର ମଧୁର ଝଙ୍କାର ସହିତ ପ୍ରେମର ମନ୍ଦାକିନି ଧାରା ଛୁଟାଇ ଲଳିତ ସ୍ୱରଟି କାହାର ପବନରେ ଭାସି ଆସୁଥିଲା । କାହାର ଏ ବୀଣାଜିଣା ସୁଲଳିତ ଛନ୍ଦ ? ତନ୍ମୟ ହୋଇ ଦୁଇଟି ପ୍ରାଣ କାନ ଡେରି ଶୁଣିଲେ, ବେଳୁବେଳ ସ୍ୱରଟି ଆହୁରି ମଧୁମୟ ଶୁଭିଲା । ଚମତ୍କାର । ଅବସାଦ ପ୍ରାଣରେ ଆନନ୍ଦ ଆଣେ, ଏଇସବୁ ସଂଗୀତ ।

 

ରତନୀର ଦୁଇବାହୁ ଭିଡ଼ି ଧରିଲେ କୁନବାବୁ ।

 

ପ୍ରତି ଅଙ୍ଗପ୍ରତ୍ୟଙ୍ଗରେ ସ୍ପନ୍ଦନ ଖେଳିଗଲା ।

 

ମନଟା ତାର କେମିତିକା ହୋଇଗଲା । ଛଳନା କରି ବାରନ୍ଦାକୁ ଉଠି ଆସିଲା ରତନୀ ।

 

ପାରାପେଟରେ ଦୁଇହାତ ରଖି ନୀଳ ଆକାଶର କମନୀୟ ଶୋଭାକୁ ଚାହିଁ ରହିଲା । ସତେ ଯେପରି କେଉଁ ଅଜଣା ପରଶରେ ଦେହ ତାର ଥରି ଉଠୁଛି । ସୁଖ ସ୍ୱପ୍ନ ପାଇଁ ପ୍ରାଣ ତାର କେବେ ବ୍ୟାକୁଳ ହୋଇନି । ଯୌବନର ମଦୁଆ ଗନ୍ଧରେ ଆମୋଦିତ ହୋଇଛି ସେ । କ୍ଷୁଧାର ଆର୍ତ୍ତନାଦ କେତେ ଥର ଚଞ୍ଚଳତା କଲାଣି ତାର ମନକୁ । ତଥାପି.....ଧୈର୍ଯ୍ୟ ତାର ଅସୀମ । ମନ ତାର ଦୃଢ଼ ।

 

ଅଳ୍ପସମୟ ଭିତରେ ବାରନ୍ଦାରୁ ଚାଲି ଆସିଲା ଘରକୁ ପୁଣି । ମନଟା ଚଞ୍ଚଳ ହେଉଥାଏ ଖାଲି ।

 

ଖଟ ପାଖକୁ ଗଲା । କୁନବାବୁ ଚିନ୍ତାମଗ୍ନ, ଶୋଇ ଶୋଇ ଭାବୁଛନ୍ତି, କେତେକଣ ।

 

ଅପବାଦ

କିଛି ବୁଝି ପାରିଲା ନି ସେ ।

 

ଅତୀତ ଭବିଷ୍ୟତକୁ କେନ୍ଦ୍ରକରି ଭାବନାର ସ୍ରୋତ ଭାସି ଚାଲିଛି । ଅନ୍ତ ତା’ର ନାହିଁ । ଏକଲୟ ଏକ ଧ୍ୟାନରେ ଚାହିଁଛନ୍ତି ସେ ଉପରକୁ ।

 

ରତନୀ ତାଙ୍କ ପାଖକୁ ଲାଗି ଲାଗି ବସିଲା ।

 

ତଥାପି କୁନବାବୁଙ୍କର ଧ୍ୟାନ ଭାଙ୍ଗିଲା ନାହିଁ ।

 

–ଏ କଣମ ? ଏତେ ଗୁଡ଼ା ଭାବୁଛ କଣ ?

 

ଧ୍ୟାନ ଭାଙ୍ଗିଗଲା । ଗତ ଭବିଷ୍ୟତ ସ୍ୱପ୍ନ ତାଙ୍କର ଉଭାଇ ଗଲା କେଉଁଆଡ଼େ ।

 

ମୁହଁରେ ହସ ଫୁଟାଇ କହିଲେ, ‘‘ନା ରତନୀ କିଛି ଭାବୁନାହିଁ ।’’

 

ହଁ ତୁମ ମୁହଁ କହି ଦେଉଛି, ଭାବୁଛି ବୋଲି ମୋତେ ନ କହିଲେ କଣ ହେବ ?

 

ନା’ମ ଭାବିବି କଣ ? ସେମିତି ଶୋଇ ରହିଥିଲି ନା ।

 

–ହେଉ ତୁମେ ଭାବ, ଆହୁରି କେତେ ଭାବ, ଆପତ୍ତି ନାହିଁ ସେଥିରେ । ସଂଜ ବେଳଟା-। ଶୋଇ ରହିବା ଭଲ ନୁହେଁ । ତମେ ଟିକେ ଉଠି ବସିଲ ।

 

କୁନବାବୁ ସୁନା ପିଲାଟି ପରି ଉଠି ବସିଲେ ।

 

ରତନୀ ରୋଷେଇ ଘରକୁ ଯାଇ ଷ୍ଟୋପଟା ଲଗାଇ ଚା ବସାଇଲା । ଦଶ ମିନିଟ ଭିତରେ ଗୋଟାଏ ପରିଷ୍କାର କପ୍‌ରେ କପେ ଚା ଗୋଟାଏ ପ୍ଲେଟରେ ଚାରିଖଣ୍ଡ ବିସ୍କୁଟ ଆଣି ଥୋଇଦେଲା କୁନବାବୁଙ୍କ ପାଖରେ ।

 

କୁନବାବୁ ବସୁ ବସୁ ନିଦରେ ଢୋଳାଇ ପଡ଼ୁଥା’ନ୍ତି ।

 

ମଲା ମ ଏଇକ୍ଷଣି ବସି ଗପ ଲଗାଇଥିଲ । ଏହା ଭିତରେ ପୁଣି ନିଦ ।

 

ଶୁଭୁଛି ।

 

ଚା’ ପିଇଦିଅ । ପରେ ଶୋଇବ ।

 

କୁନବାବୁଙ୍କର ନିଦ ଝୁଙ୍କଟା ଭାଙ୍ଗିଗଲା । ଆଖିମଳି ଦେଖିଲେ ରତନୀ ଚା କପଟା ଥୋଇ ଦେଇଛି ତାଙ୍କପାଖରେ । ଏହା ଭିତରେ କେତେବେଳେ ଚା’ବି କରି ସାରିଲୁଣି ?

 

ହଁ ।

 

ଆଉ କଣ ଜଳଖିଆ କିଛି ଅଛି ।

 

ବିସ୍କୁଟ ।

 

କୁନବାବୁଙ୍କ ହାତକୁ ବିସ୍କୁଟ ପ୍ଲେଟ୍‌ଟା ବଢ଼ାଇ ଦେଲା ରତନୀ ।

 

କୁନବାବୁ ଚା’ ପିଇଲେ ।

 

ରତନୀ ରୋଷେଇ ଘରେ ରାତି ଭୋଜନର ଆୟୋଜନ କରୁଛି ।

 

ଦରଜାରେ କରାଘାତ କାହାର ଶୁଭିଲା । କୁନବାବୁ ଧାଇଁ ଯାଇ ଦରଜା ଖୋଲିଦେଲେ-

 

ଏଇ ଯେ ନିର୍ମଳ ।

 

ସେଇ ଦିନୁ ମୁଁ ଚାହିଁଛି । କହିଲୁ ଆସିବାକୁ ଏ ପର୍ଯ୍ୟନ୍ତ ଦେଖାସାକ୍ଷାତ ନାହିଁ । ହଉ ଘରଭିତରକୁ ଆ ।

 

ଦୁଇବନ୍ଧୁ ଖଟ ଉପରେ ଯାଇ ବସିଲେ ।

 

ନିର୍ମଳ କହିଲା, ‘‘ଏତେ ଗୁଡ଼ାକ ଆଉ କହନା କୁନ ।’’

 

ସେଦିନ ଦେଖା ସାକ୍ଷାତରେ ଯେପରି ବ୍ୟସ୍ତତାରେ ସମୟ କଟିଛି ।

 

ତୁ ତ ଚଞ୍ଚଳ ଚାଲିଆସିଲୁ । ତୋ ଘରକୁ ଆସିବାକୁ ମୋତେ କହିଥିଲୁ ଅବଶ୍ୟ, ଠିକଣାଟା ଦେଇ ଥିଲୁକି ? କଟକ ସହର । ଗଳିଗଳି, ଅନ୍ଦିସନ୍ଦି, ତୁ କେଉଁଠି ଅଛୁ ମୁଁ ଜାଣିବି କେମିତି ? ରୋଜ ଆସିବାକୁ ଇଛାକରେ, ଏଥିପାଇଁ ଆସି ପାରେନା । କାଲି ଟାଉନ୍‌ ହଲ୍‌ରେ ଗୋଟାଏ ବଡ଼ ଧରଣର ମିଟିଂ ଥିଲା । ସେଠାକୁ ଯାଇଥିଲି । ସୁରେଶ ଦେଖା ହେଲା । ଠିକଣାଟା ତା’ରି ପାଖରୁ ପାଇଲି ।

 

ସୁରେଶ କିଏ ନିର୍ମଳ ?

 

ସେଇମ ଯିଏ ଆମ କ୍ଲାସରେ ପଢ଼ୁଥିଲା । ତୁ ଯାହାକୁ ଟିମା ଟିମା କହି ବିରକ୍ତ କରୁ । ଓକିଲ ବିନୋଦ ବାବୁଙ୍କ ପୁଅ ।

 

ଓଃ ବିନୋଦ ବାବୁଙ୍କ ପୁଅ ସୁରେଶ ?

 

ହଁ ହଁ ମନେ ପଡ଼ିଲା । ସେ ମୋର କାଲି ଷ୍ଟୁଡ଼େଣ୍ଟ ଷ୍ଟୋରରେ ଦେଖା ହୋଇଥିଲା । ମୁଁ କେତେ ଖଣ୍ଡି ନୂଆ ନଭେଲ ବହି ଦେଖୁଥିଲି, ସେ ଯାଇ ପହଞ୍ଚିଲା । ମୁଁ ପ୍ରଥମେ ତାକୁ ଚିହ୍ନି ପାରି ନଥିଲି । ସେ ଆଗ ମୋତେ ଚିହ୍ନାଦେଲା । ତା ସାଙ୍ଗରେ ତେର ଚୌଦ ବର୍ଷର ଗୋଟିଏ ଝିଅ ଥାଏ-। ମୋତେ ଚିହ୍ନାଇଦେଇ କହିଲା, ‘‘ଏ ମୋର ଭଉଣୀ ଶ୍ରୀମତୀ ଚପଳା । ମାଇନର ଫାଷ୍ଟ କ୍ଳାସରେ ପଢ଼େ । କଲର୍ସିପି ନେଇଛି ।’’

 

ଚପଳା ନମସ୍କାର କଲା ।

 

ବ୍ୟସ୍ତ ଥିବାରୁ ମୁଁ ସେଦିନ ତାଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା ନ କରି ଚାଲି ଆସିଲି । ବଡ଼ ଅନୁରୋଧ କରିଛି ସେ, ଯିବାପାଇଁ ।

 

ହଁ କି ମିଟିଙ୍ଗ ଟାଉନ ହଲ୍‌ରେ ହେଉଥିଲା ନିର୍ମଳ ? ଆଲୋଚ୍ୟ ବିଷୟଟା କ’ଣ ଥିଲା-?

 

ଆଲୋଚ୍ୟ ବିଷୟ ଥିଲା, ପନ୍ଦର ଅଗଷ୍ଟରେ ଆସାମରେ ଯେଉଁ ପ୍ରବଳ ଭୂମିକମ୍ପ ହୋଇଯାଇଛି, ସେଠାରେ ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି । ଧନସମ୍ପଦ ଯାଇଛି, କୋଠାବାଡ଼ି ଯାଇଛି, ସବୁ ହରାଇଛନ୍ତି ସେମାନେ । ଗୋଟାଏ ରିଲିଫ୍‌ କେନ୍ଦ୍ର ଖୋଲାଯାଇ ସେମାନଙ୍କୁ କିପରି ଆର୍ଥିକ ସାହାଯ୍ୟ ଦିଆଯିବ ? ମୋତେ ମଧ୍ୟ ସେ କମିଟିରେ ମେମ୍ବର କରିଛନ୍ତି । ଆଜିକାଲିତ ଯେପରି ପରିସ୍ଥିତି ଦେଖୁଛୁ କୁନ । ଚାନ୍ଦାଭେଦା ଦେଇ ଦେଇ ଲୋକେ ସର୍ବସ୍ୱାନ୍ତ । କାହାପାଖକୁ ଯାଇ ଗୋଡ଼ ଭାଙ୍ଗି ଛିଡ଼ା ହୋଇ ଚାନ୍ଦା ମାଗିବ ମଣିଷ !

 

ତଥାପି ନିଜ ଶକ୍ତି ଅନୁଯାଇ କର୍ତ୍ତବ୍ୟ ପାଳନ କରିବାକୁହିଁ ହେବ । ପ୍ରତିବର୍ଷ ଓଡ଼ିଶାରେ ବନ୍ୟା, ଓଡ଼ିଶାରେ ମରୁଡ଼ି, ଓଡ଼ିଶାରେ କାଳ । ପ୍ରତିବର୍ଷ ରିଲିଫ୍‌ କେଦ୍ର ଖୋଲା । ପ୍ରତିବର୍ଷ ଚାନ୍ଦା ଆଦାୟ ।

 

ଏହିତ ଦେଶର ଅବସ୍ଥା !

 

ନିର୍ମଳ, ତୁତ ବେଶ୍‌ ସାଧାରଣ ଜନହିତକର କାମରେ ଲାଗି ପଡ଼ିଛୁ । ଛାତ୍ର ଜୀବନରେ ଦେଖିଥିଲି ଯେଉଁ ନିର୍ମଳ ଏ ସବୁ କାମରେ ଛାତି ପତାଇ ଦିଏ, ଆଜି ମଧ୍ୟ ଠିକ୍‌ ତାହାହିଁ । ଟିକିଏ ବି ଅଦଳବଦଳ ହୋଇନି । ସେହି ନିର୍ମଳ ଆଜିବି ଲାଗି ପଡ଼ିଛି । ବଡ଼ ଗୌରବ କଥା । ତୋର ଏସବୁ କାମ ଦେଖି, ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଈଶ୍ୱର କରନ୍ତୁ, ତୁ ଏହିପରି ଜନହିତକର କାମରେ ଲାଗି ରହିଥା ।

 

ଆଉ ତୁ ?

 

ମୁଁ ଆଉ କ’ଣ କରିବି ଭାଇ । ସବୁ କାମରେ ଅକର୍ମଣ୍ୟ । ଉତ୍ସାହ କମି ଗଲାଣି । ସାହସ ବୁକୁରେ ନାହିଁ । ଛାତ୍ର ଜୀବନ ମୋର କେଉଁ ଅତୀତରେ ମିଶି ଗଲାଣି । ମୁଁ ଆଉ କ’ଣ କରିପାରେ ?

 

ହେଉ ତେବେ ନିର୍ମଳ, ଆମର ଏସବୁ ଚର୍ଚ୍ଚା ଥାଉ । ତୋର ଆଉ ଖବରଟା କ’ଣ ?

 

ପ୍ରକୃତରେ ସେଦିନ ତୋତେ ମୋର ଠିକଣାଟା ନଦେଇ ପାରି ନିଜକୁ ବଡ଼ ଅନୁତାପ କରୁଛି । କ୍ଷମା କରିବୁ ଭାଇ । ମନରେ ଅନ୍ୟ କିଛି ଭାବିବୁ ନାହିଁ । ବଡ଼ ଭୁଲକରି ପକାଇଛି ।

 

ମନରେ ଅନ୍ୟ କ’ଣ ଭାବିବି ଆଉ ? ସେଦିନ ତୁ ଯେପରି ବ୍ୟସ୍ତରେ ପଡ଼ିଥିଲୁ, ଭୁଲ ସ୍ୱଭାବିକ । ମୁଁ କଣ ସେହି କଥାଟାକୁ ଧରି ବସିଛ ?

 

ଖବର କ’ଣ ପଚାରୁଛୁ କୁନ, ତୋ ଖବରଟା ଆଗ କହ ।

 

ମୋ ଖବର ଆଉ କ’ଣ ? ବର୍ତ୍ତମାନ କେବଳ ଯନ୍ତ୍ରଣା ଭୋଗ କରୁଛି ଭାଇ । ଦିନଥିଲା ସୁଖ ଶାନ୍ତିରେ ଥିଲି । ମଉଜ ମଜଲିସରେ ସେହିପରି ଦିନଗୁଡ଼ାକ କଟୁଥିଲା । ଦିନକୁ ଦିନ ଅନ୍ତର । କେତେବେଳେ ଜୀବନ ଚକ୍ର ଘୂରି ଘୂରି ଆସି କେଉଁ ପ୍ରାନ୍ତରରେ ଲାଗିବ, କିଏ କହିପାରେ ?

 

ଏଣୁ ତେଣୁ କ’ଣ ବକି ଯାଉଛୁ କୁନ ? ମୁ ତୋ କଥାର କିଛି ଅର୍ଥ ବୁଝି ପାରୁନି । ଏମିତି କି ଝଡ଼ଝଞ୍ଜା ତୋ ଜୀବନ ଦେଇ ବହି ଯାଇଛି, ତୋର ଆଜି ଏ ମନ ବୃତ୍ତି ।

 

ହଁ ନିର୍ମଳ, ସେମିତି କିଛି ଘଟିଛି । ତା’ ନହୋଇଥିଲେ, ତୋତେ ଏସବୁ କଥା କହିବାକୁ ଯାଇଥାନ୍ତି କାହିଁକି ?

 

କ’ଣ ତୋ ଜୀବନରେ ଏମିତି ଘଟି ଯାଇଛି କହନି ମୋତେ ?

 

କହି ଲାଭ ନାହିଁ କିଛି । ସେ କଥାରେ ମୁଣ୍ଡ ଖେଳାଇ କାହିଁକି ମୁଣ୍ଡଟାକୁ ଖରାପ କରିବୁ-?

 

ଆଗ ତୋ ଖବରଟା କ’ଣ କହନି ?

 

ମୋ ଖବର ? ମୋର ଆଉ କି ଖବର କୁନ ?

 

ଦୁଇବନ୍ଧୁଙ୍କ କଥୋପକଥନ ରୋଷ ଘରେ ଥାଇ ରତନୀ କାନ ଡେରି ଶୁଣୁଥାଏ ।

 

ନିର୍ମଳ କହିଲା–

 

ସେଦିନ ଚାଲି ଯାଇଛି କୁନ । ମଣିଷ ଯେତେବେଳେ ମୁକ୍ତ ବିହଙ୍ଗମ ପରି ମନଇଛା ଏଣେତେଣେ ବୁଲି ପାରୁଥିଲା, ଖେଳି ପାରୁଥିଲା–ହସି ପାରୁଥିଲା, ଅନ୍ତର ସେତେବେଳେ ଥିଲା ମୁକ୍ତ, ପ୍ରାଣରେ ଥିଲା ଶାନ୍ତି । ମନରେ ଥିଲା ଆନନ୍ଦ । ଆଜି ସେସବୁ କେଉଁଆଡ଼େ ଉଭାଇ ଗଲାଣି-। ମଣିଷର କଠୋର ନିର୍ମମ ବନ୍ଦନୀ ଭିତରେ ନିଜକୁ ପେଷି ହେବାକୁ ଆଜି ହେଉଛି-। ପ୍ରାଣଟା କେବଳ ଛଟପଟ ହେଉଛି ଯାହା । ଶାନ୍ତି କାହିଁ ? ସୁଖ କାହିଁ ?

 

ଅଭାବର କରାଳମୂର୍ତ୍ତି ଟାକି ରହିଛି । ଅନ୍ନବସ୍ତ୍ରର ଅଭାବ ଯେଉଁଠି ଦେଖିବୁ ସେଠି । ଦୁଇବେଳା ପେଟ ପୁରାଇ ଲୋକେ ଖାଇବାକୁ, ସୁଖସ୍ୱାଚ୍ଛନ୍ଦ୍ୟରେ ରହିବାକୁ ପାଉ ନାହାନ୍ତି । ବଜାର ଦର ହୁ-ହୁ ହୋଇ ବଢ଼ି ଉଠୁଛି । ପରିବାରଟିକୁ ଚଳାଇବା କାଠିକର ପାଠ ହେଇ ଯାଉଛି । ଏମିତିକା ପରିସର ଭିତରେ ଜୀବନଟା ଭାଇ ରୁକ୍ଷ ହୋଇ ଗଲାଣି । ବାପା ଥିଲେ, ଘରସଂସାରର ଦାୟିତ୍ୱ ଥିଲା ତାଙ୍କ ଉପରେ । ବାପା ମରିଗଲା ଦିନଠାରୁ ସେ ସବୁ ଭାର ମୋ ଉପରେ । ଏହା ବ୍ୟତୀତ ଭଉଣୀ ବିନିତା ସେ ବି ବିବାହ ଉପଯୁକ୍ତ ହୋଇ ଗଲାଣି । ତାକୁ ବିବାହ ଦେବାକୁ ହେବ । ମାସିକ ଯାହା ଦୁଇଶହ ଟଙ୍କା ଦରମା ମିଳେ । ସେଥିରେ ପରିବାରଟି ଯେନତେନ ଭାବେ, ତିରିଶଟି ଦିନ ଚଳି ଯାଆନ୍ତି । ସଞ୍ଚିତ ରଖିବାର ସୁଯୋଗ ଆଉ କାହିଁ ? ଭଲ-ମନ୍ଦ ବିପଦ-ଆପଦ କେତେବେଳେ କଣ ? କଟକ ସହର; ରାସ୍ତାକୁ ବାହାରି ପଡ଼ିଲେ ନାନାଦି ଖର୍ଚ୍ଚ । ଜୀବନଟା ଖାଲି ହା ହୁତାଶନରେ କଟୁଛି ଭାଇ । ମୋ ଖବର ଶୁଣି ସୁଖା ହେବୁନି କୁନ । ବରଂ ଦୁଃଖିତ ହେବୁ । ଖାଲି ଅଭାବ ଖାଲି ଅନାଟନ । ଖାଲି ହତାଶ ।

 

ନିର୍ମଳର କଥାଗୁଡ଼ାକ, ଏକ ଲୟରେ; ଏକ ଧ୍ୟାନରେ ଯେପରି ଶୁଣି ଯାଉଥିଲେ କୁନବାବୁ । ମନରେ ତାଙ୍କର କେତେ ଭାବନା ଖେଳି ଯାଉଥିଲା । ଏହିସବୁ ଦାୟିତ୍ୱଗୁଡ଼ିକ ଯେପରି ସେ ନିଜେ ଆଜି ତୁଲାଉଛନ୍ତି–ତାଙ୍କର ମନେ ହେଉଛି ଏହି ସବୁ ଧକ୍‌କାରେ ସେ ଯେପରି ଅଟକି ଯାଇଛନ୍ତି ନିଜେ ।

 

ଗମ୍ଭୀର ହୋଇ କୁନବାବୁ କହିଲେ–

 

ଆଛା ନିର୍ମଳ ! ତୋର କଣ ଏହା ଭିତରେ ବିବାହ କାମ ସରି ଯାଇଛି ?

 

ହଁ, କୁନ, ବାପା ଥିଲା ସମୟରେ ସେ ସବୁ କାମ ବଢ଼ି ଯାଇଛି ।

 

ଭୋଜି ଭାତ ନ ଦେଇଥାନ୍ତୁ ନାହିଁ–ନିମନ୍ତ୍ରଣ ଟିକେ ବି କଲୁନି ?

 

ଯେଉଁ ଭାବରେ ବିଭାଘରଟା ହେଲା କୁନ, ସେପରି ବିଭାଘର କାହାର ହୁଏନା । ହଠାତ୍‌ ବାପାଙ୍କର କଣ ଗୋଟାଏ ଝୁଙ୍କ ହେଲା, ବୋଉଙ୍କୁ କହି ଆୟୋଜନ କରି ବସିଲେ । ସେତେବେଳେ ମୁଁ ପୁଣି ଅସୁସ୍ଥ । ମେଲେରିଆ ଭୋଗୁଥାଏ । ଏତେ ବ୍ୟସ୍ତତା ଭିତରେ ବାପା ଆଉ କୌଣସିଠାକୁ ନିମନ୍ତ୍ରଣ ପଠାଇ ପାରି ନାହାନ୍ତି ।

 

ଯା ହେଉ କ୍ଷମା କରିବୁ କୁନ । ନିମନ୍ତ୍ରଣଟା ନଦେଇ ପାରି ଥିବାରୁ ତୋଠାରୁ କ୍ଷମା ମାଗି ନେଉଛି ।

 

ଭୋଜି ଭାତ ଦିନେ ତୋ ଘରକୁ ଯାଇ ଖାଇଦେଲେ କଣ ହେଉନି ? ସେଥିରେ ଅଛି କଣ ?

 

ହଁ ମୋର ନିମନ୍ତ୍ରଣଟା ରହିଲା ।

 

ତେବେ ଆଜିଠାରୁ ବୁକ୍‌କରି ରଖିଲି, କୁନବାବୁ କହିଲେ ।

 

ଦୁଇବନ୍ଧୁ ହସି ଉଠିଲେ ।

 

ଆଛା ନିର୍ମଳ, ତୋର ପିଲାପିଲି କେତୋଟି ?

 

ପୁଅଟିଏ, ଝିଅଟିଏ ।

 

କୁନବାବୁ ହସି ଉଠିଲେ ।

 

ନିର୍ମଳ କହିଲା–କାହିଁକି ହସିଲୁ କୁନ ।

 

ହସିଲି କାହିଁକି ନିର୍ମଳ ? ହସିଲି ତୋ’ରି କପଟ ବ୍ୟବହାର ଦେଖି ।

 

କପଟ ବ୍ୟବହାର ?

 

ହଁ କପଟ ନୁହେଁତ ଆଉ କଣ ?

 

ବିବାହ ନିମନ୍ତ୍ରଣଟା ସିନା ଦେବାକୁ ଭୁଲି ଯାଇଥିଲୁ, କିନ୍ତୁ ପୁଅ ହେଲା, ଝିଅ ହେଲା, କୌଣସି ଖବର ମୁଁ ତ ଜାଣେନି ? ତୁ ପୁଣି ଝିଅର ବାପ ହୋଇ ଗଲୁଣି । ସେଥିପାଇଁ ଟିକିଏ ହସ ମାଡ଼ିଲା ନିର୍ମଳ ।

 

ଓଃ, ଏଇଥି ପାଇଁ ହସ ମାଡ଼ିଲା ?

 

ତୁ ଜାଣିବୁ କାହୁଁ ? ବହୁ ଦୂରରେ ରହିଲେ ଖବର ଅନ୍ତର ନେବାକୁ ଭୁଲିଯାଉ । ବଡ଼ଲୋକ । ସେଥର ଝିଅ ସୁକାନ୍ତି ଜନ୍ମ ହେଲା ବେଳକୁ ଚିଠି ଖଣ୍ଡେ ତୋ ନାମରେ ପଠାଇ ଥିଲି, କଣ ଭୁଲି ଗଲୁଣି ?

 

କାହିଁ–ମୋରତ ମନେ ହେଉନି ?

 

ବଡ଼ ମିଥ୍ୟାବାଦୀ ନିର୍ମଳ ।

ହୋଇପାରେ । ପ୍ରମାଣ ଦେବାରତ କିଛି ନାହିଁ । ଏଣୁ ବର୍ତ୍ତମାନ ତୁ ଯାହା କହି ପାରିବୁ-। ମିଥ୍ୟାବାଦୀ କହ ବା ସତ୍ୟବାଦୀ କହ ।

କେଜାଣି ମୋର ଖ୍ୟାଲ ନାହିଁ ନିର୍ମଳ । ହେଲେ ହୋଇଥିବ । ଏତେ ଦିନର କଥା କେମିତି ମନେ ରହିବ କହନି ?

ମୁଁ ତ ଜାଣେ କେବେ ତୋର ମନେ ରହେନା । ବଡ଼ଲୋକମାନେ ଏହି ଚା’ଲ ମାରିଥାନ୍ତି କୁନ ।

ସେହି ବଡ଼ଲୋକ ବୋଲି ତୋର ଆଜି ଏ ଅଦ୍‌ଭୂତ ପରିବର୍ତ୍ତନ କଥା ମୁଁ ଶୁଣୁଛି । ତୁ ଯଦି ମୋ’ରି ପରି ଘରଜଞ୍ଜାଳରେ ଘାଣ୍ଟି ହୋଇ ସବୁବେଳେ ତେଲ ଲୁଣ ଚିନ୍ତା କରୁଥାନ୍ତୁ, ତା’ ହେଲେତ କୌଣସି କଥାରେ ତୋର ଖ୍ୟାଲ ରହନ୍ତା ନାହିଁ ।

ତୋ ସାଙ୍ଗରେ ଏତେ ବକାବକି କରି ପାରିବିନି ନିର୍ମଳ । ବିଚକ୍ଷଣ ବୁଦ୍ଧି ତୋର ।

ରତନୀ..., ରତନୀ... । କୁନବାବୁ ଡାକିଲେ ।

ରତନୀ ରାନ୍ଧଣା ଘରୁ ଲାଜ ଲାଜ ହୋଇ ବାହାରି ଆସିଲା ।

ଏତେ କଥାବାର୍ତ୍ତା ହେବା ଭିତରେ ନିର୍ମଳର ଧାରଣା ନଥିଲା ଯେ, ଏଠାରେ କେହି ସ୍ତ୍ରୀଲୋକ ଅଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲା ନିର୍ମଳ । ମନେ ମନେ ଭାବିଲା କେତେ କ’ଣ ? କିଏ ଏ ଯୁବତୀଟି ।

 

କୁନ ସହିତ ଏହାର କି ସମ୍ବନ୍ଧ–ସେ କ’ଣ ଚାହେଁ ? ଗୋଲକ ଧନ୍ଦାରେ ପଡ଼ି କିଛି ସ୍ଥିର କରି ପାରିଲାନି । ପୁଣି ମନେ ମନେ ଭାବିଲା–କେହି ତା’ର ନିକଟ ସମ୍ପର୍କୀୟା ହୋଇଥିବ । ସେଥିରେ ମୋର କ’ଣ ଅଛି ? ନିର୍ମଳ ଥରକୁଥର ସେହି ଯୁବତୀଟିକୁ ଚାହିଁବାକୁ ଲାଗିଲା ।

 

ରତନୀ ଦୁଇକପ୍‌ ଚା ଘେନିଆ କହିଲେ ‘‘କୁନବାବୁ ।’’

 

ଧୀରେ ରତନୀ ରୋଷ ଘରକୁ ଫେରିଗଲା ।

 

ଅଳ୍ପ ସମୟ ପରେ ଚା ପ୍ରସ୍ତୁତ ହୋଇଗଲା ।

 

ରତନୀ ଦୁଇଟି ପ୍ଲେଟରେ ଦୁଇକପ୍‌ ଚା ଥୋଇଦେଇଗଲା ସାମନାରେ । ପାଖରେ ଥିବା ରେକାବିରୁ ଦୁଇଖଣ୍ଡି କେକ୍‌ ବହାର କରି କୁନବାବୁ ନିର୍ମଳ ହାତକୁ ବଢ଼ାଇ ଦେଲେ ।

 

ଦୁଇବନ୍ଧୁ ଚା ଖାଉଛନ୍ତି, କିନ୍ତୁ ନିର୍ମଳ ମନରେ ସେହି ପୂର୍ବ ଧାରଣାଟା ଘୂରି ବୁଲୁଛି ‘‘କିଏ ଏ ଯୁବତୀଟି ।’’ କୁନ ସହିତ ଏହାର କି ସମ୍ବନ୍ଧ ? ଚା ଖାଉ ଖାଉ ଗମ୍ଭୀର ହୋଇ ଭାବୁଛି ସେ ।

 

ନିର୍ମଳ, ଚା ଖାଉ ଖାଉ କ’ଣ ଏତେଗୁଡ଼ା ଭାବୁଛୁ ?

 

ନା ଭାବୁନାହିଁ କିଛି ।

 

ନିର୍ମଳ ଆଉ ଧୈର୍ଯ୍ୟଧରି ପାରିଲାନି । ହଠାତ ସେ କହି ପକାଇଲା କୁନ ତୋତେ ଗୋଟାଏ କଥା ପଚାରିବି !

 

କି କଥା ?

 

ଏହି ଯେଉଁ ଯୁବତୀଟି ଆମକୁ ଚା ଦେଇଗଲା, ସେ ଯୁବତୀଟି କିଏ ?

 

ସେଥିରେ ତୋର ଏତେ ମୁଣ୍ଡ ଖେଳାଇବାର କି ଦରକାର ? ସେ କେହି ଜଣେ ।

 

ହଁ ହଁ ସବୁ ମୁଁ ଜାଣେ । ଖାଲି କ’ପ୍‌ଟା ଥୋଉ ଥୋଉ ନିର୍ମଳ କହିଲା ।

 

କୁନବାବୁ ମୁହଁରେ ହସ ଫୁଟାଇ କହିଲେ, ‘‘ତେବେ ମୋତେ ପଚାରୁଛୁ କାହିଁକି ?

 

ମୋ ପଚାରିବା ଥାଉ ।

 

କ’ଣ ରାଗି ଗଲୁକି ନିର୍ମଳ ?

 

ନା, ରାଗିବି କାହିଁକି ।

 

କୁନବାବୁ କୃତ୍ରିମ ଭାବ ପ୍ରକାଶ କରି କହିଲେ-

 

ସେ ଯୁବତୀଟି ପୂର୍ବବଙ୍ଗରୁ ଆସିଛି । ନିରାଶ୍ରୀତା, କେହି ତାର ନାହାନ୍ତି । ହିନ୍ଦୁ ମୁସଲମାନ ଦଙ୍ଗା ହାଙ୍ଗାମରେ ଆତ୍ମୀୟସ୍ୱଜନ ସଭିଙ୍କୁ ହରାଇଛି ସେ । କଟକରେ ବୁଲୁଥିଲା । ତା’ର ଅବସ୍ଥା ଦେଖି ସ୍ଥାନ ଦେଇଛି । କିଛି ଖରାପ ହୋଇଛିକି ?

 

ନିର୍ମଳ ଖୁବ୍ ଜୋରରେ ହସିଲା । ଭାବିଲା–

 

କୁନ କେମିତି ପ୍ରତାରଣା ତା ସହିତ କରିବାକୁ ଯାଉଛି । ସଂପୂର୍ଣ୍ଣ ଓଡ଼ିଆ ଝିଅଟିଏ, ବେଶପୋଷାକରୁ ଜଣା ପଡ଼ୁଛି । ନାଆଁରୁ ମଧ୍ୟ । ଏମିତି ନାମ ବଙ୍ଗାଳୀ କେଉଁଠି ପାଇବେ ର-ତ-ନୀ । କୁନ, ରିଫ୍ୟୁଜିମାନଙ୍କୁ ତ ଓଡ଼ିଶା ସରକାର ଥଇଥାନ ଦେଇଛନ୍ତି । ତୁ ଏପରି ଜଣଙ୍କୁ ଆଣି ସ୍ଥାନ ଦେବାର ଅର୍ଥ ?

 

ଅର୍ଥ ଆଉ କଣ ନିର୍ମଳ ?

 

ଜଣଙ୍କ ବିପଦରେ ମଣିଷର ଯେତେଟା ସାହାଯ୍ୟ କରିବା ଦରକାର, ତାହାହିଁ କରିଛି ।

 

ବେଶ୍‌ ଭଲ କରିଛୁ । କିନ୍ତୁ–

 

କିନ୍ତୁ ଆଉ କଣ ନିର୍ମଳ ?

 

ନିର୍ମଳ ଆଉ କିଛି କହିଲାନି ।

 

କୁନବାବୁ ଭାବିଲେ, ‘‘ତା ହେଲେ କଣ ନିର୍ମଳ ଆଗରେ କଥାଟାକୁ ଗୋପନ ରଖି ଅନ୍ୟାୟ କରିଛି ।’’

 

ନିର୍ମଳ ସନ୍ଦେହ କଲାକି ?

 

ଯାହାହେଉ ସେ ତ ବନ୍ଧୁ । ବନ୍ଧୁ ଆଗରେ ଘଟଣା ପ୍ରକାଶ୍ୟରେ କହିଦେଲେ କ୍ଷତିଟା କଣ ?

 

ପୁଣି କାହିଁକି ମନରେ ଅନ୍ୟ କିଛି ଭାବି କୁନବାବୁ ନୀରବ ରହିଲେ ।

 

ହେଉ ତେବେ କୁନ ଆଜି ମୁ ଯାଉଛି ନିର୍ମଳ କହିଲା ରହିଯା ଆଜି ଦିନଟା ।

 

ହାତରେ ଘଡ଼ିକୁ ଅନାଇ ନିର୍ମଳ କହିଲା, ‘‘ମୋଟେ ନଅଟା ବାଜିଛି । ସାଇକେଲ ଅଛି ଚାଲିଯିବି ଯେ–ବିଶେଷ କିଛି ଡେରି ହୋଇନି ।’’

 

କୁନବାବୁ କହିଲେ, ‘‘ତୋ ସହିତ ଗୁଡ଼ାଏ ତର୍କବିତର୍କ କରିଛି, କ୍ଷମା କରିବୁ ଭାଇ । ମନରେ ଅନ୍ୟ କିଛି ଭାବିବୁ ନାହିଁ । ଆଉ କେବେ ଆସିଲେ କଥାବାର୍ତ୍ତା ହେବା ।’’

 

ଜୀବନର ଅଦ୍‌ଭୂତ କାହାଣୀଟି ତୋତେ ଶୁଣାଇବି ।

 

ଅବଶ୍ୟ ତୋ ମୁଣ୍ଡରେ କେତେଆଡ଼ୁ କେତେଚିନ୍ତା ଖେଳିଥିବ ।

 

ଏ ସବୁ ରହସ୍ୟରେ ଆଶ୍ଚର୍ଯ୍ୟ ନିଶ୍ଚୟ ହୋଇଥିବୁ ।

 

ନିର୍ମଳ ହସିଲା । ଖୁବ୍‌ ଜୋରରେ ହସିଲା ।

 

କୁନବାବୁ ନିଜର ଦୁର୍ବଳତା ନିଜେ ପ୍ରକାଶ କଲେ ।

 

ନିର୍ମଳକୁ ଏ ସବୁ ବୁଝିବାକୁ ବେଶୀ ଡେରି ହେଲାନି ।

 

ନିର୍ମଳ କହିଲା, ‘‘କୁନ, ସବୁ ବୁଝି ପାରିଲିଣି ।

 

ହେଉ ତେବେ ଥା । ଅନ୍ୟ କେବେ ଆସିଲେ କଥାବାର୍ତ୍ତା ହେବା । ତେଣେ ଝିଅ ସୁକାନ୍ତି ହଟହଟା କରୁଥିବ ତା ମାଆକୁ । ତା’ ପାଇଁ ବିସ୍‌କୁଟ ଟିଣଟି ପୁଣି ବଜାରରୁ କିଣି ନେବାକୁ ହେବ ।

 

ଆଛା–ଥାଆ କୁନ ।

 

ନର୍ମଳ ବିଦାୟ ନେଇ ଚାଲିଗଲା ।

 

କୁନବାବୁ ରତନୀ ଦୁହେଁ ବାରଣ୍ଡାକୁ ଯାଇ ପାରାପେଟରେ ହାତରଖି ନିର୍ମଳର ଗତିପଥକୁ ଏକ ଦୃଷ୍ଟିରେ ଚାହିଁ ରହିଲେ ।

 

ଦେଖୁ ଦେଖୁ ନିର୍ମଳ ସାଇକେଲଟା ଉଡ଼ାଇ ଜନ ଗହଳି ଭିତରେ କେଉଁଆଡ଼େ ମିଶିଗଲା ।

 

-ବାର-

 

ଠିକ୍‌ ଗୋଟାଏ ବାଜିଛି । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲାଣି । ନବକୁମାର କଟକରେ ପହଞ୍ଚିଲା । ସାଙ୍ଗରେ କେହି ନାହିଁ । ଷ୍ଟେସନଟା ଲୋକାରଣ୍ୟ । ଘୋ ଘୋ କମ୍ପୁଛି । ମର୍ଦ୍ଦରାଜ ବାବୁଙ୍କ ଦେଇଥିବା ଚିଠିଖଣ୍ଡି ପକେଟରୁ ବାହାର କରି ଥରେ ତହିଁରେ ଆଖି ପକାଇ ନେଲା । ଚୌଧୁରୀ ବଜାରକୁ ସେ ଯିବ ପ୍ଲାଟଫର୍ମରୁ ବାହାରି ଆସିଲା ।

 

ଷ୍ଟେସନ ଚାରି ପାଖରେ ଗାଡ଼ି ଘୋଡ଼ାର ଅଭାବ ନାହିଁ । ରିକ୍‌ସା, ଘୋଡ଼ାଗାଡ଼ି, ବସ୍‌ଷ୍ଟାଣ୍ଡରେ ଆରୋହୀମାନଙ୍କୁ ଯେପରି ଅପେକ୍ଷା କରି ଚାହିଁ ରହିଛନ୍ତି । ତେଲଙ୍ଗା ରିକ୍‌ସାଚାଳକଗୁଡ଼ାକ ନବକୁମାର ପାଖକୁ ଧାଇଁ ଆସିଲେ ।

 

ବାବୁ କେଉଁଠିକି ଯିବେ । ଏହି ରେକ୍‍ସାରେ ବସନ୍ତୁ–ଅଭିବାଦନ ତାଙ୍କୁ ଜଣାଇଲେ ।

 

ନବକୁମାର ସିଧା ସିଧା ବସ୍‌ ନିକଟକୁ ଚାଲିଗଲା । ରିକ୍‌ସା ଚାଳକଗୁଡ଼ା ଫେରିଲେ ବ୍ୟର୍ଥ ମନୋରଥରେ । ପୂର୍ବପରି ଅନ୍ୟ ଯାତ୍ରୀମାନଙ୍କୁ ତାଙ୍କରି ସେହି ସ୍ୱାଗତ ଜଣାଇଲେ । ବାବୁ କୁଆଡ଼େ ଯିବେ ଏଇ ରେକ୍‌ସାରେ ବସନ୍ତୁ । ଦୈନନ୍ଦିନ ଯେପରି ତାଙ୍କର ଅଭ୍ୟାସ ହୋଇ ଯାଇଛି ସେହି କଥାଟା ।

 

ନବକୁମାର ଟାଉନ ବସ୍‌ରୁ ଓହ୍ଲାଇ ପଡ଼ିଲା–ଠିକ୍‍ ଚୌଧୁରୀ ବଜାର ଛକରେ । ଟିକିଏ ଆଗେଇ ଯାଇ ଜଣେ ଲୋକକୁ ପଚାରିଲା ଆପଣ କହି ପାରିବେ ଡି. ଏସ୍‌. ପି. ଶ୍ରୀଧର ବାବୁଙ୍କ ଘର କେଉଁଠି ?

 

ଲୋକଟି ନବକୁମାରକୁ କହିଲା, ଡି. ଏସ. ପି. ଶ୍ରୀଧର ବାବୁ ଯିଏ ନୂଆ ବଦଳି ହୋଇ ଆସିଛନ୍ତି କଟକକୁ !

 

ନବକୁମାର କହିଲା ହଁ ।

 

ଆସନ୍ତୁ ମୋ ସଙ୍ଗରେ ।

 

ନବକୁମାର ଲୋକଟି ଶ୍ରୀଧର ବାବୁଙ୍କ ଘର ଦେଖାଇ ଦେଇ ଚାଲିଗଲା ।

 

ନବକୁମାର କୋଠାଟିକୁ ଭଲଭାବରେ ଚାହିଁଲା ଥରେ । ମନେମନେ କେତେ କ'ଣ ଭାବିଗଲା ସେ । କ'ଣ ସେ ଯାଇ ଶ୍ରୀଧର ବାବୁଙ୍କୁ କହିବ ? ତାଙ୍କ ସହିତ ପରିଚୟ ନାହିଁ । ନାଆଁଟା ସେ ଶୁଣିଥିଲା କେବେ । ଶ୍ରୀଧର ବାବୁ ତାକୁ ଚିହ୍ନି ନପାରି କୌଣସି କଥା ଯଦି ପଚାରନ୍ତି ! କେମିତି ସେ ନିଜର ପରିଚୟଟା ଦେବ ? ମନଟାରେ ତାର ପ୍ରଶ୍ନ–ଖାଲି ପ୍ରଶ୍ନ ।

 

ନବକୁମାର ମର୍ଦ୍ଦରାଜ ବାବୁଙ୍କର ଦେଇଥିବା ଚିଠି ପକେଟରୁ ବାହାର କରି ହାତରେ ଧରିଲା । ବିଳମ୍ୱ ନକରି ସେହି କୋଠା ଭିତରକୁ ପ୍ରବେଶ କରିବା ମାତ୍ରେ ଫାଟକରେ ଦରଓ୍ୱାନ ତାକୁ ଭିତରକୁ ଯିବାକୁ ନିଷେଧ କଲା ।

 

କିଏ ତୁମେ ? କେଉଁଠିକି ଯିବ । କାହାକୁ ଚାହଁ ?

 

ଏକ ସଙ୍ଗରେ ଏତେଗୁଡ଼ା କଥା ଗୁଡ଼େଇତୁଡ଼େଇବାରେ ଲାଗିଲା ।

 

ନବକୁମାର ନରମ ଗଳାରେ କହିଲା, ‘‘ମୁଁ ଶ୍ରୀଧର ବାବୁଙ୍କ ନିକଟକୁ ଯିବି ।

 

ପୁନରାୟ ସେ ଲୋକଟି ପଚାରିଲା, କି ଦରକାର ?

 

ଆଛା ଲୋକଟାଏ ତ । ଆକୁ ଏତେ କୈଫିଏତ ଦେବ କିଏ ?

ନବକୁମାର ମନେମନେ ବିରକ୍ତ ହୋଇଗଲା । ଟିକେ ଭାବି କହିଲା, ‘‘ତାଙ୍କ ସହିତ କେତେକ କଥାବାର୍ତ୍ତା ଅଛି ।’’

 

ଏଠାରେ ବସ, ମୁଁ ଡାକି ଦେଉଛି ତାଙ୍କୁ ।

 

ଲୋକଟି ଉପର ମହଲାକୁ ଚାଲିଗଲା ।

 

ନବକୁମାର ଗୋଟିଏ ବେଞ୍ଚ ଉପରେ ବସି ଭାବିଲା–ଏହି ଲୋକଟାର ବ୍ୟବହାର, କାହିଁକି ଏପରି ? ଶ୍ରୀଧର ବାବୁଙ୍କର ବ୍ୟକ୍ତିଗତ, ଭଲମନ୍ଦ, ବନ୍ଧୁବାନ୍ଧବ, ଏ ସବୁତ ଥିବ । ସରକାରଙ୍କ ଚାକିରିଆ ବୋଲି ନିଜର ପାରିବାରିକ ସମ୍ୱନ୍ଧୀୟ କେତେ କ’ଣ ତ ଅଛି ? କେହି କେବେ ତାଙ୍କ ନିକଟକୁ ଆସନ୍ତି ନାହିଁ ନା କ’ଣ ? ନବକୁମାର ଭାବୁଛି । ପୁନରାୟ ସେହି ଲୋକଟି ଫେରି ଆସି ତାକୁ ଉପର ମହଲକୁ ଯିବାପାଇଁ ଅନୁମତି ଦେଲା ।

 

ନବକୁମାର ଉପର ମହଲାକୁ ଚାଲିଗଲା ।

 

ହଠାତ୍‌ ନବକୁମାରକୁ ଶ୍ରୀଧର ବାବୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆପଣ କିଏ-?

 

ମୋ ନାମ ନବକୁମାର ମହାନ୍ତି ।

 

କେଉଁଠୁ ଆସିଛନ୍ତି ?

 

ସାଇଲୋରୁ

 

କି ଦର୍କାର ?

 

ନବକୁମାର ହାତରେ ଧରିଥିବା ଚିଠି ଖଣ୍ଡିକ ତାଙ୍କ ହାତକୁ ବଢ଼ାଇ ଦେଲା ।

 

ଶ୍ରୀଧର ବାବୁ ଚିଠିଖଣ୍ଡିକ ଉପରେ ଥରେ ଆଖିବୁଲାଇ ନେଇ କହିଲେ ‘‘ଆପଣଙ୍କୁ ତାହାହେଲେ ମର୍ଦ୍ଦରାଜ ବାବୁ ପଠାଇଛନ୍ତି ?’’

ଆଜ୍ଞା ହଁ ।

 

କୁନ ଘରୁ ହଠାତ୍‌ କାହିଁକି ଏପରି ଭାବରେ ଚାଲିଆସିଲା ?

 

ସେ ଅନେକ ଘଟଣା ଆଜ୍ଞା ।

 

ଶ୍ରୀଧର ବାବୁଙ୍କ ଗୃହିଣୀ ଶ୍ରୀମତୀ ଚପଳା ଘର ଭିତରୁ ବାହାରି ପଡ଼ିଲେ ।

 

ହଠାତ୍‌ ନବକୁମାରକୁ ଦେଖି ଦୋ’ ଦୋ’ ଚିହ୍ନାହେଲେ । ନବ କୁମାର କହିବାକୁ ଆରମ୍ଭ କଲା ।

 

ଆଜିକୁ କେତେ ମାସ ହେବ କୁନ ଘରୁ ଚାଲି ଯାଇଛି । ମର୍ଦ୍ଦରାଜ ବାବୁ ବହୁ ଖୋଜ ଖବର ନେଲେଣି, ତା’ର ସନ୍ଧାନ କେଉଁଠି ପାଉ ନାହାନ୍ତି । ଉପାୟ କିଛି ନପାଇ ମର୍ଦ୍ଦରାଜ ବାବୁ ଏହି ଚିଠି ଖଣ୍ଡିକ ଲେଖି ମୋ ହାତରେ ଦେଇ ପଠାଇଛନ୍ତି ଏବଂ ଅନୁରୋଧ କରି କହିଛନ୍ତି–ସେ ନିଶ୍ଚୟ କଟକରେ କେଉଁଠି ନା କେଉଁଠି ଅଛି । ଆପଣ ତା’ର ଅନୁସନ୍ଧାନ ନେଇ ଯେପରି ହେଉ ସମ୍ୱାଦଟା ତାଙ୍କୁ ପହଞ୍ଚାଇବେ ।

 

କୁନ ପାଇଁ ମର୍ଦ୍ଦରାଜ ବାବୁ ପାଗଳ ହୋଇ ଗଲେଣି । ସ୍ୱପ୍ନମଞ୍ଜରୀ ଦେବୀ ନଖାଇ ନପିଇ ବିଛଣାରେ ପଡ଼ିଛନ୍ତି ।

 

ଶ୍ରୀଧର ବାବୁଙ୍କୁ ଅନାଇଁ ଚପଳା କହିଲେ କୁନଟାର ଏହିପରି ଉଦଣ୍ଡ ସ୍ୱଭାବ ସବୁ ସମୟରେ । ମୁଁ ଆମ ସାଇରେ ଥିଲା ବେଳେ ଏମିତି କେତେ କ’ଣ ତା’ ନାମରେ ଶୁଣେ ।

 

ତେବେ ଯା ହେଉ, ତମେ ଟିକେ ତା’ର ଖୋଜ୍‌ଖବର ନିଅ । କଟକରେ ନିଶ୍ଚୟ ସେ ଅଛି ।

 

ଶ୍ରୀଧର ବାବୁ କିଛି ସମୟ ଭାବି କହିଲେ ଆଛା ଦେଖିବା ।

 

ତା’ ହେଲେ ନବକୁମାର ବାବୁ ଆପଣ ଟିକେ ବସନ୍ତୁ । ମୁଁ ଗୋଟାଏ ଜରୁରୀ କାମରେ ଯାଉଛି । ଶୀଘ୍ର ଫେରି ପଡ଼ିବି । ଶ୍ରୀଧରବାବୁ ସାଇକେଲ୍‌ଟା ନେଇ ଚାଲିଗଲେ ।

 

ନବକୁମାର ବସିଛି ।

 

ଚପଳା ପଚାରିଲେ, ‘‘ନବ, ତୋତେ ମୁଁ ଦେଖି ଦୋ’ ଦୋ’ ଚିହ୍ନା ହେଲି । ଏଡ଼ୁଟିଏ ହୋଇଥିଲୁ, ତୋତେ ଦେଖିଥିଲି । ତା’ ପରେ ମୋର ବିବାହ ବର୍ଷଠାରୁତ ବାହାରେ ବାହାରେ ବୁଲୁଛି । ଗାଁକୁ ଯିବାତ ସାତ ସପନ । କେମିତି ବା ଚିହ୍ନିବି ? ବୁଲିନାନୀ ଭଲ ଅଛିତ ?

 

ନବକୁମାର କହିଲା–

 

ହଁ ।

 

ଗୋବିନ୍ଦ ଭାଇ ।

 

ସମସ୍ତେ ଭଲ ଅଛନ୍ତି ।

 

ତୋ ଛୋଟ ଭଉଣୀ ତା ନାଆଁ କଣ ମନେ ପଡ଼ୁନି, ବୀଣା ନା କଣ ?

 

ହଁ ହଁ ବୀଣା–ବୀଣା ।

 

ସେ ଭଲ ଅଛିତ ?

 

ନବକୁମାର ଦୁଃଖ ମିଶ୍ରିତ ଗଳାରେ ବେଦନାର କୋହ ଚାପି କହିଲା–

 

ସେ ଆଜକୁ ଚାରିମାସ ହେବ ମରି ଗଲାଣି ।

 

କ’ଣ ସେ ମରି ଗଲାଣି ?

 

ଆହା କେଡ଼େ ସୁନ୍ଦର ଝିଅଟିଏ ଥିଲାମ । ଯେମିତି ଦେଖିବାକୁ ସୁନ୍ଦର, ସେମିତି ପାଠପଢ଼ାରେ । ସବୁ କାମରେ ।

 

ତୋର ବିଭାଘର ହେଲାଣି ?

 

ନା’ ।

 

ଆଉ, ଗାଁରେ ସମସ୍ତେ ଭଲ ଅଛନ୍ତି ?

 

ହଁ ।

 

ନବ, ଛାଇ ଲେଉଟିଲାଣି କେତେବେଳେ ଖାଇ ଆସିଥିଲୁ ଘରୁ ଭୋକ ହେବଣି ଚାଲ ଗଣ୍ଡେ ଖାଇଦେବୁ ।

 

ନା ଭୋକ ଲାଗୁନି । ଶ୍ରୀଧର ବାବୁ ଆସନ୍ତୁ ।

 

ସେ ଅନେକ ଡେରିରେ ଆସିବେ । ଜାଣୁନା ଡି. ଏସ. ପି. ଲୋକ ଯୁଆଡ଼େ ଯିବେ ସିଆଡ଼େ ତାଙ୍କର ରାତି ପାହିବ ।

 

ଚାଲେ ତୁ ଗଣ୍ଡେ ଖାଇଦେବୁ । ସେ ଆସିଲେ ପରେ ଖାଇବେ ।

 

ନିହାତି ବାଧ୍ୟ ହୋଇ ନବକୁମାର ଖାଇବାକୁ ଗଲା ।

 

ବାହାରୁ ସାଇକେଲର ଟିଂ ଟିଂ ଶବ୍ଦ ଶୁଭିଲା ।

 

ଚପଳା ଦରଜା ସାମନାକୁ ଚାହିଁଦେଲେ, ଶ୍ରୀଧର ବାବୁ ଆସୁଚନ୍ତି ।

 

କେଉଁଆଡ଼େ ଚାଲି ଗଲାକି ? ଜଣେ ଭଦ୍ରଲୋକଙ୍କୁ ଘରେ ବସାଇ ନିଦକ୍‍ । ସବୁବେଳେ ଖାଲି ବାହାରେ ବୁଲା ।

 

ବଡ ଜରୁରୀ କାମରେ ଚାଲି ଯାଇଥିଲି ଚପଳା । ଉପାୟ କ’ଣ ? ଭାବିଥିଲି ଶୀଘ୍ର ଫେରି ପଡ଼ିବି–ଡେରି ହୋଇଗଲା ।

 

ନବକୁମାର ବାବୁ ଖାଇଲେଣି ?

 

ହଁ ଖାଇ ବସିଛି ସେ ।

 

ଯାଅ ଭଲ ରକମ ଟିକେ ପରଷା ପରଷି କରି ଖାଇବାକୁ ଦିଅ ଗାଆଁ ପାଖ ଲୋକ ଜଣାଶୁଣା ।

 

ତମକୁ କହିବାକୁ ପଡ଼ିବନି ଏତେ ।

 

ଆମକୁ ସେ ସବୁ ଆସେ ।

 

ଏତେ ରାଗୁଛ କାହିଁକି ଚପଳା ?

 

ମଲା ରାଗିବି କାହିଁକି ?

 

ହେ ତମେ ଶୁଣିଲଣିନା ! ମୁଁ ବର୍ତ୍ତମାନ ସେହି କୁନ ସନ୍ଧାନରେ ଯାଇଥିଲି । ବୁଝିଲି, କାଲି ସଂଧ୍ୟାରେ ମୋତେ ନିର୍ମଳ କହୁଥିଲା । କୁନ କଲେଜରୋଡ଼ ଛକ ପାଖାପାଖି କେଉଁଠି ଅଛି । ତା ପାଖରେ ପୁଣି ଗୋଟିଏ ଯୁବତୀ କିଏ ଅଛି । ହଠାତ୍‌ ଆଜି ନବକୁମାର ବାବୁଙ୍କଠାରୁ କୁନର ଅନ୍ତର୍ଦ୍ଧାନ କଥା ଶୁଣି କାଲିର ନିର୍ମଳକଥା ମନେ ପଡ଼ିଗଲା । ତା’ରି ପାଖକୁ ଯାଇଥିଲି । କୁନ ବସାଟା ଦେଖି ଆସିବା ପାଇଁ । କୋଠରୀଟି ତା’ର ବନ୍ଦ ଥିଲା । ଖବର ପାଇଲି, ସେ ସିନେମା ଦେଖି ଚାଲି ଯାଇଛି । ଯେତେଦୂର ସମ୍ଭବ, ସେ ସେଇଠାରେ ଅଛି । ମୁଁ କାଲି ଭିତରେ ଯେ କୌଣସି ଭାବେ ତା’ର ସନ୍ଧନଟା ଆଣିବି ।

 

ବାଃ ଏଥିପାଇଁ ପରା ତମେ ହେଉଛ ଡି. ଏସ୍‌. ପି. । ତା ନହୋଇଥିଲେ, ଏତେ ଚଞ୍ଚଳ ତମେ କୁନର ସନ୍ଧାନ ପାଇଥା’ନ୍ତ ?

ନବକୁମାର ପାଖକୁ ଯାଇ ପଚାରିଲେ ଚପଳା–

ନବ, ଆଉ କଣ ଖାଇବାକୁ ଦେବି ?

–ନା ଆଉ କିଛି ଦରକାର ନାହିଁ ।

ନବକୁମାର ଖାଇସାରି ମୁହଁ ଧୋଉ ଧୋଉ କହିଲା–

ଶ୍ରୀଧର ବାବୁ ଆସିଲେଣି ।

ଚପଳା ପ୍ରତ୍ୟୁତ୍ତର ଦେଲେ–

ହଁ ନବ, ସେ ଆସି ଗଲେଣି । ଆର ଘରେ ଲୁଗା ପାଲଟୁଛନ୍ତି । ନବକୁମାର ଶ୍ରୀଧରବାବୁଙ୍କ ପାଖକୁ ଯାଇ କହିଲା– କେଉଁଆଡ଼େ ଚାଲି ଗଲକି ?

ଶ୍ରୀଧର ବାବୁ ହସି ହସି କହିଲେ, ‘‘ଚାଲି ଯାଇଥିଲି ଗୋଟାଏ ଜରୁରୀ କାମରେ ।’’ ଏକ ରକମ କୁନର ସନ୍ଧାନରେ ।

କ’ଣ ହେଲା କୁହନ୍ତୁନି ?

ହେବ କଣ ନବବାବୁ ? ମୋଟା ମୋଟି ଖବର ଏତିକି ପାଇଲି, କୁନ ଏହି କଟକରେ ଅଛି । ଏହା ମଧ୍ୟରେ ତାର ସବୁ ଖବର ମିଳିଯିବ ।

 

ଆଚ୍ଛା ଆପଣ ଆଗେ ଗଣ୍ଡେ ଖାଇ ଦିଅନ୍ତୁ । ପରେ କଥାବାର୍ତ୍ତା ହେବା–ନବକୁମାର କହିଲା ।

 

ଶ୍ରୀଧର ବାବୁ କହିଲେ, ‘‘ହଁ ଖାଇବାତ ।’’

 

ତା ହେଲେ ଆପଣ ଟିକିଏ ଏହି ଖଟ ଉପରେ ଗଡ଼େଇ ପଡ଼େଇ ହୁଅନ୍ତୁ । ମୁଁ ଗଣ୍ଡେ ଖାଇଦେଇ ଆସୁଛି ।

 

ଯାଆନ୍ତୁ ଆପଣ ଖାଇଦେଇ ଆସିବେ, ମୁଁ ଶୋଇଛି ।

 

ଚପଳା ତେଣେ ଭାତ ବାଢ଼ି ଶ୍ରୀଧର ବାବୁଙ୍କୁ ଅନାଇ ବସିଛନ୍ତି ।

 

ବଡ଼ ବିରକ୍ତି ଲାଗିଲାଣି ତାଙ୍କୁ ।

 

ସବୁ ସମୟରେ ଡେରି ବଡ଼ ଅଳସୁଆ ଲୋକ ତମେ । ଭୋକଶୋଷ ଟିକିଏ ଲାଗୁନି ତମକୁ ? ଚପଳା ହସି ହସି ଶ୍ରୀଧର ବାବୁଙ୍କୁ କହିଲେ ।

 

ଶ୍ରୀଧର ବାବୁ ଖାଇ ବସିଛନ୍ତି, ପୋଷ୍ଟ ପିଅନ ଆସି ପହଞ୍ଚିଲା । ହାତରେ ତାର ପୁଳାଏ ଚିଠି । କାନ୍ଧରେ ଝୁଲୁଥାଏ ଗୋଟାଏ ଚମଡ଼ା ବ୍ୟାଗ୍‌, କାନ ମୂଳରେ ଖୋସା ହୋଇଥାଏ ଗୋଟାଏ ଲମ୍ୱା ପେନ୍‌ସିଲ, ପିନ୍ଧିଥାଏ ଖାକି ପ୍ୟାଣ୍ଟ ଖଣ୍ଡେ ।

 

ଚପଳା ଦରଜା ଖୋଲିଦେଇ ଦେଖିଲେ ପୋଷ୍ଟ ପିଅନ, ଚିହ୍ନା-ଜଣା । ପୁରୁଣା ମଣିଷଟାଏ ।

 

ହସି ହସି କହିଲା ସେ, ଶ୍ରୀଧର ବାବୁ ଅଛନ୍ତି ?

 

ହଁ ଘରେ ଅଛନ୍ତି ସେ, କି ଦର୍କାର ?

 

ତାଙ୍କ ନାମରେ ଟେଲିଗ୍ରାମ ଆସିଛି ।

 

ଟେଲିଗ୍ରାମ ଆସିବା ଶୁଣି ଶୀଧରବାବୁ ଧାଁଇ ଆସିଲେ ପୋଷ୍ଟ ପିଅନ ପାଖକୁ ।

 

କାହିଁ ଟେଲିଗ୍ରାମଟା ମୋଆଡ଼କୁ ଦିଅ ।

 

ପୋଷ୍ଟପିଅନ ଟେଲିଗ୍ରାମଟା ଶ୍ରୀଧର ବାବୁଙ୍କ ହାତକୁ ବଢ଼ାଇ ଦେଲା । କାଗଜ ଖଣ୍ଡେ ଓ କାନରେ ଖୋସିଥିବା ପେନସିଲ୍‌ଟା ବାହାର କରି କହିଲା, ଆଜ୍ଞା ସେହି ଟେଲିଗ୍ରାମ ନମ୍ୱରଟା ଦେଖି ସହି କରି ଦିଅନ୍ତୁ ଏଥିରେ ସମୟ ମଧ୍ୟ ଲେଖି ଦିଅନ୍ତୁ ।

 

ଶ୍ରୀଧର ବାବୁ ସହିଟା କରିଦେଲେ । ସମୟ ଲେଖିଦେଲେ ମଧ୍ୟ ।

 

ପୋଷ୍ଟ ପିଅନ ଚାଲିଗଲା ।

 

ଶ୍ରୀଧର ବାବୁ ଖାଇ ବସିଲେ ।

 

ଚପଳା ପଚାରିଲେ; ‘‘କିଏ ଟେଲିଗ୍ରାମ କରିଛି ?’’

 

ଖୋଲି ପଢ଼ିଲ ନାହିଁତ ?

 

ପଢ଼ା ଯିବତ ! ସେଥିପାଇଁ ଏତେ ବ୍ୟସ୍ତ ହେବାର କଣଅଛି ?

 

ଶ୍ରୀଧର ବାବୁ ବୁଝି ସାରିଲେଣି ଟେଲିଗ୍ରାମଟା ନିଶ୍ଚୟ ଗଞ୍ଜାମରୁ ଆସିଛି । ତାଙ୍କର ଗଞ୍ଜାମ ଗସ୍ତରେ ଯିବାର ଥିଲା, କେତେକ ଗୋପନୀୟ ଘଟଣା ନେଇ ।

 

ହେଉ ଟେଲିଗ୍ରାମଟା ନପଢ଼ିଲ ନାହିଁ । ଆଉ କ’ଣ ଖାଇବାକୁ ଦେବି କହିଲ ।

ନା ଚପଳା ଆଉ କିଛି ଖାଇବି ନାହିଁ । ଆଜି ଖାଇବାଟା ବଡ଼ ଜୋର ହୋଇ ଯାଇଛି ।

 

ହଁ ତମେତ ରୋଜ ସେଇଆ କହିଥାଅ ।

 

କିଏ ଏତେ ତମକୁ ଖାଇବାକୁ ଦେଉଛି ?

 

କଟକରେ ଲୋକ କ’ଣ ଅଭାବ ଅଛନ୍ତି ?

 

ଶ୍ରୀଧର ବାବୁ ଉଠି ପଡ଼ିଲେ ।

 

ହାତ ଧୋଇବାକୁ ଗୋଟାଏ କାଚ ଗ୍ଲାସରେ ଗ୍ଲାସେ ପାଣି ତାଙ୍କ ହାତକୁ ଚପଳା ବଢ଼ାଇ ଦେଲେ ।

 

ଶୀଧର ବାବୁ ମୁଁହ ଧୋଇସାରି ଟେଲିଗ୍ରାମ ଖଣ୍ଡି ଖୋଲିଲେ । ଟେଲିଗ୍ରାମଟା ଉପରେ ଆଖି ପକାଇ ଦେଇ କହିଲେ, ‘‘ଚପଳା ମୋତେ ଗଞ୍ଜାମ ଯିବାକୁ ପଡ଼ିବ ।’’

 

ସେଠା ଗଞ୍ଜାମ ପୁଲିସ ହେଡ଼ କ୍ୱାଟରରୁ ଗୋବର୍ଦ୍ଧନ ବାବୁ ଟେଲିଗ୍ରାମ କରିଛନ୍ତି । କାଲି ଭିତରେ ଯେ କୌଣସି ମତେ ସେଠାରେ ପହଞ୍ଚିବାକୁ ପଡ଼ିବ ।

 

ନିହାତି ଗୁରୁତ୍ୱପୂର୍ଣ୍ଣ ଘଟଣା ନଗଲେ ଉପାୟ ନାହିଁ । ଆଜି ସଂଧ୍ୟା ସୁଦ୍ଧା ଯେମିତି ହେଉ ଯିବାକୁହିଁ ପଡ଼ିବ । ଆଛା ଚପଳା, ତମେ ଟ୍ରଙ୍କଟା ସଜଡ଼ାସଜଡ଼ି କରୁଥାଅ । ମୁଁ ନବ କୁମାରବାବୁଙ୍କ ପାଖରେ କଥାବାର୍ତ୍ତା ହେଉଛି ।

 

ନବକୁମାର ଖଟ ଉପରେ ଶୋଇ ଶୋଇ ଭାବୁଛି କୁନର ସେହି ଅନ୍ତର୍ଦ୍ଧାନ କଥାଟାକୁ । କଟକରେ ସେ ଅଛି, ତା ପାଖରେ ପୁଣି ଯୁବତୀଟି କିଏ ଆଶ୍ରିତା । ରହସ୍ୟଟା କଣ ? ନିଶ୍ଚୟ ତାର ତଥ୍ୟ ଶ୍ରୀଧରବାବୁ ଆଣିଥିବେ ।

 

ନବକୁମାର ବାବୁ, ଶୋଇଲେଣି ନା ଚେଇଁଛନ୍ତି ?

 

ନାହିଁ ଆଜ୍ଞା, ଦିନଟାରେ କଣ ନିଦ ହେବ ? ଆପଣ ଖାଇ ସାରିଲେଣି ?

 

ଶ୍ରୀଧର ବାବୁ କହିଲେ ହଁ ।

 

ଆପଣଙ୍କ ହାତରେ କ’ଣ ଗୋଟାଏ ଟେଲିଗ୍ରାମ ପରି ଦେଖା ଯାଉଛି । କିଏ ପଠାଇଛନ୍ତି ?

 

ଟେଲିଗ୍ରାମଟା ବର୍ତ୍ତମାନ ପାଇଲି । ଖୁବ୍‌ ଜରୁରୀ ଆଜି ମୋତେ ଗଞ୍ଜାମ ଚାଲି ଯିବାକୁ ହେବ । ଆପଣ ନିହାତି ଅସମୟରେ ବି ପହଞ୍ଚିଲେ ଆସି । ମୋ ଅନୁପସ୍ଥିତରେ କଟକରେ ରହି ଆପଣ କୁନ ସମ୍ୱନ୍ଧରେ ବିଶେଷ କିଛି କରି ପାରିବେନି । ମୋର ଯେତେଦୂର ଧାରଣା କୁନ ନିଶ୍ଚୟ କଲେଜରୋଡ଼ ପାଖାପାଖି ସେହି ଜାଗାଟିରେ ଅଛି । ସରକାରୀ ଚାକିରି, ଗଞ୍ଜାମରୁ ନଫେରିଲେ କିଛି କରି ପାରୁନି । ଆପଣଙ୍କ ହାତରେ ମର୍ଦ୍ଦରାଜ ବାବୁଙ୍କ ନିକଟକୁ କୁନର ପାଇଥିବା ଖବରଟା ଲେଖି ଦେଉଛି, ତାଙ୍କୁ ଦେବେ । କହିବେ ସେ ବ୍ୟସ୍ତ ହେବେନି ମୁଁ ଏହି ଦଶ ପନ୍ଦର ଦିନ ମଧ୍ୟରେ କୁନକୁ ଏଠାରୁ ସଙ୍ଗରେ ନେଇ ଘରେ ପହଞ୍ଚିବି ।

 

ନବକୁମାର କହିଲା, ‘‘ତା’ ହେଲେ ଚିଠି ଖଣ୍ଡେ ଲେଖି ଦିଅନ୍ତୁ ।

 

ଶ୍ରୀଧର ବାବୁ ଚିଠି ଖଣ୍ଡେ ଲେଖି ବସିଲେ ।

 

ମାନନୀୟ ଦିବ୍ୟସିଂହ ବାବୁ !

 

ସଭକ୍ତି ପ୍ରଣାମ ନେବେ । କୁନ ସମ୍ବନ୍ଧରେ ଆପଣଙ୍କ ଚିଠିପଢ଼ି ସମସ୍ତ ବୁଝି ପାରିଲି । ମୋର ଯେତେଦୂର ମନେ ହେଉଛି, ସେ ନିଶ୍ଚୟ ଏହି କଟକରେ ଅଛି । ଗୋଟାଏ ଜାଗାରେ ତାର ସନ୍ଧାନ ମୁଁ ପାଇଛି । ବ୍ୟସ୍ତ ହେବେନି । ନବକୁମାରବାବୁଙ୍କଠାରୁ ସମସ୍ତ କଥା ବୁଝି ପାରିବେ ।

 

ଖୁବ୍ ଜରୁରୀ କାମରେ ଆଜିରେ ମୁଁ ଗଞ୍ଜାମକୁ ଚାଲି ଯାଉଛି । ପାଞ୍ଚଦିନ ପରେ ଫେରିବି । ପରେ ସମସ୍ତ କଥା ଜଣାଇବି ।

 

। ଇତି ।

ଆପଣଙ୍କର

ଶ୍ରୀଧର ଚନ୍ଦ୍ର ରାୟ

 

ଚିଠିଖଣ୍ଡି ଲେଖିସାରି ଲଫାପାରେ ପୂରାଇ ଶ୍ରୀଧର ବାବୁ କହିଲେ, ‘‘ଏହି ଚିଠିଖଣ୍ଡି ରଖନ୍ତୁ, ମର୍ଦ୍ଦରାଜ ବାବୁଙ୍କୁ ଦେଇ ଦେବେ ।’’

 

ନବ କୁମାର ଚିଠି ଖଣ୍ଡି ପକେଟରେ ରଖିଲା–

 

ଚପଳା ଆସି ପଚାରିଲେ, ‘‘ନବ ତୁ କଣ ଆଜିରେ ଚାଲିଯିବୁ ?’’

 

ହଁ ।

 

ନା-ନା ଆଜି ରହ । କାଲିଆଡ଼କୁ ଯିବୁ । ସେ ଆଜି ଗଞ୍ଜାମ ଯାଆନ୍ତୁ । କାଲି ଖାଇପିଇ ଗୋଟାଏ ବେଳକୁ ଯିବୁ । ସାଙ୍ଗରେ ରାମାକୁ ପଠାଇ ଦେବି, ଷ୍ଟେସନରେ ଛାଡ଼ି ଆସିବ ।

 

ହଁ ନବକୁମାର ବାବୁ ଆପଣ ଆଜି ରହି ଯାଆନ୍ତୁ ।

 

ଯିବେ ତ ବ୍ୟସ୍ତ କାହିଁକି–ଶ୍ରୀଧର ବାବୁ କହିଲେ ।

 

ନିହାତି ବାଧ୍ୟହୋଇ ନବକୁମାର ସେ ଦିନଟା ରହିବାକୁ ସ୍ୱୀକୃତି ଜଣାଇଲା ।

 

ଶ୍ରୀଧର ବାବୁ ସେଦିନ ଗଞ୍ଜାମ ଗସ୍ତରେ ଚାଲିଗଲେ ।

 

-ତେର-

 

ଜମିଦାରୀରେ ଉତ୍ସୃଙ୍ଖଳା ପହଞ୍ଚିଲାଣି । ଗୁମାସ୍ତାମାନେ ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ଆପଣା ହାତ ପଇଠ କଲେଣି । ଦିନୁଦିନ ଗ୍ରାମଟାରୁ ଡରଭୟ ଛାଡ଼ି ଯାଉଛି । କେହି କାହାକୁ ମାନିବାକୁ ନାହାନ୍ତି । ଏସବୁ ଦେଖି ବଇଁଶୀ ବେଳକାଳ ଉଣ୍ଡି ହାତ ଚିକ୍‌କଣକରି ନେଲାଣି । ମନେ ମନେ ବେଶ୍ ଆନନ୍ଦିତ ହେଉଛି ସେ । ଏଇ ବେଳରେ ଯେତେଟା ପାରେ ହାତ ପଇଠ କରି ନେବ ସେ । ଆଉ ବେଳ ନାହିଁ । ରମି ମାଆ ବେକରେ ସୁନାହାର ପିନ୍ଧିଲାଣି । ହାତରେ କେଉଁ କାଳରୁ ଦି’ ପଟ ଭଙ୍ଗା କାଚ ପିନ୍ଧିଥିଲା, ତାକୁ ବଦଳାଇ ବଇଁଶୀ ଆଜି ଭଲ କାଚ ପିନ୍ଧାଇ ଦେଇଛି ।

 

ବଇଁଶୀ ଭାବୁଛି–ମର୍ଦ୍ଦରାଜଙ୍କ ଘରେ ଉମରଟା ଆସି କଟାଇଲାଣି–କିଛି ସେ କରି ପାରିନାହିଁ । ଏଇ ତା’ର ସୁବର୍ଣ୍ଣ ସୁଯୋଗ ଛାଡ଼ିବାର ଆଉ ଅଛି ।

 

ଗାଁର ସମସ୍ତେ ଦେଖୁଛନ୍ତି ବଇଁଶୀ କିପରି ସୁଖରେ ରହି ଚଳୁଛି । ଆଉ ଆଗରୁ ସେ ଦେଖୁଥିଲେ–କିମିତି ଚଳୁଥିଲା । ଦିନ ରାତି, ଜମିଦାର ଘରେ ଖଟି ଖଟି ତଥାପି ମୁଠାଏ ଦି’ବେଳା ଭଲକରି ଖାଇବାକୁ ପାଉ ନଥିଲା । ଆଉ ଆଜି..... ?

 

ଆଜି ସେଇକଥା ସମସ୍ତେ ଭାବୁଛନ୍ତି । ବେଳ ପଡ଼ିଲେ ହିଁ ମଣିଷ ମଣିଷ ପାଲଟେ ।

 

ମର୍ଦ୍ଦରାଜଙ୍କ ମନରେ ସୁଖ ଶ୍ରଦ୍ଧା କେଉଁଆଡ଼େ ଉଭାଇ ଗଲାଣି ଯେଉଁଠି ବସୁଛନ୍ତି, ସେଠି କେବଳ ଗୁଡ଼ାଏ ଏଣୁ ତେଣୁ ଭାବୁଛନ୍ତି । ସକାଳ ଯାଇ ସଞ୍ଜ ହେଉଛି ।

 

ତଥାପି ତାଙ୍କର ଭାବନା ଭାଙ୍ଗୁ ନାହିଁ, ବରଂ ବଢ଼ୁଛି । ଜମିଦାରୀ ଖାତାପତ୍ର ଆଉ ସେ ଖେଳାଉ ନାହାନ୍ତି । ପ୍ରଜାଙ୍କଠାରୁ ବାକି ଖଜଣା ଆଦାୟ କରୁନାହାନ୍ତି । କେତେ ପ୍ରକାର କାନ କୁହା ଆସି ତା ନାମରେ ଖଚ ଚୁଗୁଲି ଲଗାଇ ତାଙ୍କୁ କହୁଛନ୍ତି । କୌଣସି କଥାକୁ ତାଙ୍କର ଲକ୍ଷ୍ୟ ନାହିଁ ।

 

ସ୍ୱପ୍ନମଞ୍ଜରୀ କୁନ ବାବୁଙ୍କ ଚିନ୍ତାରେ ଦାନା ଛାଡ଼ିଲେଣି । ବସି ବସି ଆଖିରୁ ଲୁହ ଗଡ଼ାଉଛନ୍ତି । ଯିଏ ପଚାରୁଛି ତାଙ୍କୁ ସେ କହୁଛନ୍ତି ସତେ କ’ଣ କୁନ ଫେରିବ ?

 

ଦି’ ଆଖିରେ ତାଙ୍କୁ ଦେଖିବି ?

 

ମନ ତାଙ୍କର ବଦଳାଇବା ପାଇଁ ଚାକରାଣୀ ରାଧି କହୁଛି ସାଆନ୍ତାଣୀ ତମେ କ’ଣ ପାଗଳି ହେଲ ? ମୁଁ ପରା କାଲି ସପନ ଦେଖିଛି, କୁନ ଆସି ତମ ଦି’ ପାଦ ଧରି କହୁଛନ୍ତି, ବୋଉ, ମୋ ପାଇଁ କେତେ ମନରେ ଦୁଃଖ ହୋଇ ନଥିବ ? ଭୁଲ୍ ରେ ସିନା ମୁଁ ଚାଲି ଗଲି ? ମନ ଖାଲି ଗୋଳେଇ ଘାଣ୍ଟି ହେଲା । ପୁଣି ତୋ ପୁଅ ମୁଁ ଫେରି ଆସିଛି ତୋ ପାଖକୁ ।

 

ସତେ ସାଆନ୍ତାଣୀ ? ଯେମିତି ତାଙ୍କ ଚେହେରା, ଯେମିତି ତାଙ୍କ କଥାଭାଷା ସେମିତି ସେ କହୁଥାନ୍ତି । ମୋ ନିଦଟା ଛଟ୍‍କରି ଭାଙ୍ଗିଗଲା ।

 

ସ୍ୱପ୍ନମଞ୍ଜରୀ ଦୀର୍ଘ ନିଶ୍ୱାସ ପକାଇ କହିଲେ–

 

କେଜାଣି ରାଧି ସତେ କ’ଣ କୁନ ଫେରି ଆସିବ ।

 

ମୋ ଧନ ଫେରିଆସିବ ?

 

ହଁ ସାଆନ୍ତାଣି ତମେ ଆଉ ବ୍ୟସ୍ତ ହୁଅନାହିଁ । ଦେଖିବ–ସେ ନିଶ୍ଚେ ଆସିବେ ସପନ କଥା କ’ଣ ମିଛ ହେବ ?

 

ମର୍ଦ୍ଦରାଜ ବାବୁ ନବ କୁମାର କଥା ଭାବୁଛନ୍ତି, କଟକରୁ ସେ ଫେରିଲେ, କେମିତି କୁନର ଖବର ଟିକେ ପାଇଲେ ତାଙ୍କ ମନରେ ଆଶ୍ୱସ୍ତି ଆସିବ । ଶାନ୍ତିରେ ନିଶ୍ୱାସ ଟିକେ ମାରିବେ ହେଲେ କାହିଁ ନବ କୁମାର ତ ଆସିଲା ନାହିଁ ?

 

ଭାବନା ତାଙ୍କର ମଉଳି ନାହିଁ ; ଏହି ସମୟରେ ନବ କୁମାର ପହଞ୍ଚିଗଲା ।

 

ମର୍ଦ୍ଦରାଜ ବାବୁ ଆନନ୍ଦରେ ଅଧିର ହୋଇ ପଡ଼ିଲେ । ନବ କୁମାରକୁ ହଠାତ୍ କୁଣ୍ଢାଇ ପକାଇ କହିଲେ, ନବ କୁମାର କ’ଣ ଖବର ପାଇଲ ? କୁନ କଟକରେ କ’ଣ ଅଛି !

 

ଆପଣ ଏତେବ୍ୟସ୍ତ କାହିଁକି ହେଉଛନ୍ତି । କୁନ କଟକରେ ଅଛି । ଶ୍ରୀଧର ବାବୁ ତା’ର ସନ୍ଧାନ ନେଇଥିଲେ । ଦୁଃଖର କଥା ତାଙ୍କର ଖୁବ୍ ଜରୁରୀ କାମ ଥିବାରୁ ସେ ଗଞ୍ଜାମ ବାହାରି ଗଲେ । ଚାରିପାଞ୍ଚଦିନ ପରେ ଫେରିବେ । ଏଣୁ, ସେ ବିଶେଷ କିଛି ଖୋଜ ଖବର ନେଇ ନାହାନ୍ତି-। କଟକ ଫେରିଲେ ପୁନରାୟ ବ୍ୟବସ୍ଥା ସେ କରିବେ ବୋଲି କହିଛନ୍ତି । ହେଇ ଚିଠି ଖଣ୍ଡେ ସେ ପଠାଇଛନ୍ତି ନିଅନ୍ତୁ । ମର୍ଦ୍ଦରାଜ ବାବୁ ଚିଠିଖଣ୍ଡକ ପଢ଼ିଲେ ।

 

ସ୍ୱପ୍ନମଞ୍ଜରୀ ପୁଅର ଖବର ଶୁଣିବା ପାଇଁ ବିକଳ ହୋଇ ଧାଇଁ ଆସିଲେ ନବକୁମାର ପାଖକୁ ।

 

ଚିଠିଖଣ୍ଡେ ପଢ଼ିସାରି ମର୍ଦ୍ଦରାଜବାବୁ ଦୀର୍ଘ ନିଶ୍ୱାସ ପକାଇ କହିଲେ ‘‘ନବ କୁମାର ।’’

 

ସବୁ ବୁଝି ପାରିଲି–କୁନ ଯଦି ଫେରିଆସେ–ସେ ମୋ ଭାଗ୍ୟ, ଆଖିରୁ ତାଙ୍କର ଲୁହ ଗଡ଼ି ପଡ଼ିଲା । ଲୁହ ପୋଛୁପୋଛୁ ସେ କହିଲେ ନବକୁମାର, ମୁଁ ଆଉ ଧୈର୍ଯ୍ୟ ଧରି ରହି ପାରିବି ନାହିଁ । ମୋ ଦେହ କଣ ହେଇ ଯାଉଛି । ବେଶିଦିନ ବଞ୍ଚିପାରିବି ନାହିଁ ମଧ୍ୟ । ସବୁ ଆଶା ଭରସା ଛାଡ଼ିଲିଣି ମୁଁ ।

 

ଆଜିରେ ସମାଜକୁ ଲେଖି ପଠାଅ ଏତିକି ।

 

ଲେଖ–ଲେଖ-ନବ କୁମାର ।

 

ଆଉ ବିଳମ୍ବ କରନା ।

 

ନବ କୁମାର ପକେଟରୁ କଲମ ବାହାର କରି କହିଲା, ‘‘କ’ଣ ଲେଖିବି କହନ୍ତୁ ?’’

 

ଲେଖ–

 

ସ୍ନେହର କୁନ !

 

କେଉଁଆଡ଼େ ତୁ ଚାଲିଗଲୁ । ତୋତେ ହରାଇ ଆଜି ବାପ ମାଆ ତୋର ଅନ୍ଧ ହୋଇ ବସିଅଛୁ । ମୁଁ ଆଜି ତୋରି ପାଇଁ ରୋଗଶଯ୍ୟାରେ, ମାଆ ତୋର ତୋତେ ନଦେଖି ଆତ୍ମହରା ହୋଇ ଗଲେଣି ।

 

ତୋ ଇଚ୍ଛା ବିରୁଦ୍ଧରେ ମୁଁ କେବେ କୌଣସି କାର୍ଯ୍ୟ କରିବି ନାହିଁ । ଶୀଘ୍ର ଘରକୁ ଫେରିଆ ।

ତୋର–ବାପା ।

 

ନବକୁମାର ଏ ବିଜ୍ଞାପନଟି ସମାଜକୁ ପଠାଇ ଦିଅ ଡାକରେ । ଉହୁ–କି ଯନ୍ତ୍ରଣା ? ଆଉ ସହ୍ୟ କରି ପାରିବି ନାହିଁ–ନବ କୁମାର । ସଂଧ୍ୟାର ନାଗରା ବାଜି ଉଠିଲା ।

 

ନବ କୁମାର ବିଜ୍ଞାପନଟି ନେଇ ଚାଲିଗଲା ।

 

ମର୍ଦ୍ଦରାଜ ବାବୁ, ପୂର୍ବପରି ମୁଣ୍ଡରେ ହାତଦେଇ ଭାବନା ସ୍ରୋତରେ ଭାସି ଚାଲିଲେ ।

 

-ଚଉଦ-

 

ରତନୀ ଦୀର୍ଘ ନିଶ୍ୱାସ ପକାଇଲା ।

 

କହିଲା ହଁ, ମୁଁ ପାପ କରିଛି–ଅନ୍ୟାୟ କରିଛି । ଜାଣୁ ଜାଣୁ ତୁମ୍ଭର ସୁନାର ସଂସାରଟିକୁ ଛାରଖାର କରିଛି । ଅନୁତାପରେ ପ୍ରାଣ ଯେ ତାଙ୍କର କ’ଣ ନ ହେଉଥିବ ? କେତେ ସେ ତମରି ପାଇଁ ଝୁରି ହେଉ ନ ଥିବେ ? ବାପ ମା, ଯାହାଙ୍କ ଲାଳନପାଳନ ବୁକୁରେ ଦେଇଛି ସାହସ–ମୁହଁରେ ଦେଇଛି କଥା । ହାତଧରି ଯିଏ ଚଲାଇ ଶିଖାଇଛନ୍ତି, ସେ କେମିତି ଧୈର୍ଯ୍ୟ ଧରି ରହିବେ ? କେତେ କଷ୍ଟ ତାଙ୍କ ମନରେ ନ ହେଉଥିବ । କାହିଁ, ଦିନେତ ଭାବିଲନି–ତମ ମୁହଁରୁ ଦିନେ ମୁଁ ତ ଶୁଣିବାକୁ ପାଇଲିନାହିଁ ? କ୍ଷଣକ ପାଇଁ ହେଲେ ତମ ମନ ବ୍ୟଥିତ ହେଉନି । ସବୁବେଳେ ଖାଲି ମଉଜ ମଜଲିସ୍ । ଆମୋଦ ପ୍ରମୋଦ । ସିନେମା ଥିଏଟର । ପଛକଥା ମନେ ଟିକେ ପକାଅ ? ଭାବ ଟିକେ ଥରେ !!

 

ସେଦିନ ପ୍ରଭାତ ସିନେମାକୁ ରେକ୍‌ସାରେ ବସି ଯାଉଁ ଯାଉଁ ରାସ୍ତାକଡ଼ରେ ଯେଉଁ ଭିକାରି ବୁଢ଼ାଟିର ଆର୍ତ୍ତନାଦରେ ତମ ଚିତ୍ତ ତରଳି ଯାଇଥିଲା–ରେକ୍‌ସାରୁ ତମେ ଓହ୍ଲାଇ ପଡ଼ି ପଚାରିଲ ସେ ଭିକାରି ବୁଢ଼ାଟିକୁ, କାହିଁକି ବୁଢ଼ା କାନ୍ଦୁଛ ? ତୋର କ’ଣ ହୋଇଛିକି ?

 

ଧୂଳିରେ ଲୋଟି ଯାଉଥିଲା ତା’ର ଅଙ୍ଗଲତା । ମୁଣ୍ଡ ବାଡ଼େଇ ଲୁହ ଲହୁ ଏକାଠି କରୁଥିଲା ସେ । ତମକୁ ସେହି ଆର୍ତ୍ତନାଦ ଜବାବ ଦେଇଥିଲା ପରା ? ବାବୁ ମୋ ପୁଅ କେଉଁଆଡ଼େ ଚାଲିଯାଇଛି,–ପାଉନାହିଁ ଖୋଜି ଖୋଜି ଥକିଲିଣି । ବ୍ୟଥା ଭରା କଣ୍ଠରେ ତମେ ମୋତେ କହିଥିଲ–‘‘ରତନୀ ।’’ ଜଗତରେ ପିତୃ ସ୍ନେହଠାରୁ ବଳି ମଧୁର ସ୍ନେହ ଆଉ ନାହିଁ । ଆଖି ଲୁହ ଆଖିରେ ଚାପି ମୁଁ କହିଥିଲି ତମକୁ କୁନବାବୁ; ତୁମେ ଆଜି କ’ଣ କରୁଛ ? ତୁମ କଥା ଭାବିଲଣି ଥରେ ! ମୋ କଥାର ପ୍ରତ୍ୟୁତ୍ତର ଦେବାକୁ ଯାଇ ଆଖିରୁ ଲୁହ ତମେ ଢାଳିଦେଲ ନୀରବରେ । ଅନ୍ତର ମୋର ଥରି ଉଠିଲା ।

 

ଆଜି ତମେ ମୋ କଥା ମାନ, ଘରକୁ ଫେରିଚାଲ । ବାପା କ’ଣ ସତେ ତାଙ୍କ କୋଳରୁ ଅନ୍ତର କରି ଦେବେ ? ଯଦି ସେ ତେଜ୍ୟପୁତ୍ର କରି ଦିଅନ୍ତି–ହସି ହସି ତାଙ୍କ ପଦଧୂଳି ମୁଣ୍ଡରେ ମାରି ଚାଲିଆସିବା ପୁଣି ।

 

ହଁ ରତନୀ, ମନଟା ସବୁବେଳେ ଘାଣ୍ଟି ଚକଟି ହେଉଛି । ଶାନ୍ତି ଆସୁନି–ପଛ କଥାଗୁଡ଼ାକ ଆଖି ଆଗରେ ମୋର ନାଚି ଯାଉଛି । ଦେହ ମୋର ଥରି ଉଠୁଛି ।

 

ବାପା ଆଜି ସମାଜରେ ଲେଖିଛନ୍ତି, କୁନ କେଉଁଠି ଅଛୁ ଶୀଘ୍ର ଘରକୁ ଫେରିଆ, ତୋ ମାଆ ତୋତେ ନ ଦେଖି ଆତ୍ମହରା ହୋଇ ପଡ଼ିଲେଣି । ମୁଁ ଆଜି ତୋରି ପାଇଁ ରୋଗ ଶଯ୍ୟାରେ, ତୋ ଇଚ୍ଛା ବିରୁଦ୍ଧରେ ମୁଁ କେବେ କୌଣସି କାମ କରିବି ନାହିଁ ।

 

ମୁଁ ତାହା ଦେଖି ଶୁଣି ନୀରବ ରହିଛି ।

 

କିନ୍ତୁ ମନଟା କେମିତିକା ହେଇଯାଉଛି ।

 

ଯେତେଦୂର ମନେ ହେଉଛି, ସେ ପ୍ରକୃତରେ ରୋଗରେ ପଡ଼ିଛନ୍ତି । ତାଙ୍କୁ ଦେଖିବା ପାଇଁ ମନଟା ବ୍ୟାକୁଳ ହୋଇ ପଡ଼ିଲାଣି ।

 

ହଁ ତମେ ମୋ କଥା ମାନ ଘରକୁ ଫେରିଚାଲ ।

 

ଘଡ଼ି କଣ୍ଟାରେ ଠନ୍ ଠନ୍ ହୋଇ ବାରଟା ବାଜିଲା ।

 

କୁନ ବାବୁଙ୍କ ଆଖିକୁ ନିଦ ନାହିଁ । ସେଦିନ ରାତିଟା ସେହିପରି କଟିଲା । ଦିନୁଦିନ ଚିନ୍ତାର ଅଥଳ ଦରିଆରେ କୁନବାବୁ ବୁଡ଼ି ଗଲେ । ସକାଳ ହେଲାଣି । କାଉ କାଆ ଡାକିଲାଣି–ରାସ୍ତା କଡ଼ରେ ବିଜୁଳିବତୀ ଆଲୁଅଗୁଡ଼ାକ ଲିଭି ଗଲାଣି । କେଉଁଠି କେମିତି ଅସ୍ପଷ୍ଟ ହୋଇ ଜଳୁଛି-। ରାସ୍ତାଗୁଡ଼ାକ ଶୁନ୍‍ଶାନ୍ । ମଝିରେ ମଝିରେ ଶଗଡ଼ର କେଁ କଟର ଶବ୍ଦ ଶୁଭୁଛି ।

 

କୁନବାବୁ ବିଛଣାରୁ ଉଠି ବସିଛନ୍ତି ।

 

ରତନୀ ଗାଧୋଇବାକୁ ଯାଇଛି ।

 

ନିର୍ମଳ ପହଞ୍ଚିଲା ।

 

କୁନବାବୁ ନିର୍ମଳକୁ ଦେଖି ହଠାତ୍ ଚମକି ପଡ଼ିଲେ ।

 

କିଛିକ୍ଷଣ ନୀରବ ରହି କହିଲେ, ‘‘ଏମିତି ଅସମୟରେ ନିର୍ମଳ ?’’

 

ନିର୍ମଳ ଟିକେ ଗୁମ୍‍ମାରି କହିଲା, ‘‘ହଁ ସେମିତି କିଛି କାରଣ ଅଛି କୁନ ।’’ ତା’ ନ ହୋଇଥିଲେ ଏତେ ସକାଳୁ ମୁଁ କ’ଣ ଆସିଥାନ୍ତି !!

 

ହଁ ତାହା ହିଁ ତ ମୋର ମନେ ହେଉଛି ।

 

ତେବେ କାରଣଟା କ’ଣ କହିଲୁ ?

 

କାରଣଟା ଏହି । ତୁ ଘରୁ ଲୁଚି ପଳାଇ ଆସିଛୁ ?

 

ମୁଁ ସେଦିନ ପଚାରିଲାରୁ କହିଲୁ, ସେମିତି ଖୁସିରେ ବୁଲିଚାଲି ଆସିଛି । ସେ ଯାହା ହେଉ ତୁ ଏପରି ଭାବରେ ଘରୁ ପଳାଇ ଆସିବାଦ୍ୱାରା ପ୍ରକୃତରେ ଅନ୍ୟାୟ କରିଛୁ ?

 

ତୁମ ଗ୍ରାମରୁ ନବକୁମାର ମହାନ୍ତି ଡି. ଏସ୍. ପି. ଶ୍ରୀଧରବାବୁଙ୍କ ଘରକୁ ଆସିଥିଲେ । ତୋ ବାପା ତାଙ୍କରି ହାତରେ ତୋର ଘରୁ ପଳାଇ ଆସିଥିବା ଖବରଟା ପଠାଇ କଟକରେ ଖୋଜ ଖବର ନେବାକୁ ଶ୍ରୀଧର ବାବୁଙ୍କୁ କହିଛନ୍ତି । ଶ୍ରୀଧର ବାବୁ ନିଜେ ତୋର ସନ୍ଧାନ ନେବା ପାଇଁ କାଲି ଆମ ଘରେ ଆସି ପହଞ୍ଚି କହିଲେ, ନିର୍ମଳ ବାବୁ, କୁନ ଘରୁ ଲୁଚି ପଳାଇ ଆସିଛି, ସେତ ଆପଣଙ୍କର ବନ୍ଧୁ । ଶୁଣିଛି ସେ କଟକରେ କେଉଁଠି ଅଛି । ଆପଣ ତାର ସନ୍ଧାନ ପାଇଛନ୍ତି କି ? ବର୍ତ୍ତମାନ ତା’ର ବାପା ବଡ଼ ଅସୁସ୍ଥ–ରୋଗଶଯ୍ୟାରେ ପଡ଼ିଛନ୍ତି । ମୁଁ ତାଙ୍କଠାରୁ ଏ ଖବର ପାଇ ହଠାତ୍ ତାଙ୍କୁ ତୋର ସନ୍ଧାନ’ଟା କହି ଦେଇଛି କୁନ । ସେ ଦୁଇଥର ଆସି ଫେରି ଗଲେଣି ମଧ୍ୟ । ତୋ ସାକ୍ଷାତ ପାଉ ନାହାନ୍ତି ।

 

ଦେଖ୍ କୁନ ତୁ ମନରେ ଯାହା ଭାବ ପଛେ, ମୁଁ ଆନ୍ତରିକ, ତୋର ଏପରି କାର୍ଯ୍ୟକୁ ନିନ୍ଦା ନ କରି ରହି ପାରୁନି । ମୋ ଉପରେ ବରଂ ହିଂସାକର, ଈର୍ଷାକର ତଥାପି ତୋର ଚେତନା ଫେରିଆସୁ । ତୁ ଘରକୁ ଶୀଘ୍ର ଫେରିଯା–ମୁଁ ଏହାହିଁ ତୋତେ କହିବାକୁ ଆସିଛି ।

 

କୁନବାବୁ କହିଲେ, ‘‘ହଁ ନିର୍ମଳ, ସେଦିନ ତୋତେ ଅନେକ ବିଷୟ ଲୁଚାଇ କହନି ।’’ କ୍ଷମା କରିବୁ । ତୁ ଯେଉଁ କଥାରେ ମୋତେ ସନ୍ଦେହ କରିଥିଲୁ ତାହା ପ୍ରକୃତରେ ସତ୍ୟ ।

 

ମୋ ଜୀବନର ଗୋଟାଏ ବିରାଟ ଇତିହାସ ସେ । ବର୍ତ୍ତମାନ ସେ ସବୁ କଥା ଘାଣ୍ଟି ଚକଟି ଲାଭ ନାହିଁ କିଛି । ଭାବିଲେ ମନରେ ଦୁଃଖ ଆସୁଛି ।

 

ନିର୍ମମ ସମାଜର ଦାରୁଣ ଅକ୍ରୋଶକୁ ପାଦରେ ଠେଲି ଦେଇ ଦୂରଦୂରାନ୍ତରକୁ ଚାଲି ଆସିଛି ମୁଁ । ଜାଣେ ନା ଫଳ କଣ ହେବ ? ତଥାପି ମୁକ୍ତିର ଆଲୋକ ଚାହେଁ–ଜୀବନଟାକୁ ସୁଖ ଶାନ୍ତିରେ ରଖିବାକୁ ଚାହେଁ । ଦୁଃଖ ଘନଘଟା ଭିତରେ ଯେ ମୋତେ ପାଇବା ପାଇଁ ଛାତି ପତାଇ ଦେଲା ଆଗକୁ କେମିତି ମୁଁ ତାକୁ ମୋ କୋଳରେ ସ୍ଥାନ ନ ଦେବି ନିର୍ମଳ ?

 

ତାର ନିଦର୍ଶନ ମୋ ପାଖରେ ଆଶ୍ରିତା ଏହି ଯୁବତୀଟି । ସେଦିନ ତୋ ସହିତ ପ୍ରତାରଣା କରି କହିଥିଲି ସେ ଜଣେ ପୂର୍ବବଙ୍ଗର ନିରାଶ୍ରିତା ଯୁବତୀ–ମୋ ଘରେ ତାକୁ ଆଶ୍ରୟ ଦେଇଛି । ଆଜି ତୋ ନିକଟରେ ମୋର ସମସ୍ତ ଗୋପନ କଥା ଧରା ପଡ଼ି ଯାଇଛି ।

 

କ୍ଷମା କରିବୁ ଭାଇ ।

 

ହଁ ସେଦିନ ଯେଉଁ ବୁଢ଼ାଟିର ଶବକୁ ନେଇ ସଂସ୍କାର କରିଥିଲେ, ସେ ବୁଢ଼ାଟି ଏହି ଯୁବତୀର ପିତା ।

 

ସେ କଥା ନିଶ୍ଚୟ ତୋର ମନେ ଥିବ ।

 

ଅସହାୟ ଅବସ୍ଥାରେ ବାପ ଝିଅ ଦୁଇଟି ଜୀବନର ସନ୍ଧିକ୍ଷଣରେ ପଡ଼ିଥିଲେ ମୁଁ ମୋର କର୍ତ୍ତବ୍ୟ ପାଳନ କରି ମନରେ ସାହସ ବାନ୍ଧି ସୁଦୂର ପଲ୍ଲୀରୁ ଘେନି ଆସିଥିଲି କଟକ । ରୋଗଗ୍ରସ୍ତ ବୁଢ଼ାଟାକୁ ହସପାତାଲରେ ଛାଡ଼ିଥିଲି, ମରିଗଲା । ପାଖରେ ରହିଲା ରତନୀ । ତାକୁ ଜୀବନଦେଇ ଭଲପାଇ ଆସିଛି ମୁଁ । ପିଲାଟି ଦିନରୁ ସ୍ନେହର ନୀବିଡ଼ ବନ୍ଧନରେ ବନ୍ଧା ସେ । କେମିତି ତାକୁ ଆଜି ଦୂରକୁ ଠେଲି ଦେଇ ଏତେ ବଡ଼ କାମଟା କରିବି ନିର୍ମଳ ? ଏଇଥିପାଇଁ ଗ୍ରାମ ସାରା ମୋର ଦୁର୍ନାମ ରଟିଛି । କିଏ କେତେ ପ୍ରକାର କହିଛନ୍ତି । କୌଣସି କଥାରେ କାନ ଦେଇନାହିଁ ।

 

କିନ୍ତୁ ଯେତେବେଳେ ବାପାଙ୍କର ଅତ୍ୟାଚାର ଅସହ୍ୟ ହୋଇପଡ଼ିଲା-ମୁଁ ଆଉ ଧୈର୍ଯ୍ୟ ଧରି ରହି ପାରିଲି ନି ନିର୍ମଳ । ଅନ୍ୟାୟକୁ କିପରି ମୁଁ ବରଦାସ୍ତ କରିବି ?

 

ତେଣୁ ବାହାରି ଆସିଲି ଘରୁ । ବାପା ମୋର ବିବାହର ସମସ୍ତ ଆୟୋଜନ କରି ସାରିଥିଲେ, ମୁଁ ତାଙ୍କୁ ଅନିଚ୍ଛା ପ୍ରକାଶ କରି କହିଲି ବିବାହ କରିବି ନାହିଁ । ଏଣୁ ମୋତେ ବିଶେଷ କିଛି ନ କହି ଲୋକ ପଠାଇ ଅତ୍ୟାଚାର କରି ବସିଲେ, ନିରୀହ ଗରିବ ପ୍ରଜା ସପନା ଉପରେ ! ଯାହା କଥା ପୂର୍ବରୁ ତୋତେ ମୁଁ କହିଲି । ପୋଡ଼ି ଜାଳି ଦେଲେ ତାର ଘର–ଅତ୍ୟାଚାର ଅସହ୍ୟ ହୋଇ ପଡ଼ିଲା । ସେତେବେଳେ ସପନା ରୋଗଶଯ୍ୟାରେ ପଡ଼ିଥାଏ । ରତନୀର ବିପଦ କହିଲେ ନ ସରେ, ଯାହାକୁ ମୁଁ ଅନ୍ତର ଦେଇ ଭଲପାଇ ଆସିଛି ସେ ସୁନ୍ଦର ହେଉ ବା କୁତ୍ସିତ ହେଉ, ମୋର ସେ ଆପଣାର । ବାପାଙ୍କ ବିରୁଦ୍ଧରେ ଛିଡ଼ା ହୋଇ ମୋର କିଛି କରିବାର ଶକ୍ତି ନଥିଲା । ଦୁନିଆରେ ଏପରି ଅତ୍ୟାଚାର ଚାଣ୍ଡାଳ ମଧ୍ୟ କରିବ ନାହିଁ । ସବୁ ଧନ ସମ୍ପଦକୁ ତୁଚ୍ଛମନେ କରି ଦୁଇଟି ଅସହାୟ ପ୍ରାଣକୁ ବଞ୍ଚାଇବା ପାଇଁ ଅଥଳ ଦିରିଆକୁ ଲମ୍ପ ଦେଲି । ଈଶ୍ୱରଙ୍କ ଉଦ୍ଦେଶ୍ୟ ଭିନ୍ନ ଗୋଟିଏ ଚାଲିଗଲା ।

 

ପାଇଲି କେବଳ ରତନୀକୁ ।

 

କୁନବାବୁ ଆଉ କିଛି କହି ପାରିଲେ ନାହିଁ । କଣ୍ଠ ତାଙ୍କର ବାଷ୍ପରୁଦ୍ଧ ହୋଇଗଲା ।

 

ନିର୍ମଳ ଦୀର୍ଘ ନିଶ୍ୱାସ ପକାଇ କହିଲା–

 

‘‘ସବୁ ବୁଝି ପାରିଲି କୁନ ସବୁ ବୁଝି ପାରିଲି ।’’ ତୋ ଜୀବନର ଏ ଗୋଟାଏ ପରୀକ୍ଷା ବୋଲି ଧରି ନେ ।

 

ଆଦର୍ଶ ହେବାକୁ ହେଲେ ବହୁ ବିପଦର ସମ୍ମୁଖିନ ହେବାକୁ ପଡ଼ିବ ।

 

ତେବେ ଆଜି ଏ ଯେଉଁ ମୁହୂର୍ତ୍ତ ଉପସ୍ଥିତ, ବାପା ତୋର ରୋଗ ଶଯ୍ୟାରେ–ରାଗ ଅଭିମାନ ଗର୍ବ ଏ ସବୁ ତୋର ଯାହାଙ୍କ ପାଇଁ ମନ ଗହିରରେ ଜମାଟ ବାନ୍ଧିଛି, ତାକୁ ଦୂର କରିଦିଏ, ନିର୍ମଳ ହୃଦୟ ନେଇ ବାପାଙ୍କୁ ତୋର ଥରେ ଦେଖାକର ।

 

କଣ ଭାବୁଛୁ ଏତେ କୁନ ?

 

ଭାବନା ମନରୁ ତୋର ପୋଛି ପକା ।

 

କହ–ଘରକୁ କେବେ ଯିବୁ ?

 

ମୋତେ ଟିକେ ଭାବିବାକୁ ସମୟ ଦିଏ ନିର୍ମଳ ।

 

ଭାବିବୁ ଆଉ କଣ ?

 

ତୋ’ଠାରୁ ପୂର୍ଣ୍ଣ ପ୍ରତିଶ୍ରୁତି ନେବାକୁ ମୁଁ ଆସିଛି, ବାହାରେ ତେଣେ ଶ୍ରୀଧର ବାବୁ ବସିଛନ୍ତି । ତୁ ଘରକୁ ଯିବୁ କି ନାହିଁ ?

 

ହଁ ଯିବାକୁ ତ ହେବ ନିର୍ମଳ । ବାପାଙ୍କର ଅସୁସ୍ଥତା ଶୁଣି ମନଟା ଆଦୌ ସ୍ଥିର ହେଉନି ।

 

ସତେ ନିର୍ମଳ ! ଶ୍ରୀଧର ବାବୁ ବାହାରେ ଛିଡ଼ା ହୋଇଛନ୍ତି ।

 

ନିର୍ମଳ ଟିକେ ମୁରୁକି ହସାଦେଇ କହିଲା, ‘‘ନା କୁନ ।’’

 

ଶ୍ରୀଧର ବାବୁ ଆସି ନାହାନ୍ତି, ତାଙ୍କ ଆସିବା ନ ଆସିବାରେ କିଛି ନାହିଁ । ତୁ କାଳ ବିଳମ୍ୱ ନ କରି ଶୀଘ୍ର ଘରକୁ ଚାଲି ଯା ।

 

ମୋ କଥା ମାନ ।

 

ଆଚ୍ଛା ନିର୍ମଳ–

 

ତୁ କହି ପାରିବୁ କି ? ନବକୁମାର କଟକ ଆସିଥିଲା, ଘରକୁ ଫେରି ଗଲାଣି ନା ଅଛି ?

 

ନବ କୁମାର ଘରକୁ ଫେରିଗଲାଣି । ଶ୍ରୀଧର ବାବୁ ତୋ ବାପାଙ୍କ ନିକଟକୁ ତା ହାତରେ ଖବର ପଠାଇ ଦେଇଛନ୍ତି ଏହି ଆଠ ଦଶ ଦିନ ଭିତରେ ତୋତେ ସେ ସାଙ୍ଗରେ ନେଇ ଘରେ ପହଞ୍ଚିବେ ।

 

ସତେ ନା ?

 

ହଁ, ହଁ, ତାହାହିଁ ସେ କରିବେ । ତୁ କଣ ଜାଣୁନା–

 

ଡି. ଏସ. ପି.ମାନେ ଯେଉଁ କାମରେ ହାତ ଦିଅନ୍ତି ସେ କାମ ଶେଷ ନ କରିବା ଯାଏ ଛାଡ଼ନ୍ତି ନାହିଁ, ବରଂ ତା ଆଗରୁ ତୋର ଚାଲିଯିବା ଉଚିତ ।

 

–ନିର୍ମଳ ତୁ ଏତେଗୁଡ଼ାଏ ଖବର ପାଇଲୁ କେମିତି ?

 

ଶ୍ରୀଧର ବାବୁଙ୍କୁ ତ ଜାଣୁ ସେ ଡି. ଏସ. ପି. ମଣିଷ । ତାଙ୍କ ପାଖରେ ଗୋପନ କିଛି ରଖି ହୁଏ ନି ।

 

ତୁ ତାଙ୍କୁ ମୋର ସବୁ କଥାଗୁଡ଼ାକ କହି ଦେଇଛୁ ନା ?

 

ନିର୍ମଳ ହସିଲା ।

 

କୁନ ବାବୁ ମୁରୁକି ହସାଦେଇ କହିଲେ, ‘‘ତୋତେ ଆଉ ବଳ ନାହିଁ ନିର୍ମଳ ।’’

 

ମୋତେ ବଳ ତୋର ନାହିଁ–ମୁଁ ଜାଣିଲି । ତୋତେ ବଳ କାହାର ଅଛି କହନି ? କାଲି ତୁ ନିଶ୍ଚୟ ଘରକୁ ଯାଉଛୁ ତ ?

 

କୁନବାବୁ ମଉନ ରହି କିଛିକ୍ଷଣ ଭାବି ଦୀର୍ଘ ନିଶ୍ୱାସ ପକାଇ କହିଲେ–ହଁ ଯିବି ।

 

ନିର୍ମଳ ଖୁବ୍‌ ସକାଳୁ ଚାଲି ଆସି ଥିବାରୁ ଶୀଘ୍ର ଘରକୁ ଫେରିଗଲା ।

 

ରାସ୍ତାରେ ଯାଉଁ ଯାଉଁ ନିର୍ମଳ ଭାବିଲା ଯା ହେଉ କୁନକୁ ସେ ମଙ୍ଗାଇ ପାରିଛି–ଏହାହିଁ ତା ପକ୍ଷରେ ଯଥେଷ୍ଟ । ଜଣେ ବନ୍ଧୁ ରାଗ ଅଭିମାନରେ ଘରୁ ଚାଲି ଆସିଛି । ସବୁବେଳେ କଣ ଏହିପରି ରହିଥିବ ?

 

କୁନବାବୁ ବ୍ରସ୍‌ଟା ନେଇ ଦାନ୍ତ ମାଜୁ ମାଜୁ ରତନୀକୁ ପାଖକୁ ଡାକିଲେ ।

 

କାହିଁକି ଡାକୁଛ ?

 

ଆଜି ଆମେ ଗ୍ରାମକୁ ଯିବା ।

 

ରତନୀ ନୀରବ ।

 

କିଛି କହୁ ନାହୁ ଯେ ।

 

କଣ କାନ୍ଦୁଛୁ !

 

କାନ୍ଦ କାହିଁକି ? କେଉଁଠି ଅପରାଧ କରିଛି କି ? ମୋ ଉପରେ ରାଗିଛୁ ? ଅଭିମାନ କରିଛୁ ନିଶ୍ଚୟ ?

 

–ନା-ମୁଁ ତମ ଉପରେ ରାଗି ନାହିଁ–ଅଭିମାନ କରି ନାହିଁ । ତେବେ କାନ୍ଦୁଛୁ ?

 

ରତନୀ ନିର୍ମଳର କହିବା, କଥାଗୁଡ଼ାକ ସେପାଖ ଘରେ ଥାଇ ଶୁଣିଛି । ଏଣୁ ମନରେ ତା’ର କେତେ ପ୍ରକାର ଭାବନା ଖେଳି ବୁଲୁଛି–ନାନା କଥା ମନରେ ପଡ଼ି ଯାଉଛି; ଧୈର୍ଯ୍ୟ ଧରି ରହି ପାରୁନି ସେ ଆପଣା କପାଳକୁ ନିନ୍ଦି ଆଖିରୁ ଲୁହ ଗଡ଼ାଉଛି । ଗାଧୋଇ ଆସି ଦେହରୁ ଓଦା ଲୁଗା ପାଲଟି ନାହିଁ ମଧ୍ୟ । କୁନବାବୁ ରତନୀର କାନ୍ଦିବାର ଅର୍ଥ କିଛି ବୁଝି ପାରିଲେ ନାହିଁ । ଦାନ୍ତ ମଜା ସରିଲା । ଦିଆଲ ପାଖକୁ ଲାଗିଥିବା ଚେୟାର ଖଣ୍ଡି ଟାଣି ଆଣି ବସିଲେ ସେ ।

 

ରତନୀ ଚା’ ତିଆରି କରି ଆଣି ଦେଲା ।

 

କୁନ ବାବୁ ଚା କପ୍‌ଟା ଧରୁ ଧରୁ ରତନୀ ମୁହଁକୁ ଚାହିଁଲେ ସତେ ଯେପରି ସଜ ଗୋଲାପ ଫୁଲଟି ପ୍ରଚଣ୍ଡ ଖରାର ତାପ ସହି ନ ପାରି ଝାଉଁଳି ପଡ଼ିଛି ।

 

ପାଖକୁ ଆଉଜାଇ ଆଣିଲେ ତାକୁ ।

 

କହ-କହ ରତନୀ ? କାହିଁକି ତୋ ଆଖିରେ ଆଜି ଲୁହ ?

 

କାନ୍ଦଣା ମିଶ୍ରିତ ଗଳାରେ ରତନୀ କହିଲା, ‘‘ତମେ ଘରକୁ ଫେରିଯାଅ କୁନବାବୁ ।’’ ବାପା ତୁମର କେତେ ଯେ କଷ୍ଟ ନ ଭୋଗୁଥିବେ ! ତୁମ ପାଇଁ ସେ ରୋଗ ଶଯ୍ୟାରେ ପଡ଼ି ଆଖିରୁ ଲୁହ ଖାଲି ଢାଳୁଥିବେ ।

 

ତାହେଲେ ତୁ କ’ଣ ଯିବୁନି ରତନୀ ?

 

ମୁଁ ଆଉ କାହିଁକି ଯିବି କୁନବାବୁ ? ପୋଡ଼ା ଜୀବନଟାକୁ ନେଇ ଦେଖାଇବି ପୁଣି କାହିଁକି-? ପୋଡ଼ିଗଲା ତିଅଣରେ ସ୍ୱାଦ ଯେପରି ନଥାଏ ମୋ ଜୀବନଟାତ ସେଇମିତି ।

 

ସେଦିନ କଥା ଆଜି ମୋର ମନେ ପଡ଼ିଲେ ଦେହ ଥରି ଉଠୁଛି–ବାପଟା ମୋର ରୋଗ ବିଛଣାରେ ପଡ଼ିଥାଏ, ରାତି ଅଧଟା । ସାହା ଭରସା କେହି ନ ଥାନ୍ତି, ମୋ ଉପରେ ଯେଉଁ ଅତ୍ୟାଚାର କରାଗଲା, ଶେଷରେ ମୋତେ ଘର ଭିତରେ ପୁରାଇ ଘରେ ନିଆଁ ଲଗାଇ ଦେଲେ, ସେଇଦିନଠାରୁ ମୁଁ ବଞ୍ଚିରହି ନାହିଁ କୁନବାବୁ । ବଞ୍ଚି ରହିଛି ମୋର କାଠ ପାଷାଣ ଏହି ସର୍ବସୁହା ଶରୀରଟା ।

 

ଲାଞ୍ଛନା ଅପବାଦ ମୁଣ୍ଡାଇବାକୁ କାହିଁକି ଆଜି ଯିବି ଅଭିଲାଙ୍କ ପରି-କଟା ଘାରେ ଚୂନ ଦେଲେ, ଯନ୍ତ୍ରଣା ହେବ ଖାଲି । ଲୋକ ହସିବେ । ତୁମେ ଘରକୁ ଯାଅ ।

 

କ’ଣ ମୁଁ ଯିବି ? ମୁଁ ତ ନିଶ୍ଚୟ ଯିବି–ମୋ ସହିତ ତୋତେ ମଧ୍ୟ ଯିବାକୁ ପଡ଼ିବ । ଜାଣୁତ କାୟା ଛାୟାକୁ ଛାଡ଼ି ରହି ପାରେ ନା, ଛାୟା କାୟାକୁ ଛାଡ଼ି ମଧ୍ୟ ରହି ପାରେନା । ଏ ବନ୍ଧନର ମୋହ, ବନ୍ଧନର ମାୟା । ତୋରି ପାଇଁ ଆଜି ମୋ ଜୀବନରେ ବିରାଟ ପରିବର୍ତ୍ତନ ।

 

ତୁ ଅପବାଦକୁ ଡରୁଛୁ ? ଲୋକେ ଅପବାଦ ଦେବେ । ନିନ୍ଦା କରିବେ କାହିଁକି ? କେଉଁଥିପାଇଁ ?

 

ଅପରାଧଟା କଣ ?

 

ଏ ଚିନ୍ତା ଖାଲି ବୃଥା–ଖାଲି ବାଜେ-ଗୋଟାଏ ଖିଆଲ । କିଏ ତୋର ନିନ୍ଦା ରଟନା କରିବ ? ଦେଖିବି ମୁଁ ।

 

ସର୍ବଗ୍ରାସୀ ସଇତାନ ହୋଇ ଯେଉଁମାନେ ତୋ ପ୍ରତି ଅତ୍ୟାଚାର କରିଛନ୍ତି, ତାଙ୍କୁ କି ଶାସ୍ତି ଦେବି ଦେଖିବୁ ରତନୀ ।

 

ମୋ କଥା ମାନ । ପଛ କଥାଗୁଡ଼ା ଭୁଲିଯା । ଆଗକୁ କ’ଣ କରିବା ସେହି ଚିନ୍ତା କର ।

 

କୁନବାବୁ ଏହି ଭାବନାରେ ଅସ୍ଥିର ହୋଇ ପଡ଼ିଲେ ।

 

ରତନୀ ! ଏଇଯେ ଘଡ଼ିରେ ଆସି ନଅଟା ବାଜିଲାଣି, ଏଗାରଟାରେ ଗୋଟାଏ ଗାଡ଼ି ଆସିବ । ଆମକୁ ସେହି ଗାଡ଼ିରେ ଯିବାକୁହିଁ ହେବ ।

 

ଶୀଘ୍ର ତୋର ଲୁଗାପଟା ଟ୍ରଙ୍କରେ ସଜାଇ ରଖି ଆବଶ୍ୟକ ଜିନିସଗୁଡ଼ି ବାହାର କରି ବାହାରେ ରଖ ।

 

ରତନୀ ଚମକି ପଡ଼ିଲା । ମୁହଁଟା ତାର ଶୁଖିଗଲା ।

 

ସତେ କଣ ତାକୁ ଗ୍ରାମକୁ ଯିବାକୁ ହେବ ?

 

କିପରି ସେ ଗ୍ରାମ ଲୋକଙ୍କୁ ନିଜ ମୁହଁ ଯାଇ ଦେଖାଇବ ? ଚିନ୍ତାର କରାଳ ମୂର୍ତ୍ତି ଆଖି ସାମନାରେ ତା’ର ନାଚି ଗଲା ।

 

ଚିନ୍ତା–କେବଳ ଚିନ୍ତା ।

 

କଟକ ଷ୍ଟେସନ ଲୋକାରଣ୍ୟରେ କମ୍ପି ଉଠୁଛି । ଗାଡ଼ି ଆସିବାକୁ ଅଧଘଣ୍ଟାଏ ଡେରି ଥାଏ, ଯାତ୍ରୀଗୁଡ଼ାକ ପ୍ଲାଟଫର୍ମ ଏପଟ ସେପଟ ଜମା ହୋଇଥାନ୍ତି । ସେହି ଯାତ୍ରୀମାନଙ୍କ ଗହଳି ଭିତରେ ଦୁଇଟି ଯୁବକ ଯୁବତୀ । ମୁଖରେ ମଳିନତାର ଚିହ୍ନ । ତାଙ୍କ ପାଖକୁ ଆଉ ଜଣେ ଯୁବକ ଲାଗି ଲାଗି ଛିଡ଼ା ହୋଇଛନ୍ତି । ମନେ ହୁଏ ତାଙ୍କର କେହି ଜଣେ ଆତ୍ମୀୟ । ବିଦାୟ ଦେବାପାଇଁ ଷ୍ଟେସନକୁ ଧାଇଁ ଆସିଛି ।

 

ଉକ୍ତ ଯୁବକ ଯୁବତୀ ଆମ ପରିଚିତ କୁନ ବାବୁ ଏବଂ ରତନୀ ତାଙ୍କୁ ପାଛୋଟି ଦେବାକୁ ତାଙ୍କ ସଙ୍ଗରେ ଆସିଛି ନିର୍ମଳ ।

 

ଦେଖୁ ଦେଖୁ ଗାଡ଼ିଟା ଆସି ପହଞ୍ଚିଗଲା ଷ୍ଟେସନରେ ।

 

ଯାତ୍ରୀଗୁଡ଼ାକ ଧରାପରା ହୋଇ ଯେ ଯେଉଁଠି ବସି ପଡ଼ିଲେ ।

 

କ୍ଷଣକ ଭିରେ ଷ୍ଟେସନଟା ଘୋ ଘୋ କମ୍ପି ଉଠିଲା ।

 

ଆଉ ଡେରି କାହିଁକି କୁନ– ?

 

ଯାଅ–ଗୋଟିଏ ଡବାରେ ବସିପଡ଼ ।

 

କୁନ ବାବୁ ଭିଡ଼ ନଥିବା ଗୋଟାଏ ହାଲକା ଡବା ଦେଖି ରତନୀକୁ ନେଇ ବସାଇଲେ–ନିଜେ ବସିଲେ ।

 

ଗାଡ଼ି ଛାଡ଼ି ଦେବାର ସମୟ ହୋଇ ଗଲାଣି । ନିର୍ମଳ ଗାଡ଼ିର ରେଲିଂ ଧରି କୁନବାବୁଙ୍କୁ ବିଦାୟ ସମ୍ଭାଷଣ ଜଣାଉଛି ।

 

ଗାଡ଼ିଟାର ବିକଟାଳ ହୁଇସିଲ ବାଜି ଉଠିଲା ।

 

ଯେ ଯେଉଁଠି ଥିଲେ ସମସ୍ତେ ଗାଡ଼ି ଭିତରେ ପଶିଲେ ।

 

ଧୀରେ ଧୀରେ ଗାଡ଼ି ଚାଲିଲା ।

 

ଅଭିବାଦନ ଜଣାଇ ନିର୍ମଳ ଘରକୁ ବାହୁଡ଼ିଲା ।

 

ଗାଡ଼ି ଦୃତ ଗତିରେ ଧାଇଁଲା କଟକ ଷ୍ଟେସନକୁ ପଛରେ ପକାଇ ।

 

-ପନ୍ଦର-

 

ଜରର ପ୍ରକୋପ ବଢ଼ି ଯାଇଛି ।

କାଲି ଅପେକ୍ଷା ରୋଗୀର ଅବସ୍ଥାଟା ଭଲ ନୁହେଁ କହିଲେ–ଡାକ୍ତର ବାବୁ । ଇନ୍‌ଜେକସନ, କେବଳ ଇନ୍‌ଜେକସନ । ଦେହ ହାତ ପରାଶ ହୋଇ ଗଲାଣି ରୋଗୀର । ଡାକ୍ତର ବାବୁ ପୁନରାୟ ସିରିଞ୍ଜିରେ ଔଷଧ ପୂରାଇ ଇନ୍‌ଜେକସନ ଦେଲେ । ଯନ୍ତ୍ରଣାରେ ଚିତ୍କାର କରୁଥାନ୍ତି ମର୍ଦ୍ଦରାଜ ବାବୁ । ଦିନ ରାତି ଡାକ୍ତର ଖାଡ଼ା ପହରା ରହିଥାନ୍ତି । କାଳେ କେଉଁ କଥା । ପ୍ରତି କ୍ଷଣକ୍ଷଣକେ ରୋଗୀର ଚିତ୍କାର । ରୋଗୀର କରୁଣ ଆବେଦନ । ଟୋପାଏ ଜଳ । ତାଙ୍କ ପାଖକୁ ଲାଗି ଲାଗି ବସିଥାନ୍ତି, ସ୍ୱପ୍ନମଞ୍ଜରୀ ଦେବୀ । ଝିଅ ଜୋତ୍ସ୍ନା, ପ୍ରତିଭା, ମିନା ।

ବେଳେ ବେଳେ ସ୍ୱପ୍ନ ଦେଖି ଚମକି ପଡ଼ିଲା ପରି ଚିତ୍କାର କରୁଥାନ୍ତି, ମର୍ଦ୍ଦରାଜ ବାବୁ । କୁନର ସେହି ପ୍ରତିଛବି ନାଚି ଯାଉ ଥାଏ ତାଙ୍କ ଆଖି ଆଗରେ । ରୋଗର ଯନ୍ତ୍ରଣା ଭୁଲି ଯାଇ, କୁନ ମୋର କୁନ-ଫେରିଆ ବାପ ! ମୁଁ ଥରେ ମାତ୍ର ତୋତେ ଦେଖେ । ବିଳିବିଳୋଉ ଥା’ନ୍ତି ।

ଡାକ୍ତର ସତର୍କ କରି ନୀରବ ରହିବାକୁ ନିର୍ଦ୍ଦେଶ ଦେଉଥାନ୍ତି । ପୁଣି ସେହି ଚିତ୍କାର । ପୁଣି ସେହି କରୁଣ ଆବେଦନ, ଟୋପାଏ ପାଣି ।

ଅବସ୍ଥାଟା ନିହାତି ଖରାପ ଦେଖି ସ୍ୱପ୍ନମଞ୍ଜରୀ ଧୈର୍ଯ୍ୟ ହରାଇ ବସିଲେଣି । ବିରାଟ ଜମିଦାରୀ କିପରି ରକ୍ଷଣାବେକ୍ଷଣ ହେବ, ଏହି ଚିନ୍ତାରେ ଜ୍ଞାନ ତାଙ୍କର ହଜି ଗଲାଣି ।

ଔଷଧ ଖୁଆଇବାର ସମୟ ହେଲା । ଡାକ୍ତର ରୋଗୀକୁ ଔଷଧ ପିଆଇଲେ ।

ଅଳ୍ପକ୍ଷଣ ମଧ୍ୟରେ ଭଲ କରି ବାନ୍ତି ହେଲା । ତା ସଙ୍ଗେ ସଙ୍ଗେ ଖାଇଥିବା ଔଷଧଗୁଡ଼ାକ ପଡ଼ିଗଲା ।

ଡାକ୍ତର ମୁଣ୍ଡ ହଲାଇ କହିଲେ, ‘‘ରୋଗୀର ଅବସ୍ଥା ଆଜି ନିହାତି ଖରାପ ।’’ ଟେଥିସ୍‌କୋପଟା ଛାତିରେ ତାଙ୍କର ଲଗାଇଲେ । କଣ ବୁଝିଲେ କେଜାଣି ମୁଣ୍ଡ ହଲାଇ ଡାକ୍ତର ବାବୁ କହିଲେ ସ୍ୱପ୍ନମଞ୍ଜରୀ ଦେବୀ, ତୁମେ ରୋଗୀ ପ୍ରତି ଦୃଷ୍ଟି ଦେଇଥାଅ ମୁଁ ଡିସ୍‍ପେନସରୀରୁ ଆଉ କେତେକ ଔଷଧ ନେଇ ଆସୁଛି । ମର୍ଦ୍ଦରାଜ ବାବୁ ଗୋଟାଏ କଣ ଦୁସ୍ୱପ୍ନ ଦେଖି ଚିତ୍କାର କରି ଉଠିଲେ । ତାଙ୍କାର ଏପରି ବିକଟାଳ ଚିତ୍କାର ଶୁଣି ଝିଅଗୁଡ଼ିକ କାନ୍ଦି ଉଠିଲେ । ସ୍ୱପ୍ନମଞ୍ଜରୀ ଦେବୀ ମର୍ଦ୍ଦରାଜ ବାବୁଙ୍କ ଖଟ ପାଖକୁ ଯାଇ ତାଙ୍କ ପିଠିର ହାତ ବୁଲାଉ ବୁଲାଉ କହିଲେ, ଏମିତି କାହିଁକି ହେଉଛ ?

ଅସ୍ପଷ୍ଟ ଗଳାରେ ମର୍ଦ୍ଦରାଜବାବୁ କହିଲେ, ମୁଁ ଗୋଟାଏ ସ୍ୱପ୍ନ ଦେଖିଲି ସ୍ୱପ୍ନ ମଞ୍ଜରୀ–କି ଭୟଙ୍କର ସେ ଦୃଶ୍ୟ । ଆଉ ବଞ୍ଚି ପାରିବି ନାହିଁ । ଏ ସବୁ ମୋ ଅନ୍ୟାୟର ଶାସ୍ତି । ଉପଯୁକ୍ତ ଶାସ୍ତି–ସ୍ୱପ୍ନ ମଞ୍ଜରୀ ।

ଗୁଡ଼ାଏ ଶବଳକାୟ ଲୋକ ମୋର ଦୁଇ ବାହୁ ତୋଳି ଜଳନ୍ତା ଅଗ୍ନିକୁ ମୋତେ ଫୋପାଡ଼ି ଦେଉଛନ୍ତି । ମୁଁ ଅନୁନୟ, ବିନୟ ହୋଇ ଯେତେ ପ୍ରାର୍ଥନା କରୁଛି, ସେମାନେ ଶୁଣୁ ନାହାନ୍ତି–କହୁଛନ୍ତି ଏ ତୁମ ଅନ୍ୟାୟର ପ୍ରତିକ୍ରିୟା–ଭୋଗ କରିବାକୁ ହେବ ତୁମକୁ ।

ଓଃ–ଆଉ ସହ୍ୟ କରି ପାରୁନାହିଁ । ମରିଗଲି–କି ଯନ୍ତ୍ରଣା ସ୍ୱପ୍ନ ମଞ୍ଜରୀ... ।

ମର୍ଦ୍ଦରାଜ ବାବୁଙ୍କ ଗଳା ରୁଦ୍ଧ ହୋଇ ଆସିଲା । ଆଉ କିଛି କହି ପାରିଲେ ନାହିଁ ।

ହାତଠାରି ପୁନରାୟ ମର୍ଦ୍ଦରାଜ ବାବୁ କହିଲେ, ‘‘ସ୍ୱପ୍ନ ମଞ୍ଜରୀ ।’’

କୁନ କ’ଣ ସତେ ଫେରି ଆସିଛି ?

କାହିଁ ମୋ ପାଖକୁ ତ ଆସୁନାହିଁ ?

ତୁମେ ଶୋଇ ରୁହ । ଏପରି ଆଉ ବ୍ୟସ୍ତ ହୁଅ ନାହିଁ । କୁନ ଆସିଯିବ ଯେ ।

ସତେ ! ସତେ ! କୁନ ଆସିବ ?

ଉଃ. କି ଯନ୍ତ୍ରଣା, ମରିଗଲି । ସ୍ୱପ୍ନମଞ୍ଜରୀ । ମରିଗଲି ।

ବାହାରେ କାହାର ଯୋତା ଠକ୍‌ଠକ୍‌ ଶବ୍ଦ ଶୁଭିଲା । ସ୍ୱପ୍ନମଞ୍ଜରୀ ଦରଜା ପାଖକୁ ଧାଇଁ ଆସିଲେ । ଦେଖିଲେ, କୁନ ଦୋଷିଟି ପରି ଦରଜା ସାମନାରେ ଛିଡ଼ା ହୋଇଛି ତା ପଛକୁ ରତନୀ ।

ଗ୍ରାମର ଆବାଳ ବୃଦ୍ଧ ବନିତା ତାଙ୍କୁ ଦେଖିବା ପାଇଁ ରୁଣ୍ଡ ହୋଇ ଯାଇଛନ୍ତି ।

ମୋ କୁନ କହି ସ୍ୱପ୍ନମଞ୍ଜରୀ ଚିତ୍କାର କରି ଦରଜା ସାମନାରେ ପଡ଼ିଗଲେ ।

ଝର ଝର ହୋଇ କୁନ ବାବୁଙ୍କ ଆଖିରୁ ଲୁହ ଝରି ପଡ଼ିଲା ।

ସ୍ୱପ୍ନମଞ୍ଜରୀ ତଳୁ ଉଠି କୁନବାବୁଙ୍କ ପିଠି ଆଉଁସୁ ଆଉଁସୁ କହିଲେ, ବାପ ! ଏତେ ଦିନ ଯାଏ କେମିତି ଭୁଲି ରହିଥିଲୁ ? ଆଉକିଛି ନକହି ପାରି ଛଳଛଳ ଆଖିରେ କୁନ ବାବୁ ତଳକୁ ମୁହଁ ପୋତି ରହିଲେ ।

ସ୍ୱପ୍ନମଞ୍ଜରୀ ଦେବୀ ରତନୀର ପିଠି ଆଉଁସି ଦେଇ କହିଲେ, ମୋ ମାଆଟା ! କେତେ ଦୁଃଖ ନ ପାଇଛି ଜୀବନ ଭରି ।’’

ଚାଲ ଦୁହେଁ ଘରକୁ ଚାଲ ।

କୁନବାବୁ ରୁମାଲ ଦେଇ ଆଖିରୁ ଲୁହ ପୋଛୁ ପୋଛୁ କହିଲେ, ବାପା କିପରି ଅଛନ୍ତି ?

ବାପାଙ୍କ ଅବସ୍ଥା ଅତି ଶୋଚନୀୟ କୁନ । ତୋତେ ସବୁବେଳେ ଖୋଜୁଛନ୍ତି ଦେଖିବା ପାଇଁ ।

କୁନବାବୁ ବାପାଙ୍କ ଶୋଇଥିବା ପଲଙ୍କ ପାଖକୁ ଯାଇ ଦେଖିଲେ, ବାପାଙ୍କର ଆଉ ଅବସ୍ଥା ନାହିଁ, ଦେହର ମାଂସଗୁଡ଼ାକ ହାଡ଼ ସାଙ୍ଗରେ କେଉଁଆଡ଼େ ମିଳାଇ ଗଲାଣି । ଆଖି କୋଟରଗତ । ମୁଖରୁ କଥା ବାହାରି ପାରୁନି । କାନ୍ଦି ପକାଇଲେ କୁନ ବାବୁ ।

ବାପା-ବାପା ଆଖି ଖୋଲି ଚାହଁଥରେ । ମୁଁ କୁନ ଆସିଛି ତମ କୁନ । କିଛି କ୍ଷଣପରେ ଚେତନା ଆସିଲାରୁ ମର୍ଦ୍ଦରାଜ ବାବୁ ଆଖି ଖୋଲି ଥରେ ଅନାଇ ଦେଲେ ।

କ୍ଷୀଣକଣ୍ଠରୁ ତାଙ୍କର ବାହାରି ପଡ଼ିଲା ଥରେମାତ୍ର ବାପା କୁନ । ଏତେ ଦିନ ପରେ ଆସିଲୁ ??

–ତୋତେ ଦେଖିବା ପାଇଁ ଏତେ ସମୟ ବଞ୍ଚି ରହିଛି ବାପ !

ମୋର ସମୟ ଶେଷ ହୋଇ ଆସିଲା । ଆଉ କିଛି କହି ପାରିଲେ ନାହିଁ, ଗଳା ତାଙ୍କର ବନ୍ଦ ହୋଇଗଲା, ଭୋ ଭୋ ହୋଇ କାନ୍ଦି ଉଠିଲେ ସମସ୍ତେ । ହାତଠାରି କାନ୍ଦିବାକୁ ବାରଣ କଲେ ସେ । ଶେଷ ଥରପାଇଁ ମର୍ଦ୍ଦରାଜ ବାବୁ ରତନୀକୁ ହାତ ଠାରି ପାଖକୁ ଡାକି ଅସ୍ପଷ୍ଟ ଗଳାରେ କହିଲେ, ମାଆ ରତନୀ ! ତୁ ଗୋଟିଏ ରତ୍ନ ମୋର । ତୋରି ପରଶରେ ଏ ସୁନାର ସଂସାରଟି ହସିଉଠୁ ।

ବାପା କୁନ ତୋର ଉଦ୍ଦେଶ୍ୟ ସଫଳ ହେଉ । ତୁ ରତନୀକୁ ନେଇ ସୁଖ ଶାନ୍ତିରେ ଘର ସଂସାର କରି ରହ । ଦୁନିଆ ତୋର ହସି ଉଠୁ ଏହି ମୋର ଅନ୍ତିମ ଶୁଭେଚ୍ଛା ।

ଦୁହିଁଙ୍କ ହାତ ମର୍ଦ୍ଦରାଜ ବାବୁ ତାଙ୍କ ଛାତି ଉପରେ ଚାପି ରଖି ଆଖି ବୁଜି ଦେଲେ ।

ସମସ୍ତ ନୀରବ..... ।

ଜମିଦାରଙ୍କ ଘରୁ କ୍ରନ୍ଦନର ରୋଳ ଭାସି ଉଠିଲା ।

Image